ରୋହିତଙ୍କ ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ

ନୂଆଦିଲ୍ଲୀ: ଯୁବ ବ୍ୟାଟିଂ ତାରକା ଯଶସ୍ବୀ ଜୟସ୍ବାଲ୍‌ ଶନିବାର ରାତିରେ ଭାରତକୁ ବହୁ ଆବଶ୍ୟକ ବିଜୟ ତ ଦେଇଥିଲେ, ଏହି ଅବସରରେ ସେ ମଧ୍ୟ ରୋହିତ ଶର୍ମାଙ୍କ ନାମରେ ଥିବା ୧୩ ବର୍ଷ ତଳର ଏକ ରେକର୍ଡକୁ ଟପି ଯାଇଛନ୍ତି। ଅପରାଜିତ ୮୪ ରନ୍‌ ପାଳି ଖେଳିଥିବା ଯଶସ୍ବୀ ସର୍ବକନିଷ୍ଠ ଭାରତୀୟ ଭାବେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପାଳିରେ ୭୫+ ସ୍କୋର୍‌ କରିଥିଲେ।

ରୋହିତ ୨୦୧୦ରେ ବ୍ରିଜଟାଉନ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୭୯* ରନ୍‌ କରିବାବେଳେ ତାଙ୍କୁ ୨୩ ବର୍ଷ ୭ ଦିନ ହୋଇଥିଲା। ଯଶସ୍ବୀ ୨୧ ବର୍ଷ ୨୨୭ ଦିନ ବୟସ ବେଳେ ୮୪* ରନ୍‌ ପାଳି ଖେଳିଛନ୍ତି। ଏହି ଫର୍ମାଟରେ କିନ୍ତୁ ସର୍ବକନିଷ୍ଠ ଭାରତୀୟ ଭାବେ ଶତକ ହାସଲ କରିବାର କୀର୍ତ୍ତିମାନ ଶୁବମନ ଗିଲ୍‌ଙ୍କ ନାମରେ ରହିଛି। ଚଳିତ ବର୍ଷ ‌ଫେବ୍ରୁଆରି ପହିଲାରେ ଅହମଦାବାଦରେ ଗିଲ୍ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୨୩ ବର୍ଷ ୧୪୬ ଦିନ ବୟସରେ ଥାଇ ୧୨୬* ରନ୍‌ର ପାଳି ଖେଳିଥିଲେ। ପୂର୍ବରୁ ଏହି ରେକର୍ଡ ସୁରେଶ ରାଇନା (୨୩ ବର୍ଷ ୧୫୬ ଦିନ)ଙ୍କ ନାମରେ ଥିଲା। ରାଇନା ୨୦୧୦ରେ ଗ୍ରସ୍ ଆଇସଲେଟ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ରନ୍‌ର ପାଳି ଖେଳିଥିଲେ। ଗିଲ୍‌-ଜୟସ୍ବାଲ୍‌ ମଧ୍ୟ ଶନିବାର ରାତିର ଚତୁର୍ଥ ଟ୍ବେଣ୍ଟି-୨୦ରେ ଖେଳିଥିବା ୧୬୫ ରନ୍‌ର ଭାଗୀଦାରି ଭାରତ ପାଇଁ ପ୍ରଥମ ୱିକେଟ୍‌ରେ ଯୁଗ୍ମ ସର୍ବୋଚ୍ଚ ଥିଲା। କେଏଲ୍ ରାହୁଲ୍‌ ଓ ରୋହିତ ଶର୍ମା ୨୦୧୭ରେ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ପ୍ରଥମ ୱିକେଟ୍ ପାଇଁ ୧୬୫ ରନ୍‌ କରିଥିଲେ। ସମସ୍ତ ୱିକେଟ୍‌ ପାଇଁ କିନ୍ତୁ ଏହା ଦ୍ବିତୀୟ ସ୍ଥାନରେ ରହିଛି।

Cric History

୨୦୨୨ରେ ଡବଲିନ୍‌ରେ ଆୟର୍ଲାଣ୍ଡ୍‌ ବିପକ୍ଷରେ ଦୀପକ ହୁଦା ଓ ସଂଜୁ ସାମସନ୍ ଦ୍ବିତୀୟ ୱିକେଟ୍‌ ଭାଗୀଦାରି ପାଇଁ ସଂଗ୍ରହ କରିଥିବା ୧୭୬ ରନ୍‌ ଶୀର୍ଷରେ ରହିଛି। ଭାରତର ୯ ୱିକେଟ୍‌ ବିଜୟ ମଧ୍ୟ ଭାରତ ପାଇଁ ୱିକେଟ୍‌ ବ୍ୟବଧାନରେ ଷଷ୍ଠ ବୃହତ ବିଜୟ। ୨୦୧୬ରେ ଭାରତ ହରାରେରେ ଜିମ୍ବାୱେକୁ ୧୦ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୫ ଥର ୯ ୱିକେଟ୍‌ରେ ଜିତିଛି।

ସମ୍ବନ୍ଧିତ ଖବର