ଏନ୍‌ସିଏରେ ରୋହିତ ଓ ଈଶାନ୍ତଙ୍କ ଫିଟ୍‌ନେସ୍‌ ପ୍ରଶିକ୍ଷଣ ଆରମ୍ଭ

ଟେଷ୍ଟ୍‌ ଶୃଙ୍ଖଳା ପ୍ରସ୍ତୁତି ପାଇଁ ନେଟ୍‌ସରେ ପୂଜାରାଙ୍କ ଚମକ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍‌ ଦଳରେ ସାମିଲ ହୋଇଥିବା ରୋହିତ ଶର୍ମା ସ୍ଥାନୀୟ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ଗୁରୁବାର ନିଜର ଫିଟ୍‌ନେସ୍‌ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ୟୁଏଇରେ ଶେଷ ହୋଇଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ବେଳେ ରୋହିତ ଆହତ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସୀମିତ ଓଭର ଶୃଙ୍ଖଳାରୁ ବାଦ୍‌ ଦିଆଯାଇଥିଲା। ହେଲେ ଏହି ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ଆଇପିଏଲ୍‌ ଫାଇନାଲ୍‌ ବ୍ୟତୀତ ଆଉ ଦୁଇଟି ମ୍ୟାଚ୍‌ ଖେଳିବା ପରେ ତାଙ୍କୁ ଟେଷ୍ଟ୍‌ ଦଳରେ ସାମିଲ କରାଯାଇଥିଲା। ବିଶେଷକରି ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ୍‌ ଖେଳି ପିତୃତ୍ବ ଲାଭ ପାଇଁ ଭାରତ ଫେରିଆସିବାକୁ ଥିବାରୁ ରୋହିତଙ୍କୁ ସ୍ଥାନ ମିଳିଥିବା କୁହାଯାଇଛି। ତେଣୁ କୋହଲିଙ୍କ ଅନୁପସ୍ଥିତିରେ ରୋହିତଙ୍କ ଫିଟ୍‌ନେସ୍‌ ଦଳ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଖାସ୍‌ ସେଇଥିପାଇଁ ତାଙ୍କୁ ଆଇପିଏଲ୍‌ ପରେ ପରେ ଦଳ ସହ ଅଷ୍ଟ୍ରେଲିଆ ପଠାନଯାଇ ଫିଟ୍‌ନେସ୍‌ ସୁଧାରିବା ପାଇଁ ଏନ୍‌ସିଏକୁ ପଠାଯାଇଥିଲା। ଦୀପାବଳି ପରେ ରୋହିତ ଏନ୍‌ସିଏରେ ପ୍ରଶିକ୍ଷଣ ନେବେ ବୋଲି କୁହାଯାଇଥିଲା। ସେହି ଅନୁଯାୟୀ ରୋହିତ ଗୁରୁବାରଠାରୁ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ୍‌ ଏବ ମୁଖ୍ୟ ଚୟନକର୍ତା ସୁନୀଲ ଯୋଷୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରୋହିତ ପୁନଃଥଇଥାନ କାର୍ଯ୍ୟ କରୁଛନ୍ତି।

ଆଇପିଏଲ୍‌ ଫାଇନାଲ୍‌ରେ ଦମ୍‌ଦାର ଅର୍ଧଶତକ ଜମାଇ ମୁମ୍ବାଇକୁ ପଞ୍ଚମ ଥର ବିଜେତା କରାଇବାରେ ପ୍ରମୁଖ ଭୂମିକା ନିଭାଇବା ପରେ ସେ ବାସ୍ତବିକ୍‌ ପୂରା ଫିଟ୍‌ ବୋଲି ରୋହିତ କହିଥିଲେ। ହେଲେ ଆଇପିଏଲ୍‌ ବେଳେ ମାଂସପେଶୀ ଜନିତ ଆଘାତରୁ ପୂରା ସୁସ୍ଥ ହେବା ପାଇଁ ତାଙ୍କୁ କିଛି ସମୟ ଦରକାର ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଅନୁଭବ କରିଥିଲା। କିନ୍ତୁ ରୋହିତଙ୍କ ଫିଟ୍‌ନେସ୍‌ ସ୍ଥିତି ନେଇ ସେତେବେଳେ ବିତର୍କ ମୁଣ୍ଡ ଟେକିଥିଲା।

ଅନ୍ୟପକ୍ଷରେ ଆହତ ତାଲିକାରେ ଥିବା ବରିଷ୍ଠ ଦ୍ରୁତ ବୋଲର ଈଶାନ୍ତ ଶର୍ମା ମଧ୍ୟ ଏନ୍‌ସିଏରେ ଫିଟ୍‌ନେସ୍‌ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଆଇପିଏଲ୍‌ ବେଳେ ଆହତ ଯୋଗୁଁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିପାରିଥିବା ୩୨ ବର୍ଷ ବୟସ୍କ ଇଶାନ୍ତ ବୁଧବାରଠାରୁ ଏଠାରେ ବୋଲିଂ ଆରମ୍ଭ କରିଥିଲା ବେଳେ ପୂରା ଦମ୍‌ ଦେଖାଇଛନ୍ତି। ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ସେ ଦୁଇଟି ବୋଲିଂ ସେସନ୍‌ ବୋଲିଂ କରିଥିଲେ। କିଛି ଘଣ୍ଟାର ବିରତି ମଧ୍ୟରେ ୪୫ ମିନିଟ୍‌ ଲେଖାଏଁ ଉଭୟ ସେସନ୍‌ରେ ସେ ବୋଲିଂ କରି ଫିଟ୍‌ନେସ୍‌ ପ୍ରମାଣ ଦେବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମ ସେସନ୍‌ରେ ସେ ବୋଲିଂ ସହିତ କ୍ୟାଚ୍‌ ଅଭ୍ୟାସ ମଧ୍ୟ କରିଥିଲେ। ଉଭୟ ସେସନ୍‌ରେ ତାଙ୍କୁ ନିକଟରୁ ନୀରିକ୍ଷଣ କରିଥିଲେ ଦ୍ରାବିଡ୍‌ ଓ ଯୋଷୀ। ସେ ଲଗାତାର ବଲ୍‌କୁ ଉଭୟ ପାର୍ଶ୍ବକୁ ସୁଇଙ୍ଗ୍‌ କରିପାରୁଥିଲେ। ଈଶାନ୍ତ ଖୁବ୍‌ ଶୀଘ୍ର ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବେ ବୋଲି କୁହାଯାଉଛି। ଉଭୟ ରୋହିତ ଓ ଈଶାନ୍ତ ଏକାଠି ଅଷ୍ଟ୍ରେଲିଆ ଯାତ୍ରା କରିବେ ଏବଂ ଦଳ ସହ ଯୋଗଦେବା ପୂର୍ବରୁ ସେଠାରେ ୧୪ ଦିନିଆ ସଂଗରୋଧରେ ରହିବେ। ସେହିପରି ଆହତ ଯୋଗୁଁ ଆଇପିଏଲ୍‌ରୁ ଓହରି ଯାଇଥିବା ଅନ୍ୟତମ ଦ୍ରୁତ ବୋଲର ଭୁବନେଶ୍ବର କୁମାର ମଧ୍ୟ ଫିଟ୍‌ନେସ୍‌ ପ୍ରଶିକ୍ଷଣ ପାଇଁ ବୁଧବାର ଏନ୍‌ସିଏରେ ଯୋଗ ଦେଇଛନ୍ତି।

