ରୋହିତ-ଧାଓ୍ଵନଙ୍କ ଦୁବାଇ ଧମାକା

ଭାରତ ୯ ଓ୍ଵିକେଟ୍‌ରେ ବିଜୟୀ, ପୁଣି ପାକିସ୍ତାନର ଆତ୍ମସମର୍ପଣ

ଦୁବାଇ: ପାକିସ୍ତାନକୁ ଭାରତ ପୁଣି ଥରେ ଧୂଳି ଚଟାଇଛି। ଚଳିତ ଏସିଆ କପ୍‌ରେ ଚିର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ମାତ୍ର ୪ ଦିନ ଭିତରେ ଦୁଇଟି ଏକତରଫା ବିଜୟ ହାସଲ କରିଛି। ବୁଧବାରର ପ୍ରଥମ ମହା ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ପାକିସ୍ତାନକୁ ଦଳିଥିଲା। ରବିବାର ଦ୍ୱିତୀୟ ଟକ୍କରରେ ଆହୁରି ଧମାକାଦାର କ୍ରିକେଟ୍‌ ଖେଳି ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ସେହିଭଳି ସୁପରଫୋର୍‌ରେ ଦୁଇଟି ବିଜୟ ହାସଲ କରି ଫାଇନାଲରେ ଗୋଟିଏ ପାଦ ଥୋଇଛି।

