ବାପାଙ୍କ ପରେ ପୁଅ ହେଲେ ଦିଲ୍ଲୀ କ୍ରିକେଟ ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ: ବାପାଙ୍କ ପରେ ପୁଅଙ୍କୁ ମିଳିଲା ବଡ ଦାୟିତ୍ୱ |  ଦିବଂଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଡିଡିସିଏରେ ଅଧ୍ୟକ୍ଷଙ୍କ ସମେତ ଅନେକ ପଦବୀରେ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା |

କିନ୍ତୁ ରୋହନ ଜେଟଲୀଙ୍କ ସହ ଲଢ଼ିବାକୁ ଥିବା ପ୍ରାର୍ଥୀ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେବା କାରଣରୁ ସେ ବିନା ନିର୍ବାଚନରେ ଡ଼ିଡ଼ିସିଏର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ନଭେମ୍ବର ୫,୬ ଏବଂ ୮ ରେ ଅନୁଷ୍ଠିତ ହେବ ଓ ନଭେମ୍ବର ୯ରେ ଫଳାଫଳ ଘୋଷଣା କରାଯିବ।

ଅରୁଣ ଜେଟଲୀ ମଧ୍ୟ କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ଡ଼ିଡ଼ିସିଏର ସଭାପତି ଭାବରେ ଅନେକ ଥର କାର୍ଯ୍ୟ କରିଥିଲେ। ବର୍ତ୍ତମାନ ତାଙ୍କର ୩୧ ବର୍ଷୀୟ ପୁଅ ରୋହନ ଜେଟଲୀଙ୍କୁ ଏହି ଦାୟିତ୍ୱ ମିଳିଛି | ରୋହନ ଏହି ପଦବୀରେ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରହିବେ । ସୂଚନା ଥାଉ କି ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଡ଼ିଡ଼ିସିଏ ର ଅଧ୍ୟକ୍ଷ ଥିଲେ, ସେ ଗତ ବର୍ଷ ଏହି ପଦରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ଆଭ୍ୟନ୍ତରୀଣ ରାଜନୀତି ଯୋଗୁଁ ଇସ୍ତଫା ଦେଇଥିବାର ସେ କାରଣ ଦର୍ଶାଇଥିଲେ |

ସମ୍ବନ୍ଧିତ ଖବର