ରୋହିତ କାନ୍ଦିଲେ, ଦ୍ରାବିଡ଼ ନିରାଶ

ଆଡିଲେଡ୍‌: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଇଂଲଣ୍ଡ ନିକଟରୁ ୧୦ ୱିକେଟ୍ ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ଅନେକ ସମୟ ଧରି ଏହାକୁ ବିଶ୍ବାସ କରିପାରିନଥିଲେ। ପଡ଼ିଆ ବାହାରୁ ଆସିବା ପରେ ସେ ଗୋଟିଏ ସ୍ଥାନରେ ଅନେକ ସମୟ ଧରି ଆଖିରୁ ଲୁହ ପୋଛିଥିଲେ ଏବଂ ଲୁଚାଇ ଲୁଚାଇ କାନ୍ଦିଥିଲେ। ନିରାଶ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଆସି ରୋହିତଙ୍କ ପାଖରେ ବସି ସାନ୍ତ୍ବନା ଦେଇଥିଲେ। ‘ଏହା ଏକ ବିପର୍ଯ୍ୟୟ ନୁହେଁ, ନିରାଶାଜନକ’ ବୋଲି ଦ୍ରାବିଡ଼ ପ୍ରକାଶ କରିଥିଲେ। ଆମେ କ୍ରିକେଟ୍‌ର ସମସ୍ତ ବିଭାଗରେ ପରାସ୍ତ ହୋଇଗଲୁ। ଇଂଲଣ୍ଡର ଅଭିଜ୍ଞତା ଆଗରେ ଆମେ ହାର୍‌ ମାନିଗଲୁ। ଭାରତୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଲିଗ୍‌ରେ ବିସିସିଆଇ ଅନୁମତି ନଦେବା ଏଠାରେ ଖରାପ ପ୍ରଦର୍ଶନର କାରଣ କି ବୋଲି ପ୍ରଶ୍ନ ହେବାରୁ ଦ୍ରାବିଡ଼ କହିଥିଲେ, ସେଭଳି କୁହାଯାଇପାରିବ ନାହିଁ। ସେଭଳି ନିଷ୍ପତ୍ତି ବିସିସିଆଇ ନେଇ ପାରିବ। କିନ୍ତୁ ଏହା ଦ୍ବାରା ଆମେ ଘରୋଇ କ୍ରିକେଟ୍‌ ବିଶେଷ କରି ରଣଜୀ ଟ୍ରଫି ପ୍ରଭାବିତ ହେବ ଏବଂ ଟେଷ୍ଟ କ୍ରିକେଟ୍‌ ବି ଶେଷ ହୋଇଯିବ।

ଭାରତୀୟ କ୍ରିକେଟ୍ ପାଇଁ ଏହା କଷ୍ଟକର ନିଷ୍ପତ୍ତି ହେବ। ଆମର ବୋଲିଂ ଆକ୍ରମଣକୁ ଗୁରୁବାର ଇଂଲଣ୍ଡ ପ୍ରତିହତ କରିନେଲା ବୋଲି ଦ୍ରାବିଡ଼ ମଧ୍ୟ ସ୍ବୀକାର କରିଥିଲା। ‘ଆମେ ଆଜି ଯେଭଳି ଖେଳିଲୁ ନିଶ୍ଚିତ ଆଶ୍ଚର୍ଯ୍ୟଜନକ’ ବୋଲି କହିଥିଲେ ରୋହିତ ଶର୍ମା। ଆଡିଲେଡ୍‌ ଏଭଳି ପିଚ୍‌ ନୁହେଁ ଯେଉଁଠି ୧୬୮ ରନ୍‌ ୧୬ ଓଭରରେ ପଶ୍ଚାତଧାବନ ହୋଇଯିବ। ଆମେ ଭଲ ବ୍ୟାଟିଂ କରିଥିଲୁ, ବୋଲିଂ କିନ୍ତୁ ଯୋଜନାଠାରୁ ଭିନ୍ନ ଥିଲା। ଠିକଣା ଯାଗାରେ ବୋଲିଂ କରିପାରିଲୁ ନାହିଁ। ବୋଲିଂ ଯୋଜନାର ସଠିକ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ନକ୍ ଆଉଟ୍ ମ୍ୟାଚ୍‌ ବେଳେ ଚାପକୁ ହାତେଇବା ଗୁରୁତ୍ବପୂର୍ଣ୍ଣ କଥା। ଚାପକୁ ହାତେଇବା କାହାକୁ ବି ଶିଖାଇ ହୁଏ ନାହିଁ। ଏହି ପିଲାମାନେ ଆଇପିଏଲ୍‌ ଖେଳିବା ବେଳେ ହାଇପ୍ରେସର୍‌ ମ୍ୟାଚ୍‌ରେ ବି ମୁକାବିଲା କରିପାରୁଛନ୍ତି’ ବୋଲି ରୋହିତ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ନିକଟରୁ ପରାସ୍ତ ପରେ ଦଳର ଖେଳାଳିମାନେ ଚମତ୍କାର ଚରିତ୍ର ଦେଖାଇଛନ୍ତି କହିଥିଲେ, ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍‌। ଆଦିଲ ରସିଦ୍‌ ପ୍ରତି ବଲରେ ୱିକେଟ୍ ନେବା ଭଳି ବୋଲିଂ କରୁଥିଲେ। ପ୍ରଥମ ମ୍ୟାଚ୍‌ ଖେଳି କ୍ରିସ୍ ଜୋର୍ଡାନ୍‌ ବି ପ୍ରଭାବୀ ରହିଲେ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ। ଭାରତର ପରାଜୟ ସହିତ ଏହି ୧୪୦ କୋଟି ଦେଶର ଆଇସିସି ଟ୍ରଫି ବିହୀନ ଯାତ୍ରା ଗୋଟିଏ ଦଶନ୍ଧି ଟପିବା ନିଶ୍ଚିତ ହୋଇଗଲା।

ସମ୍ବନ୍ଧିତ ଖବର