ଟେଷ୍ଟ୍‌ ଶୃଙ୍ଖଳା ପ୍ରସ୍ତୁତି ପାଇଁ ନେଟ୍‌ସରେ ପୂଜାରାଙ୍କ ଚମକ
ସିଡ୍‌ନି: କରୋନା ମହାମାରୀ କଡ଼ା କଟକଣା ଯୋଗୁଁ ଭାରତ ସୀମିତ ଓଭର ସାଙ୍ଗକୁ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ମଧ୍ୟ ମିଳିତ ଦଳ ଅଷ୍ଟ୍ରେଲିଆକୁ ପଠାଇଛି। ଗୁରୁବାର ଏମାନଙ୍କ ମଧ୍ୟରୁ ଟେ‌ଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାରା ନେଟ୍‌ସରେ ଚମକ ଦେଖାଇଛନ୍ତି। ଡିସେମ୍ବର ୧୭ ତାରିଖରେ ଆଡିଲେଡ୍‌ ଓଭାଲ୍‌ରେ ପ୍ରଥମ ଟେଷ୍ଟ୍‌ ଖେଳାଯିବାକୁ ଥିଲା ବେଳେ ପୂଜାରା ନେଟ୍‌ସରେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରେ ୫୮୪୦ ରନ୍‌ କରିସାରିଥିବା ପୂଜାରା ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟିଂ ଶକ୍ତି। ଗୁରୁବାର ପୂଜାରାଙ୍କ ପ୍ରଶିକ୍ଷଣ ସେସନ୍‌ର ଏକ କ୍ଲିପ୍‌କୁ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ସେୟାର କରିଛି। ଯେଉଁଥିରେ କି ଏହା ଡାହାଣ ହାତୀ ବ୍ୟାଟ୍‌ସମ୍ୟାନ୍‌ ବଲ୍‌କୁ ପ୍ରହାର କରୁଥିବା ଏବଂ ଅଫ୍‌ ଷ୍ଟମ୍ପ୍‌ ବାହାର ବଲ୍‌କୁ ସହଜରେ ଛାଡ଼ି ଦେଉଥିବା ଦେଖାଯାଇଛି। ‘‘ଅପେକ୍ଷାର ଅନ୍ତ ଘଟିଛି, ପୂଜାରା ନେଟ୍‌ସକୁ ଫେରିଛନ୍ତି ଏବଂ ତାଙ୍କ ପସନ୍ଦଯୋଗ୍ୟ ସଟ୍‌ ଖେଳୁଛନ୍ତି। ବୋଲରମାନେ ତାଙ୍କ ପ୍ରତି ପ୍ରସ୍ତୁତ ରୁହ’’ ବୋଲି ବିସିସିଆଇ ଟ୍ବିଟ୍‌ କରିଛି। ଏଠାରେ ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଭାରତ ତିନିଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଖେଳିବା ପରେ ୪ ଟେଷ୍ଟ୍‌ ଖେଳିବ। ପ୍ରଥମ ଟେଷ୍ଟ୍‌ ଦିବାରାତ୍ର ଖେଳାଯିବ। ଏହି ଶୃଙ୍ଖଳା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ଅଂଶବିଶେଷ ଥିଲା ବେଳେ ଏବେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପଏଣ୍ଟ ତାଲିକାର ଶୀର୍ଷ ୨ ସ୍ଥାନରେ ରହିଛନ୍ତି।

କ୍ଷେତ୍ରରକ୍ଷଣ ସାମର୍ଥ୍ୟ ବଢ଼ାଇଲେ ଭାରତୀୟ ଟେଷ୍ଟ୍‌ ଖେଳାଳି
୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବା ଭାରତୀୟ ଟେଷ୍ଟ୍‌ ଖେଳାଳିମାନେ ବିଶେଷକରି କ୍ଷେତ୍ରରକ୍ଷଣ ସାମର୍ଥ୍ୟକୁ ବଢ଼ାଇବାର ଅଭ୍ୟାସ କରୁଛନ୍ତି। ପ୍ରସ୍ତୁତି ବେଳେ ସେମାନେ କ୍ଷେତ୍ରରକ୍ଷଣ ବ୍ୟାୟାମ ମଧ୍ୟ କରୁଛନ୍ତି। କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖେଳାଳିମାନେ ଏହି ଅଭ୍ୟାସ ଚଳାଇଛନ୍ତି। କେବଳ ଟେଷ୍ଟ୍‌ ଦଳରେ ସାମିଲ ଥିବା ମହମ୍ମଦ ସିରାଜ୍‌, ପୃଥ୍ବୀ ସ, ହନୁମା ବିହାରୀ ଏବଂ କୁଲ୍‌ଦୀପ ଯାଦବ ଝାଳବୁହା ଅଭ୍ୟାସ କରୁଥିବା ଦେଖାଯାଇଛି। ପ୍ରାୟ ଦୁଇ ମାସ ଧରି ଆଇପିଏଲ୍‌ରେ ବ୍ୟସ୍ତ ରହିଥିବା ‌ଅଧିକାଂଶ ଖେଳାଳି ଧଳା ବଲ୍‌ ଛାଡ଼ି ଏବେ ନାଲି ବଲ୍‌ରେ ନେଟ୍‌ସରେ ପ୍ରସ୍ତୁତି ଚଳାଇଛନ୍ତି। ଆହତ ୱିକେଟ୍‌ ରକ୍ଷକ ଋଦ୍ଧିମାନ ଶାହା ମଧ୍ୟ ନେଟ୍‌ସରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତୀୟ ଦଳର ଏହି ପ୍ରଶିକ୍ଷଣ ସେସନ୍‌ ସିଡ୍‌ନି ଅଲିମ୍ପିକ୍‌ ପାର୍କ ପାର୍ଶ୍ବରେ ଥିବା ବ୍ଲାକ୍‌ଟାଉନ୍‌ ଇଣ୍ଟରନ୍ୟାସ୍‌ନାଲ ସ୍ପୋର୍ଟସ ପାର୍କରେ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର