ଅହମଦାବାଦ: ଭାରତର ଏକତରଫା ବିଜୟ ପରେ ଅହମଦାବାଦରେ ଆଜି ବହୁ ସମୟ ଧରି ଆତସବାଜି ହୋଇଥିଲା। ଫଳରେ ଦୀପାବଳି ପୂର୍ବରୁ ଦୀପାବଳି ପାଳନର ଭ୍ରମ ସୃଷ୍ଟି ହୋଇଥିଲା। ଦର୍ଶକମାନେ ଭାରତ ବିଜୟରେ ମତୁଆଲା ହୋଇ ରାତି ସାରା ଉତ୍ସବ ପାଳୁଥିବା ଦେଖିବାକୁ ମିଳିଥିଲା। ସେପଟେ ପାକିସ୍ତାନୀ ପ୍ରଶଂସକ ପୂରା ନିରାଶ ହୋଇଥିଲେ। ଅନେକ ପାକିସ୍ତାନୀ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ନିଜ ହତାଶାଭାବ ଦର୍ଶାଇ ନିଜ ଦଳକୁ ତୀବ୍ର ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଖେଳାଳିଙ୍କ ସହ ବାବର ଆଜମଙ୍କ ନେତୃତ୍ବ ଶୈଳୀକୁ ସେମାନେ ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ବୋଲର ଓ ବ୍ୟାଟର୍ଙ୍କୁ ପ୍ରଶଂସା କରୁଥିଲେ। ଆଜି ଦର୍ଶକ ଷ୍ଟାଣ୍ଡରେ ବିଗ୍ ବି ଅମିତାଭ ବଚ୍ଚନ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଭିନେତା ବରୁଣ ଧାୱନ, ଅଭିନେତ୍ରୀ ତଥା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ଭାରତ ବିଜୟକୁ ଆହୁରି ସ୍ବତନ୍ତ୍ର କରିଥିଲା।
ହିଟ୍ମ୍ୟାନ୍ଙ୍କ ଛକା ବର୍ଷା
ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଅଧିନାୟକ ରୋହିତ ଶର୍ମା (୮୬)। ଆରମ୍ଭରୁ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିଥିଲେ ସେ। ଏପରିକି ପାକିସ୍ତାନର ପ୍ରମୁଖ ବୋଲିଂ ଅସ୍ତ୍ର ସାହିନ ସାହ ଆଫ୍ରିଦିଙ୍କୁ ଚୌକାରେ ସ୍ବାଗତ କରିଥିଲେ। ତାଙ୍କ ପ୍ରଥମ ବଲ୍କୁ ସୀମାରେଖା ବାହାରକୁ ପଠାଇ ଭାରତର ଖାତା ଖୋଲିଥିଲେ। ନିଜ ଦର୍ଶନୀୟ ପାଳିରେ ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ୬ଟି ଲେଖାଏଁ ଛକା ଚୌକା ମାରିଥିଲେ। କେବଳ ୩୬ ବଲ୍ରୁ ୩ ଚୌକା ଓ ୪ ଛକା ବଳରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଶତକ ପୂରଣ କରିବାର ୧୪ ରନ୍ ପୂର୍ବରୁ ଆଫ୍ରିଦିଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଏହା ପୂର୍ବରୁ ଦିନିକିଆ କ୍ରିକେଟ୍ରେ ୩୦୦ ଛକା ପୂରଣ କରି ନେଇଥିଲେ ରୋହିତ।
ଶୁବମନଙ୍କ ଛୋଟିଆ ପାଳି
ଛୋଟ ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଦୁଇ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍ ପାକିସ୍ତାନ ବୋଲରଙ୍କୁ ଲୟ ପାଇବାର କୌଣସି ସୁଯୋଗ ଦେଇ ନଥିଲେ। ଡେଙ୍ଗୁରେ ପୀଡ଼ିତ ହୋଇ ପ୍ରଥମ ଦୁଇ ମ୍ୟାଚ୍ ଖେଳି ପାରି ନଥିବା ଶୁବମନ ଗିଲ୍ (୧୬) କେତେକ ଦର୍ଶନୀୟ ସଟ୍ ଖେଳି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ନିଜ ୧୧ ବଲ୍ ପାଳିରେ ୪ ଚୌକା ସହ ୧୬ ରନ୍ କରିଥିଲେ ସେ। ଏପରିକି ହାସନ ଅଲ୍ଲୀଙ୍କ ଗୋଟିଏ ଓଭରରେ ତିନିଟି ଚୌକା ଅମଳ କରିଥିଲେ। ତେବେ ଭାରତର ପ୍ରଥମ ୱିକେଟ୍ ଭାବେ ସାହିନ ସାହ ଆଫ୍ରିଦିଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଭାରତ ୧୩ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ଦର୍ଶକଙ୍କ ସବୁ ନଜର ବିରାଟ କୋହଲିଙ୍କ ଉପରେ ଥିଲା। ହେଲେ ସେ ମଧ୍ୟ ସେହି ୧୬ ରନ୍ କରି ପାରିଥିଲେ। କୋହଲି ତିନିଟି ଚୌକା ମାରିଥିଲେ। ତେବେ ହାସନ ଅଲୀଙ୍କୁ ପୁଲ୍ ସଟ୍ ଖେଳୁଥିବା ବେଳେ ମହମ୍ମଦ ନୱାଜଙ୍କ ହାତରେ ଧରାପଡ଼ି ଯାଇଥିଲେ।
ଶ୍ରେୟସଙ୍କ ଦାୟିତ୍ବବାନ ବ୍ୟାଟିଂ
ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲି ନପାରିବା ପରେ ଆଫଗାନିସ୍ତାନ ବିପକ୍ଷରେ ୨୫* ରନ୍ର ପାଳି ଖେଳିଥିଲେ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର। ଆଜି କିନ୍ତୁ ପୂରା ଲୟରେ ଥିଲେ। ପ୍ରଥମେ ରୋହିତ ଶର୍ମା ଏବଂ ପରେ କେଏଲ୍ ରାହୁଲ (୧୯*)ଙ୍କ ସହ ମିଶି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ବ୍ୟକ୍ତିଗତ ଭାବେ ୪୯ ରନ୍ରେ ଥିଲା ବେଳେ ମହମ୍ମଦ ନୱାଜଙ୍କୁ ଚୌକା ମାରି ଅର୍ଦ୍ଧଶତକ ପୂରଣ କରିବା ସହ ଭାରତକୁ ବଡ଼ ବିଜୟ ଉପହାର ଦେଇଥିଲେ। ରାହୁଲ ମଧ୍ୟ ଭଲ ବ୍ୟାଟିଂ କରି ନିଜ ୨୯ ବଲ୍ ପାଳିରେ ୨ଟି ଚୌକା ମାରିଥିଲେ। ଶ୍ରେୟସ ଫର୍ମକୁ ଫେରିବା ଭାରତ ପାଇଁ ଆଉ ଏକ ସକାରାତ୍ମକ ଦିଗ ହୋଇଥିଲା।
ଦିନିକିଆ ଛକାରେ ୩୦୦ ଟପିଲେ ରୋହିତ
ଦିନିକିଆ କ୍ରିକେଟ୍ ଇତିହାସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୃତୀୟ ବ୍ୟାଟର୍ ଭାବେ ୩୦୦ ଛକା ଅତିକ୍ରମ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ୬ ଛକା ମାରି ୩୦୩ ରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ପାକିସ୍ତାନର ସାହିଦ ଆଫ୍ରିଦି (୩୫୧) ଓ ୱେଷ୍ଟଇଣ୍ଡିଜ୍ର କ୍ରିସ ଗେଲ୍ (୩୩୧) ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ରୋହିତଙ୍କ ପଛରୁ ଶ୍ରୀଲଙ୍କାର ସନଥ ଜୟସୁରିୟା (୨୭୦) ଓ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୨୯) ଶୀର୍ଷ ୫ ଜଣଙ୍କ ମଧ୍ୟରେ ଅଛନ୍ତି। ଆଫଗାନିସ୍ତାନ ବିପକ୍ଷ ଗତ ମ୍ୟାଚ୍ରେ ରୋହିତ ୯ ଛକା ମାରିଥିଲେ। ଯାହାଫଳରେ ସେ ୫୫୬ ଛକା ସହ ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ଛକାରେ କ୍ରିସ୍ ଗେଲ୍ (୫୫୩) ଙ୍କୁ ପଛରେ ପକାଇ ଦେଇଥିଲେ।
ଭାରତର ବିପକ୍ଷରେ ବାବରଙ୍କ ପ୍ରଥମ ବିଶ୍ବକପ୍ ଅର୍ଦ୍ଧଶତକ
ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତ ବିପକ୍ଷରେ ଦିନିକିଆ ବିଶ୍ବକପ୍ରେ ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି। ଅବଦୁଲ୍ଲା ସଫିକ୍ ଆଉଟ୍ ହେବା ପରେ ତୃତୀୟ ସ୍ଥାନରେ ବ୍ୟାଟିଂକୁ ଆସିଥିବା ବାବର ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲେ। ଭାରତ ବିପକ୍ଷରେ ଅଷ୍ଟମ ପାଳି ଖେଳୁଥିବା ବାବର ୫୭ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ହେଲେ ପରବର୍ତ୍ତୀ ବଲ୍ରେ ମହମ୍ମଦ ସିରାଜ ତାଙ୍କୁ ବୋଲ୍ଡ କରିଥିଲେ। ଆଉଟ୍ ହେବା ପୂର୍ବରୁ ମହମ୍ମଦ ରିଜୱାନଙ୍କ ସହ ତୃତୀୟ ୱିକେଟ୍ରେ ୮୨ ରନ୍ ଭାଗୀଦାରି କରିଥିଲେ। ବାବର ପୂର୍ବରୁ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପ୍ରଥମ ଥର ଖେଳିଥିଲେ। ସେହିବର୍ଷ ଫାଇନାଲ୍ରେ ବାବର ୪୬ ରନ୍ ସଂଗ୍ରହ କରିଥିଲେ। ଏହାପରେ ୨୦୧୮ ଏସିଆ କପ୍ ଓ ୨୦୧୯ ଦିନିକିଆ ବିଶ୍ବକପ୍ରେ ଦୁଇଥର ୪୦ରୁ ଊର୍ଦ୍ଧ୍ବ ସ୍କୋର କରିଥିଲେ। ଚଳିତ ବିଶ୍ବକପ୍ ପୂର୍ବରୁ ଏସିଆ କପ୍ରେ ବାବରଙ୍କୁ ହାର୍ଦିକ ପାଣ୍ଡ୍ୟା ୧୦ ରନ୍ରେ ଆଉଟ୍ କରିଥିଲେ।