ପ୍ୟାରିସ୍: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତିବା ପରେ ୩୬ ବର୍ଷୀୟ ସ୍ୱିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ଏଟିପି ମାନ୍ୟତାରେ ଦ୍ୱିତୀୟ ସ୍ଥାନକୁ ସୁଦୃଢ଼ କରିଛନ୍ତି। ସୋମବାର ପ୍ରକାଶିତ ମାନ୍ୟତା ତାଲିକାରେ ପ୍ରଥମ ଖେଳାଳି ଭାବେ ମୋଟ ୨୦ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ଫେଡେରର୍ଙ୍କ ପଏଣ୍ଟ୍ ୯୬୦୫ ରହିଥିଲା ବେଳେ ଶୀର୍ଷ ମାନ୍ୟତା ରାଫେଲ ନାଦାଲ (୯୭୬୦)ଙ୍କଠାରୁ ମାତ୍ର ୧୫୫ ପଏଣ୍ଟ୍ ଦୂରରେ ରହିଛନ୍ତି। ଫଳରେ ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର ଫାଇନାଲ୍ରେ ହାରି ଯାଇଥିବା ନାଦାଲଙ୍କ ଶୀର୍ଷ ମାନ୍ୟତା ପ୍ରତି ସଂକଟ ଦେଖାଦେଇଛି। ଫାଇନାଲ୍ରେ ଫେଡେରର୍ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବା କ୍ରୋଏସିଆର ମାରିନ୍ ସିଲିକ୍ ତିନିଟି ସ୍ଥାନ ଲମ୍ପ୍ ଦେଇ ନିଜ ପେସାଦାର ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା (ତୃତୀୟ ସ୍ଥାନ) ହାସଲ କରିଥିଲା ବେଳେ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ ଖେଳିଥିବା କୋରିଆର ଚୁଙ୍ଗ୍ ହ୍ୟୁନ୍ ୨୯ ସ୍ଥାନ ଲମ୍ଫ ଦେଇ ୨୯ତମ ସ୍ଥାନ ପାଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ବୁଲ୍ଗେରିଆର ଗ୍ରିଗୋର୍ ଦିମିତ୍ରୋଭ୍, ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ୍ ଓ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ ଗୋଟିଏ ଲେଖାଏଁ ସ୍ଥାନ ଖସି ଯଥାକ୍ରମେ ଚତୁର୍ଥରୁ ଷଷ୍ଠରେ ରହିଛନ୍ତି। ବେଲ୍ଜିୟମ୍ର ଡେଭିଡ୍ ଗଫିନ୍ ସପ୍ତମ ସ୍ଥାନରେ ସ୍ଥିର ରହିଥିଲା ବେଳେ ଆମେରିକାର ଜାକ୍ ସକ୍, ଆର୍ଜେଣ୍ଟିନାର ଜୁଆନ୍ ମାର୍ଟିନ୍ ଡେଲ୍ ପୋଟ୍ରୋ, ସ୍ପେନ୍ର ପାବ୍ଲୋ କାରେନୋ ବୁସ୍ତା, ଦକ୍ଷିଣ ଆଫ୍ରିକାର କେଭିନ୍ ଆଣ୍ଡରସନ୍, ଆମେରିକାର ସାମ୍ କ୍ୱେରି, ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଗୋଟିଏ ଲେଖାଏଁ ସ୍ଥାନ ଲମ୍ଫ ଦେଇ ଯଥାକ୍ରମେ ନବମରୁ ତ୍ରୟୋଦଶ ସ୍ଥାନ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆର ନିକ୍ କିର୍ଗିଅସ୍ ୩ ସ୍ଥାନ ଓ ଚେକ୍ ଗଣରାଜ୍ୟର ଥୋମାସ୍ ବର୍ଦିକ୍ ୪ ସ୍ଥାନ ଲମ୍ଫ ଦେଇ ଯଥାକ୍ରମେ ୧୪ ଓ ୧୬ତମ ସ୍ଥାନ ପାଇଥିଲା ବେଳେ ସ୍ୱିଜରଲାଣ୍ଡ୍ର ଷ୍ଟାନ୍ ଓ୍ଵାରିଙ୍କା ୭ ସ୍ଥାନ ଖସି ପଞ୍ଚଦଶ ସ୍ଥାନରେ ପହଞ୍ଚିଛନ୍ତି। ଫ୍ରାନ୍ସର ଲୁକାସ୍ ପୌଲି ଗୋଟିଏ ସ୍ଥାନ ଉଠି ୧୭ରେ, ଆମେରିକାର ଜନ୍ ଇଜ୍ନର ୨ ସ୍ଥାନ ଖସି ୧୮, ଫ୍ରାନ୍ସର ଜୋ ଓ୍ଵିଲ୍ଫ୍ରେଡ୍ ସୋଙ୍ଗା ୪ ସ୍ଥାନ ଖସି ୧୯ ଏବଂ ବ୍ରିଟେନ୍ର ଆଣ୍ଡି ମରେ ଗୋଟିଏ ସ୍ଥାନ ଖସି ୨୦ତମ ସ୍ଥାନରେ ରହିଛନ୍ତି।