ରାଞ୍ଚି: ରାଞ୍ଚି ଟେଷ୍ଟ୍ର ପ୍ରଥମ ଦିନ ଭାରତ ୩ ୱିକେଟ୍ ବିନିମୟରେ ୨୨୪ ରନ୍ କରିଛି। ପ୍ରାରମ୍ଭିକ ବିଫଳତା ପରେ ସଫଳ ପ୍ରତ୍ୟାବର୍ତନ କରି ସମ୍ମାନର ସହ ଦିନ ଶେଷ କରିଛି ଭାରତ। ଶନିବାର ପ୍ରଥମ ଏକ ଘଣ୍ଟାର ଖେଳରେ ହିଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ (୧୦), ଚେତେଶ୍ବର ପୂଜାରା (୦) ଓ ଅଧିନାୟକ ବିରାଟ କୋହଲି (୧୨)ଙ୍କୁ ହରାଇଥିଲା ଭାରତୀୟ ଦଳ। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ପଞ୍ଚମ ଓଭରରେ ଅଗ୍ରୱାଲଙ୍କୁ ଶିକାର କରିବା ପରେ ନବମ ଓଭରରେ ପୂଜାରାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ପୁନେ ଟେଷ୍ଟରେ ଦ୍ବିଶତକୀୟ ପାଳି ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା କୋହଲି ଜମି ଆସୁଥିଲା ବେଳେ ଆନରିଜ ନର୍ତଜେଙ୍କ ଭିତରକୁ ପଶୁଥିବା ବଲ୍କୁ ବୁଝି ନପାରି ଏଲବିଡବ୍ଲ୍ୟ ହୋଇଥିଲେ। ଭାରତ ମାତ୍ର ୩୯ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ଦୁଇ ମୁମ୍ବାଇ ତାରକା ରୋହିତ ଶର୍ମା (୧୧୭*) ଓ ଅଜିଙ୍କ୍ୟ ରାହାଣେ (୮୩*) ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆଉ ଖୁସି ହେବାର ସୁଯୋଗ ଦେଇ ନଥିଲେ। ଉଭୟ ଅବିଭାଜିତ ଚତୁର୍ଥ ୱିକେଟ୍ରେ ୧୮୫ ରନ୍ ଯୋଡ଼ି ଭାରତକୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଷୋଡ଼ଶ ଓଭରରେ କ୍ରିଜ୍କୁ ଆସିଥିବା ରାହାଣେ ଏବଂ ରୋହିତଙ୍କ ପାଇଁ ହିଁ ଖେଳର ମୋଡ଼ ଭାରତ ଆଡ଼କୁ ବଦଳି ଥିଲା। ତିନିଟି ୱିକେଟର ସଅଳ ପତନ ସତ୍ତ୍ବେ ରୋହିତ ନିଜ ପାଳି ଆରମ୍ଭରୁ ଆକ୍ରମଣ କରି ୨୧ ବଲ୍ରୁ ୨୯ ରନ୍ କରି ନେଇଥିଲେ। ଏହା ପରେ ୮୬ ବଲ୍ରୁ ୮ ଚୌକା ଏବଂ ଗୋଟିଏ ଛକା ବଳରେ ଅର୍ଧଶତକ ପୂରଣ କରିଥିଲେ ସେ। ସେହିଭଳି ୧୩୦ ବଲ୍ରୁ ୧୩ ଚୌକା ଓ ୪ ଛକା ବଳରେ ଷଷ୍ଠ ଶତକ ପୂରଣ କରିଥିଲେ ରୋହିତ। ଅନ୍ୟପକ୍ଷରେ ରାହାଣେ ୨୧ତମ ଅର୍ଧଶତକ ହାସଲ କରି ନେଇଥିଲେ। ସେ ଏବେ ନିଜର ଏକାଦଶ ଶତକଠାରୁ ମାତ୍ର ୧୭ ରନ୍ ଦୂରରେ ରହିଛନ୍ତି। ବିଶାଖାପାଟଣା ଟେଷ୍ଟର ଉଭୟ ପାଳିରେ ଶତକ ଅର୍ଜନ କରିଥିବା ରୋହିତ ଶନିବାର ଦ୍ବିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ଶୃଙ୍ଖଳାରେ ୩ କିମ୍ବା ତା’ଠାରୁ ଅଧିକ ଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ତିନିଟି ଭିନ୍ନ ଭିନ୍ନ ଶୃଙ୍ଖଳାରେ ୩ କିମ୍ବା ତା’ଠାରୁ ଅଧିକ ଶତକ ହାସଲ କରିସାରିଛନ୍ତି। ସେପଟେ ପ୍ରାରମ୍ଭିକ ସଫଳତା ପରେ ଦକ୍ଷିଣ ଆଫ୍ରିକା ଏଥିରୁ ଫାଇଦା ଉଠାଇ ନପାରି ଭାରତ ଉପରୁ ଚାପ ହଟିବାକୁ ଦେଇଥିଲା। ଆଲୋକ ଅଭାବରୁ ଶନିବାର କିନ୍ତୁ କେବଳ ୫୮ ଓଭରର ଖେଳ ସମ୍ଭବ ହୋଇଥିଲା। ପ୍ରଥମ ଦୁଇ ଅଧିବେଶନରେ ୫୨ ଓଭରର ଖେଳ ହେବା ପରେ ତୃତୀୟ ଅଧିବେଶନରେ ମାତ୍ର ୬ ଓଭରର ଖେଳ ସମ୍ଭବ ହୋଇଥିଲା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ତିନି ଟିକିଆ ଶୃଙ୍ଖଳାରେ ତୃତୀୟ ଏବଂ ଭାରତୀୟ ଉପମହାଦେଶରେ ଲଗାତାର ଦଶମ ଥର ପାଇଁ ଟସ୍ ହାରିଥିଲା। ଏକ ବିସ୍ମୟକର ଘଟଣାକ୍ରମେ ଏହି ଦଳର ଅଧିନାୟକ ଡୁ’ ପ୍ଲେସିସ୍ ଭାଗ୍ୟ ବଦଳାଇବା ଲାଗି ଟେମ୍ବା ବଭୁମାଙ୍କୁ ନିଜ ପ୍ରତିନିଧି ଭାବେ ଟସ୍ କରିବାର ସୁଯୋଗ ଦେଇଥିଲେ। ହେଲେ ଏହା ଫଳପ୍ରଦ ହୋଇ ନଥିଲା। ଦକ୍ଷିଣ ଆଫ୍ରିକା ପୁଣି ଥରେ ଟସ୍ ହାରିଥିଲା। ଏହା ଦେଖି ହସି ହସି ଗଡ଼ି ଯାଇଥିବା କୋହଲି ପୁନର୍ବାର ଟସ୍ ଜିତି ଆଶାଜନକ ଭାବେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ଗୋଟିଏ ପରିବର୍ତନ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ପାଞ୍ଚଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଭାରତ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ସ୍ଥାନରେ ସ୍ଥାନୀୟ ସ୍ପିନର ଶାହାବାଜ ନଦୀମଙ୍କୁ ଦଳରେ ନେଇଥିଲା। ନଦୀମ ଭାରତର ୨୯୬ତମ ଟେଷ୍ଟ୍ କ୍ରିକେଟ୍ର ହୋଇଥିଲେ।
ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ଛକା କୀର୍ତ୍ତିମାନ
ଶନିବାର ରୋହିତ ଶର୍ମା ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ବିଶାଖାପାଟଣାରେ ଶତକ ଜମାଇଥିବା ରୋହିତ ଗତ ଦୁଇଟି ଟେଷ୍ଟ୍ରେ ମୋଟ ୧୩ ଛକା ମାରିଥିଲେ। ରାଞ୍ଚି ଟେଷ୍ଟ୍ର ପ୍ରଥମ ଦିବସରେ ସେ ୧୧୭* ରନ୍ ପାଳି ମଧ୍ୟରେ ୪ ଛକା ମାରିଛନ୍ତି। ଫଳରେ ଶୃଙ୍ଖଳାରେ ତାଙ୍କ ମୋଟ ଛକା ସଂଖ୍ୟାକୁ ୧୭ରେ ପହଞ୍ଚିଛି। ଏଥି ସହିତ କୌଣସି ଦ୍ବିପାକ୍ଷିକ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ଛକା ମାରିବାରେ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରୋହିତ। ପୂର୍ବରୁ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ସିମ୍ରନ୍ ହେଟ୍ମେୟରଙ୍କ ନାମରେ ଥିଲା। ହେଟ୍ମେୟର ୨୦୧୮-୧୯ରେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ମୋଟ ୧୫ ଛକା ମାରିଥିଲେ। ରୋହିତ ଏକ୍ଷେତ୍ରରେ ଭାରତୀୟ କୀର୍ତ୍ତିମାନ ରଖିଥିବା ହରଭଜନ ସିଂହଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି। ହରଭଜନ ଗୋଟିଏ ଶୃଙ୍ଖଳାରେ ଭାରତୀୟ ଭାବେ ସର୍ବାଧିକ ଛକା (୧୪) ମାରିବାର କୀର୍ତ୍ତିମାନ ଏପର୍ଯ୍ୟନ୍ତ ନିଜ ନାମରେ ରଖିଥିଲେ। ସେ ୨୦୧୦-୧୧ରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ଏହି କୀର୍ତ୍ତିମାନ ରଚିଥିଲେ। ଏବେ ରୋହିତ ଉଭୟ ହରଭଜନ ଏବଂ ହେଟ୍ମେୟରଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ଅନ୍ୟପକ୍ଷରେ ରୋହିତ ଚଳିତ ବର୍ଷ ସର୍ବାଧିକ ଟେଷ୍ଟ୍ ଛକାରେ ମଧ୍ୟ ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ (୧୫ ଛକା, ୧୬ ପାଳି)ଙ୍କୁ ଟପିଯାଇଛନ୍ତି। ଏହା ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ମୋଟ ୧୩ ଛକା ମାରି ରୋହିତ ମଧ୍ୟ ପାକିସ୍ତାନର ଵାସିମ ଆକ୍ରମ୍ଙ୍କ ଗୋଟିଏ ମ୍ୟାଚରେ (୧୯୯୬ରେ ବନାମ ଜିମ୍ବାୱେ) ସର୍ବାଧିକ ୧୨ ଛକାର କୀର୍ତ୍ତିମାନକୁ ଭାଙ୍ଗିଥିଲେ। ସେହିପରି ରୋହିତ ମଧ୍ୟ ଗୋଟିଏ ଟେଷ୍ଟ୍ରେ ସର୍ବାଧିକ ଛକା ମାରିବାରେ ଭାରତୀୟ କୀର୍ତ୍ତିମାନ ରଖିଥିବା ନଭ୍ଜୋତ୍ ସିଂହ ସିଦ୍ଧୁ (୮ ଛକା, ୧୯୯୪ରେ ଶ୍ରୀଲଙ୍କା ବିପକ୍ଷ)ଙ୍କୁ ବିଶାଖାପାଟଣାରେ ଟପି ଯାଇଥିଲେ।
ରୋହିତ ଏବେ ତିନିଟିଯାକ ଫର୍ମାଟ୍ରେ ଗୋଟିଏ ମ୍ୟାଚ୍ରେ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ମୋଟାମୋଟି ଭାବେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍ଲମ୍ ଟେଷ୍ଟ୍ରେ ସବୁଠୁ ଅଧିକ ଛକା (୧୦୭, ୧୦୧ ମ୍ୟାଚ୍) ମାରିବାର କୀର୍ତ୍ତିମାନ ରଖିଛନ୍ତି। ଅଷ୍ଟ୍ରେଲିଆର ଆଦାମ୍ ଗିଲ୍ଖ୍ରିଷ୍ଟ (୧୦୦), ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ (୯୮), ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍ (୯୭) ଏବଂ ଭାରତର ବୀରେନ୍ଦ୍ର ସେହବାଗ୍ (୯୧) ପଛକୁ ପଛ ରହିଛନ୍ତି।
ନଦୀମଙ୍କୁ ଟୋପି ନଂ ୨୯୬
ଝାଡ଼ଖଣ୍ଡ ବାମହାତୀ ସ୍ପିନର ସାହବାଜ୍ ନଦୀମ ଶନିବାର ଭାରତ ପକ୍ଷରୁ ଟେଷ୍ଟ ପଦାର୍ପଣ କଲେ। ନିଜର ଘରୋଇ ପଡ଼ିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍ ଶନିବାରଠୁ ଆରମ୍ଭ ହୋଇଥିଲା ବେଳେ ଅଧିନାୟକ ବିରାଟ କୋହଲି ୨୯୬ତମ ଖେଳାଳି ଭାବେ ନଦୀମଙ୍କୁ ଭାରତ ଟୋପି ପ୍ରଦାନ କରିଥିଲେ। ଘରୋଇ କ୍ରିକେଟ ତଥା ଭାରତ-ଏ ପାଇଁ ଲଗାତାର ଭଲ ପ୍ରଦର୍ଶନ ପାଇଁ ନଦୀମଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେ ଖେଳିଥିବା ୧୧୦ ପ୍ରଥମଶ୍ରେଣୀ ମ୍ୟାଚ୍ରୁ ୪୨୪ ଵିକେଟ ହାସଲ କରିଛନ୍ତି। ଆଇପିଏଲରେ ମଧ୍ୟ ୬୪ ମ୍ୟାଚ୍ ଖେଳି ୪୨ ଵିକେଟ ହାସଲ କରିଛନ୍ତି। ଏହା ବ୍ୟତୀତ ରଣଜୀ ଟ୍ରଫିର ଲଗାତାର ଦୁଇଟି ସଂସ୍କରଣରେ(୨୦୧୫-୧୬ ଓ ୨୦୧୬-୧୭) ୫୦ରୁ ଅଧିକ ଵିକେଟ ନେବାର ରେକର୍ଡ଼ ମଧ୍ୟ ତାଙ୍କ ନାଁରେ ରହିଛି ।