ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ନିଜ ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ରବିବାର ଦୁବାଇରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ଶେଷ ଗ୍ରୁପ୍‌ ମ୍ୟାଚ୍‌ ପୂର୍ବରୁ ଭାରତ ସ୍ଥାନୀୟ ଆଇସିସି ଏକାଡେମି ଗ୍ରାଉଣ୍ଡରେ ହାଲକା ଅଭ୍ୟାସ ଆରମ୍ଭ କରିଦେଇଛି। ଅଧିନାୟକ ରୋହିତ ଶର୍ମା ଫିଟ୍‌ନେସ ଡ୍ରିଲ୍‌ କରିଥିଲେ। କିନ୍ତୁ ନେଟ୍‌ ବ୍ୟାଟିଂ ଅଭ୍ୟାସଠୁ ଦୂରେଇ ରହିଥିଲେ। ସେ ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକଙ୍କ ସହ ସମୟ କଟାଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତଙ୍କ ମାଂସପେଶୀ ଟାଣି ହେବାରୁ ପ୍ରାୟ ୧୦ ଓଭର କ୍ଷେତ୍ରରକ୍ଷଣ କରି ନଥିଲେ। କିନ୍ତୁ ବ୍ୟାଟିଂକୁ ଆସି ୧୫ ବଲ୍‌ରୁ ୨୦ ରନ୍‌ କରିଥିଲେ। ନେଟ୍‌ ଅଭ୍ୟାସ କରି ନଥିଲେ ମଧ୍ୟ ସେ କିନ୍ତୁ ପୂରା ଅଧିବେଶନ ବେଳେ ଉପସ୍ଥିତ ରହି ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। 

Advertisment

ପାକିସ୍ତାନ ବିପକ୍ଷ‌ରେ ମ୍ୟାଚ୍‌ ବିଜୟୀ ଶତକୀୟ ପାଳି ଖେଳିଥିବା ତାରକା ବ୍ୟାଟର୍‌ ବିରାଟ ‌କୋହଲି ନେଟ୍‌ରେ ସ୍ପିନର ଓ ପେସର୍‌ଙ୍କ ବିପକ୍ଷରେ ଅତିରିକ୍ତ ଅଭ୍ୟାସ କରିଥିଲେ। ବିଶେଷ କରି ସେ ଟାକ୍‌ଲିଂ ସ୍ପିନ୍‌ ଓପରେ ଅଧିକ ଧ୍ୟାନ ଦେଇଥିଲେ। ସେ ଭାରତୀୟ ସ୍ପିନର୍‌ଙ୍କ ସହ ‌ସ୍ଥାନୀୟ ବୋଲରଙ୍କୁ ସାମ୍ନା କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳି ନଥିବା ଋଷଭ ପନ୍ତ ମଧ୍ୟ ୱିକେଟ୍‌କିପିଂ ସହ ବ୍ୟାଟିଂ ଅଭ୍ୟାସ ଉପରେ ଜୋର୍‌ ଦେଇଥିଲେ। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସଟ୍‌ପିଚ୍‌ ବଲ୍‌ ଉପରେ ଅଧିକ ଅଭ୍ୟାସ କରିଥିଲେ। ତିନି ଦ୍ରୁତ ବୋଲର ମହମ୍ମଦ ସାମି, ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ସେମାନଙ୍କ ଲାଇନ୍‌ ଓ ଲେନ୍ଥକୁ ସଜାଡ଼ିବାରେ ଲାଗିଥିଲେ। ଏହି ଅଭ୍ୟାସ ଅଧିବେଶନରେ ଶୁବମନ ଗିଲ୍‌ଙ୍କୁ ଦେଖିବାକୁ ମିଳି ନଥିଲା। ଭାରତ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରି ସାରି ଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ବେଞ୍ଚ୍‌ ଷ୍ଟ୍ରେନ୍ଥ୍ ପରୀକ୍ଷା କରିବାର ସମ୍ଭାବନା ରହିଛି।