ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ମାତ୍ର ୧୦ ରନ୍ କରିପାରିଥିଲେ। ହେଲେ ଏହି ପାଳି ଅବସରରେ ସେ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ଓ ଅଧିନାୟକ ବିରାଟ କୋହଲିଙ୍କ କୀର୍ତ୍ତିମାନକୁ ପଛରେ ପକାଇଛନ୍ତି। ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ଦ୍ରୁତ ୧୦୦୦ ରନ୍ କରିବାରେ ରୋହିତ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୧୮ ମ୍ୟାଚ୍ ଖେଳି ଏହି କୀର୍ତ୍ତିମାନ ରଚିଛନ୍ତି। ପୂର୍ବରୁ ସଚିନ ଓ କୋହଲି ଘରୋଇ ପଡ଼ିଆରେ ୧୯ ଲେଖାଏଁ ମ୍ୟାଚ୍ ଖେଳି ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ୍ ପୂରଣ କରିଥିଲେ। ତେବେ ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୦ ମ୍ୟାଚ୍ରୁ ୧୫୬୧ ରନ୍ କରି ସଚିନ୍ ସବୁଠୁ ଅଧିକ ରନ୍ ଭିତ୍ତିରେ ଶୀର୍ଷରେ ରହିଥିଲା ବେଳେ କୋହଲି ୧୯ ମ୍ୟାଚ୍ରୁ ୧୦୩୨ ରନ୍ କରିଛନ୍ତି। ଏମାନଙ୍କ ପଛକୁ ରୋହିତ ତୃତୀୟରେ ରହିଥିଲା ବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୦ ମ୍ୟାଚ୍ରୁ ୯୨୬ ରନ୍ କରି ଚତୁର୍ଥରେ ଅଛନ୍ତି। ଏହି କୀର୍ତ୍ତି ଅବସରରେ କୋହଲି ୫ ଶତକ ଜମାଇ ଆଗରେ ରହିଥିଲା ବେଳେ ସଚିନ ୪ ଓ ରୋହିତଙ୍କ ଶତକ ସଂଖ୍ୟା ୩ ରହିଛି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୩୮ ମ୍ୟାଚ୍ ଖେଳି ୨୦୪୭ ରନ୍ କରିଛନ୍ତି। ଯାହାକି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ତୁଳନାରେ ସର୍ବାଧିକ। ଅନ୍ୟପକ୍ଷରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡ ଏକଦିବସୀୟ ଦଳର ଅଧିନାୟକ ଇଅନ ମୋର୍ଗାନ ତାଙ୍କ ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୫ ମ୍ୟାଚ୍ରୁ ୧୦୦୦ ରନ୍ ପୂରଣ କରିଥିଲେ।
ସଚିନ ଓ କୋହଲିଙ୍କୁ ପଛରେ ପକାଇଲେ ରୋହିତ, ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ୍
/sambad/media/post_attachments/wp-content/uploads/2019/12/rohit-sharma-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)