ଅଭ୍ୟାସ ମ୍ୟାଚ୍‌ରେ ଅଧିନାୟକ: ପାଳି ଆରମ୍ଭ କରିବେ ରୋହିତ

ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଶର୍ମା ଏକ ବଡ଼ ଏବଂ ପରିଚିତ ନାଁ। ବିଶ୍ବକପ୍‌ରେ ହିଁ ୩୨ ବର୍ଷୀୟ ରୋହିତ ପାଞ୍ଚଟି ଶତକ ଅର୍ଜନ କରି ବହୁ ନୂଆ କୀର୍ତ୍ତିମାନ କରିଥିଲେ। ସେ ମଧ୍ୟ ଭାରତୀୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳର ଉପଅଧିନାୟକ ଅଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ କିନ୍ତୁ ସେ ନିଜ ସ୍ଥାନକୁ ଆଶ୍ଚର୍ଯ୍ୟଜନକ ଭାବେ ପକ୍କା କରି ପାରିନାହାନ୍ତି। ୧୨ ବର୍ଷର ଅନ୍ତର୍ଜାତୀୟ ଖେଳ ଜୀବନରେ ରୋହିତ ୨୧୮ ଦିନିକିଆ ମ୍ୟାଚ୍ ଖେଳିଥିଲା ବେଳେ ମାତ୍ର ୨୭ ଟେଷ୍ଟ ଖେଳିଛନ୍ତି। ଚୟନକର୍ତାମାନେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ଲାଗି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେଇ ଆଉ ଏକ ସୁଯୋଗ ଦେଇଛନ୍ତି। ଘରୋଇ ପରିବେଶରେ ରୋହିତ ମଧ୍ୟ ଚୟନକର୍ତାଙ୍କ ଆସ୍ଥାର ସମ୍ମାନ ରଖିବେ ବୋଲି ଆଶା କରାଯାଉଛି। ଏହି ଶୃଙ୍ଖଳା ତାଙ୍କ ଟେଷ୍ଟ ଜୀବନକୁ ନୂଆ ମୋଡ଼ ଦେବ ବୋଲି ପ୍ରଶଂସକ ଆଶା ପୋଷଣ କରିଛନ୍ତି। ରୋହିତ ଏବଂ ରାହୁଲଙ୍କୁ ତୁଳନା କଲେ ରୋହିତଙ୍କ ଢେର ପଛରେ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ରାହୁଲ ୩୬‌ ଟେଷ୍ଟ ଖେଳିଛନ୍ତି। ସେଥିମଧ୍ୟରେ ସେ ୫ ଶତକ ଏବଂ ୧୧ ଅର୍ଧଶତକ ବଳରେ ୨୦୦୬ ରନ୍ କରିଛନ୍ତି। ତେବେ ନିକଟ ଅତୀତରେ ଖେଳିଥିବା ୧୨ ପାଳିରେ ସେ ଅର୍ଧଶତକ ଛୁଇଁ ପାରି ନାହାନ୍ତି। ଏହି ସମୟ ମଧ୍ୟରେ ତାଙ୍କ ରନ୍ ସଂଗ୍ରହ ହାର ମାତ୍ର ୧୭.୭୨ ରହିଛି। ଅନ୍ୟପକ୍ଷରେ ରୋହିତ ୨୭ ଟେଷ୍ଟରୁ ୩ ଶତକ ଏବଂ ୧୦ ଅର୍ଧଶତକ ବଳରେ ୧୫୮୫ ରନ୍ କରିଛନ୍ତି। ରୋହିତ ନିଜେ ପାଳି ଆରମ୍ଭ କରିବାକୁ ଆଗ୍ରହୀ ଥିଲା ବେଳେ ପ୍ରସାଦ ମଧ୍ୟ ଏଥିରେ ତାଙ୍କୁ ସମର୍ଥନ କରିଛନ୍ତି।

ଅଭ୍ୟାସ ମ୍ୟାଚ୍‌ରେ ଅଧିନାୟକ
ତିନି ଟିକିଆ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ବୋର୍ଡ ସଭାପତି ଏକାଦଶ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏକ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ବୋର୍ଡ ସଭାପତି ଏକାଦଶର ନେତୃତ୍ବ ନେବେ। ବିଶାଖାପାଟଣାଠାରେ ଏହି ମ୍ୟାଚ୍ ଚଳିତ ମାସ ୨୬ରୁ ଆରମ୍ଭ ହେବ। ଏଥିରେ ରୋହିତ ନିଜ ବ୍ୟାଟିଂ କଳାକୁ ଆହୁରି ଶାଣିତ କରିବାର ସୁଯୋଗ ପାଇବେ। ମୟଙ୍କ ଅଗ୍ରୱାଲ, କରୁଣ ନାୟର, ସାଦୁର୍ଲ ଠାକୁର, ଉମେଶ ଯାଦବଙ୍କ ଭଳି ପ୍ରମୁଖ ଖେଳାଳି ମଧ୍ୟ ଏହି ମ୍ୟାଚ୍‌ରେ ସାମିଲ ରହିବେ।

ବୋର୍ଡ ସଭାପତି ଏକାଦଶ ଦଳ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚାଲ, ଅଭିମନ୍ୟୁ ଈଶ୍ବରନ୍, କରୁଣ ନାୟର, ସିଦେଶ ଲାଡ୍, କୋନା ଭରତ (ୱିକେଟ୍‌ରକ୍ଷକ), ଜଲଜ ସାକ୍ସେନା, ଧର୍ମେନ୍ଦ୍ର ସିଂହ ଜାଦେଜା, ଅଭେସ ଖାନ୍, ଈଶାନ ପୋରେଲ, ସାଦୁର୍ଲ ଠାକୁର, ଉମେଶ ଯାଦବ।

ସମ୍ବନ୍ଧିତ ଖବର