ଫେଡେରର୍‌ଙ୍କ ଅଭିଯାନ ଶେଷ

ନ୍ୟୁୟର୍କ : ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ରୁ ସ୍ବିଜରଲାଣ୍ଡ ତାରକା ରୋଜର୍‌ ଫେଡେରର୍‌ଙ୍କ ଅଭିଯାନ ଶେଷ ହୋଇଯାଇଛି। ଏହି ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ଏଠାରେ ନିଜ ଜୀବନର ଷଷ୍ଠ ତଥା ମୋଟ ୨୧ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲ ଲକ୍ଷ୍ୟ ରଖିଥିଲା ବେଳେ କ୍ବାର୍ଟର ଫାଇନାଲ୍‌ ପରାଜୟ ହିଁ ତାଙ୍କର ସେହି ଆଶା ଧୂଳିସାତ୍‌ କରିଦେଇଛି। ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ମଙ୍ଗଳବାର ରାତିରେ ୫ ସେଟ୍‌ ଧରି ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ଫେଡେରର୍‌ ପରାଜୟର ସାମ୍‌ନା କରିଥିଲେ। ବିଶ୍ବ ମାନ୍ୟତାର ୭୮ ବୁଲ୍‌ଗେରିଆ ତାରକା ଗ୍ରିଗୋର ଦିମିତ୍ରୋଭ୍ ୩-୬, ୬-୪, ୩-୬, ୬-୪ ଓ ୬-୨ ସେଟ୍‌ରେ ଫେଡେରର୍‌ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲେ। ଏଥି ସହିତ ମୋଟ ୮ ଥର ମୁହାଁମୁହିଁରେ ଦିମିତ୍ରୋଭ୍‌ ମଧ୍ୟ ଫେଡେରର୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲେ। ଆଉ ଫେଡେରର୍‌ଙ୍କୁ ବିଦା କରି ଦିମିତ୍ରୋଭ୍‌ ଚଳିତ ୟୁଏସ୍‌ ଓପନ୍‌ ପୁରୁଷ ଏକକରେ ଦ୍ବିତୀୟ ଖେଳାଳି ଭା‌ବେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଲେ। ଏହା ପୂର୍ବରୁ ମଙ୍ଗଳବାର ପୁରୁଷ ଏକକରେ ପ୍ରଥମ ଖେଳାଳି ଭାବେ ଡାନିଲ୍‌ ମେଡ୍‌ଭେଡେଭ୍‌ ସେମିଫାଇନାଲ୍‌ ପ୍ରବେଶ କରିଥିଲେ। ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆ ତାରକା ମେଡ୍‌ଭେଡେଭ୍‌ ୭-୬, ୬-୩, ୩-୬ ଓ ୬-୧ ସେଟ୍‌ରେ ୨୩ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡ୍‌ ତାରକା ଷ୍ଟାନ୍‌ ୱାରିଙ୍କାଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ମେଡ୍‌ଭେଡେଭ୍‌ ନିଜ ଜୀବନରେ ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଗୋଟଏ ଦିନରେ ଉଭୟ ଫେଡେରର୍‌ ଓ ୱାରିଙ୍କାଙ୍କ ବିଦାୟ ସ୍ବିଜରଲାଣ୍ଡ୍‌ ପାଇଁ ନିରାଶା ଆଣିଦେଇଛି। ଫେଡେରର୍‌ ଏବଂ ୱାରିଙ୍କାଙ୍କ ବିଦାୟ ଯୋଗୁଁ ଏବେ ସେମିଫାଇନାଲ୍‌ରେ ମେଡ୍‌ଭେଡେଭ୍‌ ଓ ଦିମିତ୍ରୋଭ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର