ନୂଆଦିଲ୍ଲୀ : ୟୁଏଇରେ ସଫଳତାର ସହ ଶେଷ ହୋଇଥିବା ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ଆହତ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୪ଟି ମ୍ୟାଚ୍ ଖେଳିନଥିଲେ ମଧ୍ୟ ପ୍ରତ୍ୟାବର୍ତନ କରି ପଛକୁ ପଛ ତିନିଟି ମ୍ୟାଚ୍ ଖେଳିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ୍ରେ ତାଙ୍କ ଦମ୍ଦାର ଅର୍ଧଶତକ ବଳରେ ମୁମ୍ବାଇ ମଧ୍ୟ ଆଇପିଏଲ୍ ଟ୍ରଫି ବଜାୟ ରଖିଥିଲା। ଏହାସତ୍ତ୍ବେ ରୋହିତ ମାତ୍ର ୭୦ ପ୍ରତିଶତ ଫିଟ୍ ଅଛନ୍ତି ବୋଲି ଏକ ସାକ୍ଷାତକାରରେ ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି। ଖାସ୍ ସେଇଥିପାଇଁ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ସାମିଲ କରାଯାଇନଥିଲା ବୋଲି ଗାଙ୍ଗୁଲି କାରଣ ଦର୍ଶାଇଛନ୍ତି। ଆହତ କାରଣକୁ ନେଇ ବିସିସିଆଇ ଚୟନକର୍ତାମାନେ ତାଙ୍କୁ ତିନିଟିଯାକ ଫର୍ମାଟ୍ରୁ ବାଦ୍ ଦେଇଥିଲେ। ହେଲେ ପରେ ତାଙ୍କୁ ଟେଷ୍ଟ୍ ଦଳରେ ସାମିଲ କରାଯାଇଛି। ସେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି ତତ୍ତ୍ବାବଧାନରେ ରହିବାର ଆଶା ରହିଛି। ପୂରା ଫିଟ୍ନେସ୍ ପ୍ରମାଣିତ ହେଲେ ସେ ଅଷ୍ଟ୍ରେଲିଆ ଯିବେ ବୋଲି କହିଛନ୍ତି ଗାଙ୍ଗୁଲି।
ରୋହିତ ଆହତ ହୋଇଥିବାରୁ ନଭେମ୍ବର ୩ ତାରିଖରେ ତାଙ୍କୁ ସତର୍କ ରହିବାକୁ ଗାଙ୍ଗୁଲି ପରାମର୍ଶ ଦେଇଥିଲେ। ଏପରିକି ଆଇପିଏଲ୍ ପ୍ଲେ-ଅଫ୍ ପର୍ଯ୍ୟାୟରେ ନଖେଳିବାକୁ କହିଥିଲେ। ଆମେ ତାଙ୍କ ଆହତ ସମସ୍ୟାକୁ ଆକଳନ କରିବୁ। ସେ ତୁରନ୍ତ ସୁସ୍ଥ ହୁଅନ୍ତୁ ବୋଲି ଆମେ ଚାହୁଁଥିଲୁ। ହେଲେ ସେ ନମାନି ଖେଳିଥିଲେ। ତେଣୁ ସେ କେବେ ଫେରିବେ ମୁଁ ଜାଣିନାହିଁ ବୋଲି ଗାଙ୍ଗୁଲି କହିଥିଲେ। ଯାହାକୁ ନେଇ କିଛି ସମାଲୋଚନା ମଧ୍ୟ ହୋଇଥିଲା। ହେଲେ ବିସିସିଆଇ କିପରି ତା’ର କାର୍ଯ୍ୟ କରିଥାଏ ସେନେଇ ଲୋକମାନେ ଜାଣିନଥା’ନ୍ତି। ବିସିସିଆଇ ଟ୍ରେନର୍, ଫିଜିଓ ତାଙ୍କର ଆଘାତ ନେଇ ଅବଗତ ଥିଲେ। କିନ୍ତୁ ଲୋକମାନେ ଆହତ ସଂପର୍କରେ କିଛି ବୁଝିନଥିବାରୁ ସମାଲୋଚନା କରିଥା’ନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।
ୱିକେଟ୍ରକ୍ଷକ ରିଦ୍ଧିମାନ ସାହା ମଧ୍ୟ ଆଇପିଏଲ୍ ବେଳେ ଆହତ ହୋଇଥିଲେ। ତେବେ ସେ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଫିଟ୍ ହେବେ ବୋଲି ଭାବି ତାଙ୍କୁ ଦଳ ସହ ଅଷ୍ଟ୍ରେଲିଆ ଯିବାକୁ ଅନୁମତି ମିଳିଥିଲା। ସେ ସୀମିତ ଓଭର ଶୃଙ୍ଖଳା ପାଇଁ ଦଳରେ ନାହାନ୍ତି। ଅନ୍ୟ ଜଣେ ଆହତ ଖେଳାଳି ହେଲେ ଦ୍ରୁତ ବୋଲର ଈଶାନ୍ତ ଶର୍ମା। ସେ ଏବେ ବି ଫିଟ୍ ନାହାନ୍ତି। ରୋହିତଙ୍କ ଭଳି ସେ ମଧ୍ୟ ଏନ୍ସିଏରେ ପୁନଃଥଇଥାନ ଯୋଜନାରେ ସାମିଲ ହେବେ ବୋଲି ଗାଙ୍ଗୁଲି କହିଛନ୍ତି।