ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରୋହିତ ଶର୍ମା ଆମେରିକାରେ ବେସ୍‌ବଲ୍‌ ଖେଳିବେ। ସେଠାକାର କ୍ଲବ୍‌ ସ୍ତରୀୟ ବେସ୍‌ବଲ୍‌ ମ୍ୟାଚ୍‌ରେ ପ୍ରଥମ ବଲ୍‌ ଫିଙ୍ଗିବେ। ଏହା କରିବାରେ ସେ ପ୍ରଥମ ଭାରତୀୟ କ୍ରିକେଟର ହେବେ। ଚଳିତ ବର୍ଷର ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେଇଥିବା ରୋହିତ ଆମେରିକାନ୍‌ ମେଜର ବେସବଲ୍‌ ଲିଗ୍‌ରେ ସିଆଟେଲ୍‌ ମାରିନର୍ସ ପକ୍ଷରୁ ଏହି କାମ କରିବେ। ମାରିନର୍ସର ଘରୋଇ ପଡ଼ିଆ ସାଫେକୋ ଫିଲ୍ଡରେ ରବିବାର ଭାରତୀୟ ସମୟ ଅପରାହ୍ନ ