ବିରାଟ କୀର୍ତ୍ତିର ସମକକ୍ଷ ହେଲେ ରୋହିତ

ରାଞ୍ଚି: ବିରାଟ କୋହଲିଙ୍କ ଏକ ଟ୍ବେଣ୍ଟି-୨୦ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି ନୂଆ ଅଧିନାୟକ ରୋହିତ ଶର୍ମା। ଶୁକ୍ରବାର ରାତିରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଅର୍ଦ୍ଧଶତକ ହାସଲ ପରେ ରୋହିତ ପୂର୍ବ ଅଧିନାୟକ କୋହଲିଙ୍କ ସର୍ବାଧିକ ୨୯ଟି ୫୦+ ସ୍କୋର୍‌ର ସମକକ୍ଷ ହୋଇଥିଲେ। ‌ରୋହିତ ୫ ଛକା ସହାୟତାରେ ୩୬ ବଲ୍‌ରୁ ୫୫ ରନ୍‌ କରିଥିଲେ। ଭାରତ ୭ ୱିକେଟ୍‌ରେ ବିଜୟୀ ହେବା ସହ ଶୃଙ୍ଖଳା କବ୍‌ଜା କରିଥିଲା। ରୋହିତ ନିଜର ୧୧୮ତମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଏହି ମାଇଲଖୁଣ୍ଟ ଛୁଇଁଥିବା ବେଳେ କୋହଲି କିନ୍ତୁ ମାତ୍ର ୯୧ ମ୍ୟାଚ୍‌ରୁ ଏହା କରିଥିଲେ। ଏହି ଅବସରରେ କେଏଲ୍ ରାହୁଲ ନିଜ ୧୬ତମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିବା ସହ ରୋହିତଙ୍କ ସହ ୧୧୭ ରନ୍‌ ଭାଗୀଦାରି କରିଥିଲେ। କ୍ରମାଗତ ୫ ପାଳିରେ ୫୦+ ଭାଗୀଦାରି କରି ସେମାନେ ବାବର ଆଜମ-ମହମ୍ମଦ ରିଜୱାନଙ୍କ କୀର୍ତ୍ତିମାନର ମଧ୍ୟ ସମକକ୍ଷ ହୋଇଥିଲେ। ସେହିଭଳି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ମୋଟ ୧୩ଟି ଶତକୀୟ ଭାଗୀଦାରିରେ ରୋହିତ ସମ୍ପୃକ୍ତ ରହିଛନ୍ତି। ଏହି କ୍ରମରେ ସେ ବାବର ଆଜମ ଓ ମାର୍ଟିନ ଗପ୍ଟିଲ୍ (୧୨) ଏବଂ ଡେଭିଡ୍ ୱାର୍ଣ୍ଣର (୧୧)ଙ୍କୁ ପଛରେ ପକାଇଛନ୍ତି।

ସମ୍ବନ୍ଧିତ ଖବର