ଯୁଗଳ ଶତକରେ ଜମେଇଲେ
ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ପାକିସ୍ତାନ ଲଗାତାର ଦ୍ୱିତୀୟ ଥର ପାଇଁ ଆତ୍ମସମର୍ପଣ କରିଥିଲା। ରବିବାର ମନ୍ଥର ଆରମ୍ଭ କରିବା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ମାତ୍ର ୨୩୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହା ପରେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା (୧୧୧* ରନ୍‌, ୧୧୯ ବଲ୍‌, ୭ ଚୌକା, ୪ ଛକା) ଏବଂ ଶିଖର ଧାଓ୍ଵନ (୧୧୪ ରନ୍‌, ୧୦୦ ବଲ୍‌, ୧୬ ଚୌକା, ୨ ଛକା) ପାକିସ୍ତାନୀ ବୋଲରଙ୍କ ଉପରେ ପୂରା ରାଜୁତି କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍‌ରେ ୨୧୦ ରନ୍‌ ସଂଗ୍ରହ କରି ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ସବୁ ପାକିସ୍ତାନ ବୋଲରଙ୍କୁ ଦୁଇ ଜଣ ଯାକ ମିଳି ମିଶି ନିର୍ମମ ଧୂଲେଇ କରିଥିଲେ। ଭାରତ ଦ୍ରୁତ ଗତିରେ ୧୦ ଓ୍ଵିକେଟ୍‌ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଧାଓ୍ଵନ ଟିକିଏ ଅନ୍ୟମନସ୍କ ହୋଇ ରନ୍‌ ଆଉଟ୍‌ ହୋଇ ଯାଇଥିଲେ। ହେଲେ ଅଧିନାୟକ ରୋହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସୋଏବ ମଲ୍ଲିକଙ୍କ ବଲ୍‌ରେ ଏକ ରନ୍‌ ସଂଗ୍ରହ କରି ଅମ୍ବାତି ରାୟୁଡୁ (୧୨*) କିନ୍ତୁ ଭାରତର ଆଉ ଏକ ସହଜ ବିଜୟରେ ମୁଣ୍ଡି ମାରିଥିଲେ। ସେ ମଧ୍ୟ ନିଜ ୩୩ତମ ଜନ୍ମ ଦିବସକୁ ସ୍ମରଣୀୟ କରିଥିଲେ। ରୋହିତ ତାଙ୍କ ଶତକୀୟ ପାଳି ଭିତରେ ଦିନିକିଆରେ ୭,୦୦୦ ରନ୍‌ ପୂରଣ କରିଥିଲେ। ୧୦.୩ ଓଭର ପୂର୍ବରୁ ବିଜୟୀ ହୋଇଥିବା ଭାରତ ଏସିଆ କପ୍‌ରେ ପାକିସ୍ତାନକୁ ଅଷ୍ଟମ ଥର ପାଇଁ ପରାସ୍ତ କଲା। ଧାଓ୍ଵନ ତାଙ୍କ ଧମାକାଦାର ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଶୃଙ୍ଖଳିତ ବୋଲିଂ ପାଇଁ ସହଜ ଲକ୍ଷ୍ୟ
ଓ୍ଵିକେଟ୍‌ ବଞ୍ଚାଇବା ଲାଗି ପାକିସ୍ତାନ ଆଜି ଯୋଜନାବଦ୍ଧ ଭାବେ ପ୍ରଥମ ୧୦ ଓଭରରେ ମନ୍ଥର ବ୍ୟାଟିଂ କରିଥିଲା। ହେଲେ ଫଳପ୍ରଦ ହେବା ପୂର୍ବରୁ ଭାରତୀୟ ସ୍ପିନ୍‌ ଯୋଡ଼ି ଚହଲ-କୁଲଦୀପ ଏହି ଯୋଜନାକୁ ଏକପ୍ରକାର ପଣ୍ଡ କରି ଦେଇଥିଲେ। ଅଷ୍ଟମ ଓଭରର ଶେଷ ବଲ୍‌ରେ ଇମାମ ଉଲ୍‌ ହକ (୧୦)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଚହଲ ପାକିସ୍ତାନ ପ୍ରାରମ୍ଭିକ ଯୋଡ଼ିକୁ ଭାଙ୍ଗି ଦେଇଥିଲେ। ପ୍ରଥମ ୧୦ ଓଭରରେ ପାକିସ୍ତାନ ତାଙ୍କ ଓ୍ଵିକେଟ୍‌ ହରାଇ ମାତ୍ର ୨୮ ରନ୍‌ କରିଥିଲା। ସେହିଭଳି ଫକର ଜମନ (୩୧) ବିପଜ୍ଜନକ ହେବା ପୂର୍ବରୁ କୁଲଦୀପଙ୍କ କମାଲରେ ପାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ୩ ରନ୍‌ ପରେ ବାବର ଆଜମ (୯) ରନ୍‌ ଆଉଟ୍‌ ହେବା ପାକିସ୍ତାନ ପାଇଁ ଆଉ ଏକ ବଡ଼ ଝଟ୍‌କା ଥିଲା। ୫୮ ରନ୍‌ରେ ୩ ଓ୍ଵିକେଟ୍‌ ହରାଇବା ପରେ ଅଧିନାୟକ ସର୍ଫରାଜ ଅହମ୍ମଦ (୪୪) ଓ ପୂର୍ବତନ ଅଧିନାୟକ ସୋଏ ମଲ୍ଲିକ (୭୮) ପାଳି ସଜାଡ଼ିବାକୁ ଚେଷ୍ଟା କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ୧୦୭ ରନ୍‌ ଯୋଡ଼ି ଏଥିରେ କେତେକାଂଶରେ ସଫଳ ହୋଇଥିଲେ। ହେଲେ ଠିକଣା ସମୟରେ ସର୍ଫରାଜଙ୍କୁ ପ୍ୟାଭିଲିୟନ ଫେରାଇବା ପରେ ଶେଷ ୧୦ ଓଭରରେ ଭାରତ ପୁଣି ଥରେ ମ୍ୟାଚ୍‌କୁ ଫେରିଥିଲା। ସୋଏବ-ଆସିଫ ଅଲ୍ଲୀ ଭୁବନେଶ୍ୱର କୁମାରଙ୍କ ଗୋଟିଏ ଓଭରରୁ ୨୨ ରନ୍‌ ଅମଲ କରିବା ସତ୍ତ୍ୱେ ପାକିସ୍ତାନ ଶେଷ ୧୦ ଓଭରରେ ୬୮ ରନ୍‌ ସଂଗ୍ରହ କରି ପାରିଥିଲା। ଏହା ପୂର୍ବରୁ ଅବଶ୍ୟ ଭାରତୀୟ ସ୍ପିନରଙ୍କର ସଠିକ୍‌ ମୁକାବିଲା କରି ସୋଏବ ନିଜ ୪୩ତମ ଅର୍ଧଶତକ ପୂରଣ କରିଥିଲେ। ଅଧିକ କ୍ଷତି ଘଟାଇବା ପୂର୍ବରୁ ବୁମରା ତାଙ୍କୁ ଧୋନିଙ୍କ ହାତରେ କ୍ୟାଚ୍‌ କରାଇ ଭାରତକୁ ଆଶ୍ୱସ୍ତ କରିଥିଲେ। କେତେକ ଦର୍ଶନୀୟ ସଟ୍‌ ଖେଳିଥିବା ଆସିଫ (୩୦) ଙ୍କୁ କ୍ଲିନ୍‌ ବୋଲ୍ଡ କରି ଚହଲ ଦିନିକିଆରେ ୫୦ ଓ୍ଵିକେଟ୍‌ ପୂରଣ କରିଥିଲେ। ବୁମ୍‌ରା ଶେଷ ଆଡ଼କୁ ଘନ ଘନ ୟର୍କର ମାରି ପାକିସ୍ତାନ ନିମ୍ନକ୍ରମକୁ ପୂରା ଘାଇଲା କରି ଦେଇଥିଲେ। ଭୁବନେଶ୍ୱର ମଧ୍ୟ ସଫଳ ପ୍ରତ୍ୟାବର୍ତନ କରି ପାକିସ୍ତାନକୁ ୨୩୭/୭ରେ ସୀମିତ ରଖି ଦେଇଥିଲେ। ବୁମ୍‌ରା, ଚହଲ ଓ କୁଲଦୀପ କିନ୍ତୁ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର