ରୋହିତ ବାଛିଲେ ଶ୍ରେଷ୍ଠ ୫ ଭାରତୀୟ ବ୍ୟାଟ୍ସମ୍ୟାନ୍: ତେନ୍ଦୁଲକର, ଗାଙ୍ଗୁଲି, ଲକ୍ଷ୍ମଣ, ଦ୍ରାବିଡ଼, ସେହବାଗ

ମୁମ୍ବାଇ: ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଉପଅଧିନାୟକ ରୋହିତ ଶର୍ମା ତାଙ୍କ ପସନ୍ଦର ଶ୍ରେଷ୍ଠ ୫ ଭାରତୀୟ କ୍ରିକେଟର ବାଛିଛନ୍ତି। ତାଙ୍କର ଏହି ବିଶେଷ ତାଲିକାରେ ଆଶାଜନକ ଭାବେ ‘ଫାବ୍ ଫୋର’ ଭାବେ ପରିଚିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ଼ ସ୍ଥାନ ପାଇଛନ୍ତି। ଏମାନଙ୍କ ଛଡ଼ା ରୋହିତ ନିଜ ପସନ୍ଦର ତାଲିକାରେ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି। ସର୍ବକାଳୀନ ଭାରତୀୟ ତାଲିକାରେ କିନ୍ତୁ ଗୁଣ୍ଡାପ୍ପା ବିଶ୍ବନାଥ ଓ ସୁନୀଲ ଗାଭାସ୍କର ସ୍ଥାନ ପାଇବାକୁ ହକ୍‌ଦାର ବୋଲି ରୋହିତ ମତ ରଖିଥିଲେ। ତେବେ ସେ ବଡ଼ ହେଲା ବେଳେ ସଚିନ, ଲକ୍ଷ୍ମଣ, ଗାଙ୍ଗୁଲି ଓ ଦ୍ରାବିଡ଼ଙ୍କ ସହ ସେହବାଗ ସକ୍ରିୟ ଥିଲେ। ସେଥିପାଇଁ ନିଜ ଶ୍ରେଷ୍ଠ ୫ ତାଲିକାରେ ଏମାନଙ୍କୁ ହିଁ ରଖିଥିବା ରୋହିତ ସ୍ପଷ୍ଟ କରି ଦେଇଛନ୍ତି। ଏଥିନେଇ ରୋହିତ କହିଥିଲେ ଯେ ମୁଁ ଯେତେବେଳେ ଛୋଟ ଥିଲି, ବଡ଼ଭାଇ (ସଚିନ)ଙ୍କ ଭଳି କେହି ନଥିଲେ। ମୁଁ କେବଳ ତାଙ୍କୁ ହିଁ ଦେଖୁଥିଲି। ଅବଶ୍ୟ ପରେ ମୁଁ ଅନ୍ୟ ଭାରତୀୟ ଖେଳାଳିଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲି। ୨୦୦୨ ମସିହାର ଇଂଲଣ୍ଡ ଶୃଙ୍ଖଳାରେ ରାହୁଲ ଦ୍ରାବିଡ଼ ଅନେକଗୁଡ଼ିଏ ଶତକ ଅର୍ଜନ କରିଥିଲେ। ମୁଁ କହିବି, ସେହି ଶୃଙ୍ଖଳାରେ ଏକାଧିକ ଭଲ ପାଳି ଦେଖିବାକୁ ମିଳିଥିଲା। ଏହା ପରେ ବୀରୁ ଭାଇ ଆସିଥିଲେ। ଶୀର୍ଷକ୍ରମରେ ସେ ଏଭଳି ବ୍ୟାଟିଂ କରୁଥିଲେ ଯେ ଅଧାରୁ ଅଧିକ ଭୟରେ ତାଙ୍କୁ ବୋଲିଂ କରିବାକୁ ଚାହିଁ ନଥିଲେ। ଲକ୍ଷ୍ମଣ ଓ ଦାଦା ମଧ୍ୟ ମୋତେ ବେଶ୍‌ ପ୍ରଭାବିତ କରିଥିଲେ। ମୁଁ ଖେଳ ଦେଖିଥିବା ଖେଳାଳିଙ୍କ ମଧ୍ୟରେ ଏହିମାନଙ୍କୁ ହିଁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ତାଲିକାରେ ରଖିବି।

ଦୁଇ ତିନିଟି ବିଶ୍ବକପ୍ ଜିତିବା ଲକ୍ଷ୍ୟ
ରୋହିତଙ୍କ ପରବର୍ତୀ ଲକ୍ଷ୍ୟ ହେଲା ଅବସର ନେବା ପୂର୍ବରୁ ଭାରତକୁ ଆଉ ଦୁଇ ତିନିଟି ବିଶ୍ବକପ୍ ଜିତାଇବା। ଭାରତ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ସହ ଆସନ୍ତାବର୍ଷ ଘରୋଇ ମାଟିରେ ଆଉ ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ। ଏହା ଛଡ଼ା ୨୦୨୩ ମସିହାର ୫୦ ଓଭରିଆ ବିଶ୍ବକପ୍ ମଧ୍ୟ ଅଛି। ଏହା ପୂର୍ବରୁ ଭାରତ ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। ତେବେ ଆସନ୍ତା ୩ରୁ୪ ବର୍ଷ ମଧ୍ୟରେ ଖେଳାଯିବାକୁ ଥିବା ତିନିଟି ବିଶ୍ବକପ୍‌ରୁ ଦୁଇଟି ଜିତି ପାରିଲେ ବ୍ୟକ୍ତିଗତ ଭାବେ ସେ ବହୁତ ଖୁସି ହେବେ ବୋଲି ରୋହିତ କହିଛନ୍ତି। ”ଆମେ ଜାଣିଛୁ ଆଗକୁ ତିନିଟି ବିଶ୍ବକପ୍ ଆସୁଛି। ସେଥିମଧ୍ୟରୁ ଆମେ ଦୁଇଟି ବିଶ୍ବକପ୍ ଜିତି ପାରିବୁ। ଏହା ମଧ୍ୟ ମୋର ବ୍ୟକ୍ତିଗତ ଲକ୍ଷ୍ୟ। ଆମେ ଏବେ ଯୁବ ତାରକାଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଛୁ। ସେମାନଙ୍କୁ ଯେମିତି ନିଜ ପ୍ରତିଭାର ପରିପ୍ରକାଶ କରିବା ଲାଗି ଲମ୍ବା ଅବଧି ମିଳେ, ସେଥିନେଇ ଯତ୍ନବାନ ଅଛୁ। ବିଶେଷ କରି ୫, ୬ ଓ ୭ ନମ୍ବରରେ ଖେଳୁଥିବା ଖେଳାଳିଙ୍କୁ ଅଧିକ ସମୟ ଦିଆଯିବ ” ବୋଲି ରୋହିତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର