ଖେଳରତ୍ନ ପାଇଁ ରୋହିତ ଓ ଭିନେଶଙ୍କ ସହ ୪ ନାମ ସୁପାରିସ

ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୨୮ ଜଣଙ୍କ ନା ସୁପାରିସ

ନୂଆଦିଲ୍ଲୀ: ତାରକା କ୍ରିକେଟର୍‌ ରୋହିତ ଶର୍ମା ଏବଂ ଚର୍ଚ୍ଚିତ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌ଙ୍କ ସହିତ ମୋଟ ୪ ଆଥ୍‌ଲେଟ୍‌ଙ୍କ ନାମ ଚଳିତ ବର୍ଷ ପାଇଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ନିମନ୍ତେ କ୍ରୀଡ଼ା ମନ୍ତ୍ରଣାଳୟର ୧୨ ଜଣିଆ ସଦସ୍ୟ ବିଶିଷ୍ଟ ମନୋ‌ନୟନ ସମିତି ମଙ୍ଗଳବାର ସୁପାରିସ କରିଛି। ରୋହିତ ଓ ଭିନେଶଙ୍କ ବ୍ୟତୀତ ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବା ଅନ୍ୟ ଦୁଇ ଆଥ୍‌ଲେଟ୍‌ ହେଲେ ମହିଳା ଟେବୁଲ ଟେନିସ୍‌ ତାରକା ମନିକା ବାତ୍ରା ଏବଂ ରିଓ ପାରାଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଉଚ୍ଚ ଡିଆଁଳି ମାରିଆପ୍ପାନ ଥାଙ୍ଗାଭେଲ୍ଲୁ। ରୋହିତ ବିଶେଷକରି ବିଶ୍ବକପ୍‌ରେ ୫ ଶତକ ପାଇଁ ସ୍ବୀକୃତି ପାଇଥିଲା ବେଳେ ଭିନେଶଙ୍କୁ ୨୦୧୮ ରାଜ୍ୟଗୋଷ୍ଠୀ ଓ ଏସୀୟ କୀଡ଼ାରେ ସ୍ବର୍ଣ୍ଣ ସାଙ୍ଗକୁ ୨୦୧୯ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଁ ଖେଳରତ୍ନ ପୁରସ୍କାର ପାଇଁ ଯୋଗ୍ୟ ବୋଲି କୁହାଯାଉଛି। ସେହିପରି ଥାଙ୍ଗାଭେଲ୍ଲୁ ୨୦୧୬ ରିଓ ପାରାଲିମ୍ପିକ୍ସ‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ବେଳେ ମନିକା ବାତ୍ରା ମହିଳା ଏକକ ବର୍ଗରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତି ଖେଳରତ୍ନର ଅନ୍ୟତମ ଦାବିଦାର ପାଲଟିଛନ୍ତି।

ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର, ନିକଟରେ ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିଥିବା ମହେନ୍ଦ୍ର ସିଂହ ଧୋନି ଏବଂ ଏବର ଅଧିନାୟକ ବିରାଟ କୋହଲିଙ୍କ ପରେ ୩୩ ବର୍ଷ ବୟସ୍କ ରୋହିତ ଶର୍ମା ଖେଳରତ୍ନ ପାଇବାରେ ଚତୁର୍ଥ କ୍ରିକେଟର୍‌ ହେବେ। କ୍ରିକେଟର୍‌ ଭାବେ ତେନ୍ଦୁଲକର ୧୯୯୮, ଧୋନି ୨୦୦୭ ଏବଂ କୋହଲି ୨୦୧୮ରେ ଖେଳରତ୍ନ ପୁରସ୍କାର ହାତେଇ ସାରିଛନ୍ତି। ଉଭୟ ତେନ୍ଦୁଲକର ଓ ଧୋନି ଏକାକି ଏହି ପୁରସ୍କାର ହାସଲ କରିଥିଲା ବେଳେ କୋହଲି ଯୁଗ୍ମ ଭାବେ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କ ସହ ଖେଳରତ୍ନ ହୋଇଥିଲେ। ତେବେ ଏହି ସର୍ବୋଚ୍ଚ ପୁରସ୍କାର ନିମନ୍ତେ ଦ୍ବିତୀୟ ଥର ପାଇଁ ସମିତି ଏକକାଳୀନ ୪ ଜଣ କ୍ରୀଡ଼ାବିତ୍‌ଙ୍କ ନା ସୁପାରିସ କରିଛି। କାରଣ ଏହାପୂର୍ବରୁ ୨୦୧୬ରେ ମଧ୍ୟ ସମାନ ସଂଖ୍ୟକ ୪ ଜଣଙ୍କୁ ଖେଳରତ୍ନ ମିଳିଥିଲା। ସେହି ୪ ଜଣ ଥିଲେ ବ୍ୟାଡ୍‌ମିଣ୍ଟନ ଲଳନା ପିଭି ସିନ୍ଧୁ, ଜିମ୍ନାଷ୍ଟ ଦୀପା କର୍ମକାର, ବନ୍ଧୁକଚାଳକ ଜିତୁ ରୟ ଏବଂ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ।

ଉଚ୍ଚତମ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମୁକୁନ୍ଦକମ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ ସମିତିର ସଦସ୍ୟ ଭାବେ ପ୍ରମୁଖ କ୍ରୀଡ଼ାବିତ୍‌ ବୀରେନ୍ଦ୍ର ସେହବାଗ୍‌ (କ୍ରିକେଟ୍‌), ସର୍ଦାର ସିଂହ (ହକି), ମୋନାଲିସା ବରୁଆ ମେହଟା (ଟେବୁଲ ଟେନିସ୍‌), ଦୀପା ମଲ୍ଲିକ (ପାରା ଆଥ୍‌ଲେଟ୍‌), ଭେଙ୍କଟେସାନ୍‌ ଦେବରାଜନ୍‌ (ବକ୍ସିଂ)ଙ୍କ ସାଙ୍ଗଙ୍କୁ ଜଣାଶୁଣା ଗଣମାଧ୍ୟମ ବ୍ୟକ୍ତିତ୍ବ, ମନୀଷ ବଟଭିଅ (କ୍ରୀଡ଼ା ଭାଷ୍ୟକାର) ଏବଂ ଆଲୋକ ସିହ୍ନା ଓ ନୀରୁ ଭାଟିଆ (କ୍ରୀଡ଼ା ସାମ୍ବାଦିକ) ରହିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀ ଭାବେ ସନ୍ଦୀପ ପ୍ରଧାନ (ସାଇ ମହାସଚିବ), ଏଲ୍‌ଏସ୍‌ ସିଂହ (କ୍ରୀଡ଼ା ବିକାଶ ଉପସଚିବ) ଏବଂ କମାଣ୍ଡର ରାଜେଶ ରାଜଗୋପାଳନ୍‌ (ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ୍‌ ସ୍କିମ୍‌ର ସିଇଓ) ଏହି କମିଟିର ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ସୋମବାର କ୍ରୀଡ଼ା ମନ୍ତ୍ରଣାଳୟର ମନୋ‌ନୟନ କମିଟି ଚଳିତ ବର୍ଷର ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ମୋଟ ୨୮ ଜଣଙ୍କ ନା ସୁପାରିସ କରିଥିଲା। କମିଟି ସୋମବାର ଏକ ବୈଠକ ପରେ ଦ୍ରୋଣାଚାର୍ଯ୍ୟ ପାଇଁ ୧୩ ଏବଂ ଧ୍ୟାନଚାନ୍ଦ ପାଇଁ ୧୫ ଜଣିଆ ତାଲିକା ସୁପାରିସ କରିଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ସୁପାରିସ ତାଲିକାରେ ପ୍ରମୁଖ ନା ମଧ୍ୟରେ ଜୁଡେ ଫେଲିକ୍ସ, ରମେଶ ପଠାଣିଆ, ଯସ୍‌ପାଲ ରାଣା ଓ କୁଲ୍‌ଦୀପ ହଣ୍ଡୁ ରହିଛନ୍ତି।

ସମ୍ବନ୍ଧିତ ଖବର