ବର୍ମିଙ୍ଗ୍ହାମ: ଭାରତୀୟ ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଛନ୍ତି। ଶନିବାର ହୋଇଥିବା ତାଙ୍କ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ପଞ୍ଚମ ତଥା ଇଂଲଣ୍ଡ ବିପକ୍ଷ ଅସମାପ୍ତ ଶୃଙ୍ଖଳାର ଶେଷ ଟେଷ୍ଟ୍ ପୂର୍ବରୁ ଏକାନ୍ତବାସରେ ରହିଛନ୍ତି ବୋଲି ରବିବାର ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଂପାଦକ ଜୟ ଶାହା କହିଛି। ସେ ଦଳୀୟ ହୋଟେଲରେ ଏକାନ୍ତବାସରେ ରହିଛନ୍ତି ଏବଂ ବିସିସିଆଇ ଚିକିତ୍ସକ ଦଳର ତତ୍ତ୍ବାବଧାନରେ ରହିଛନ୍ତି। ଆଜି ମଧ୍ୟ ତାଙ୍କର ଆର୍ଟି-ପିସିଆର୍ ପରୀକ୍ଷା କରାଯିବ। ଏହି ପରୀକ୍ଷାର ଫଳ ଉପରେ ତାଙ୍କ ଟେଷ୍ଟ୍ ଖେଳିବା ନିର୍ଭର କରିବ। ରୋହିତ ଲିସେଷ୍ଟରସାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍ର ପ୍ରଥମ ଦିବସରେ ବ୍ୟାଟିଂ କରିଥିଲେ। ହେଲେ ଦ୍ବିତୀୟ ଦିବସରେ ଆଦୌ ପଡ଼ିଆକୁ ଆସିନଥିଲେ।
ଏହି ଟେଷ୍ଟ୍ ମ୍ୟାଚ୍ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ମିଙ୍ଗ୍ହାମ୍ରେ ଖେଳାଯିବ। କିନ୍ତୁ ରୋହିତ ୬ ଦିନ ଏକାନ୍ତବାସରେ ରହିବେ। ତେଣୁ ଟେଷ୍ଟ୍ରେ ତାଙ୍କର ଖେଳିବା ନେଇ ଆଶଙ୍କା ଉପୁଜିଛି। ସେ ନଖେଳିଲେ ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା କିମ୍ବା ୱିକେଟ୍ରକ୍ଷକ/ବ୍ୟାଟର୍ ଋଷଭ ପନ୍ତ୍ଙ୍କୁ ନେତୃତ୍ବ ଭାର ତୁଲାଇବାକୁ କୁହାଯିବ ବୋଲି ବିସିସିଆଇ କହିଛି। ଅନ୍ୟପକ୍ଷରେ କରୋନା ସଂକ୍ରମିତ ହୋଇଥିବା ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଇତି ମଧ୍ୟରେ ସୁସ୍ଥ ହୋଇ ଇଂଲଣ୍ଡରେ ଦଳ ସହ ଯୋଗ ଦେଇସାରିଛନ୍ତି।
ଭାରତ-ଲିସେଷ୍ଟରସାୟର ଅଭ୍ୟାସ ମ୍ୟାଚ୍ ଅମୀମାଂସିତ
ଲିସେଷ୍ଟର୍: ଲିସେଷ୍ଟର୍ସାୟାର ଓ ଭାରତୀୟ ଏକାଦଶ ମଧ୍ୟରେ ଖେଳାଯାଇଥିବା ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତ ପ୍ରଥମ ପାଳିକୁ ୨୪୬/୮ରେ ଘୋଷଣା କରିଥିଲା ବେଳେ ଲସେଷ୍ଟର୍ସାୟାର ୨୪୪ ରନ୍ କରି ଦୃଢ଼ ଜବାବ ଦେଇଥିଲା। ୨ ରନ୍ ଆଗୁଆ ଥିବା ଭାରତ ଦ୍ବିତୀୟ ପାଳିରେ ୩୬୪/୭ (ଘୋଷିତ) କରିଥିଲା। ଫଳରେ ଲିସେଷ୍ଟର୍ସାୟାର ସମ୍ମୁଖରେ ୩୬୬ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଲିସେଷ୍ଟର୍ସାୟାର ଚତୁର୍ଥ ଦିନ ଶେଷ ସୁଦ୍ଧା ୨୧୯/୪ କରିପାରିଥିଲା। ଲିସେଷ୍ଟର୍ସାୟାର ପକ୍ଷରୁ ଖେଳୁଥିବା ଭାରତୀୟ ବ୍ୟାଟର୍ ଶୁବମନ ଗିଲ୍ ୬୨ ଓ ହନୁମା ବିହାରୀ ୨୬ ରନ୍ କରିଥିଲା ବେଳେ ରବିଚନ୍ଦ୍ରନ ଅଶ୍ବିନ ୨ ଏବଂ ରବୀନ୍ଦ୍ର ଜାଦେଜା ଓ ଶାର୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ପ୍ରଶିଦ୍ଧ କୃଷ୍ଣ, ଯଶପ୍ରୀତ ବୁମ୍ରା, ହନୁମା ବିହାରୀ ଓ ଶୁବମନ ଗିଲ୍ ଉଭୟ ଭାରତ ଓ ଲିସେଷ୍ଟର୍ସାୟର ପକ୍ଷରୁ ଖେଳିଥିଲେ।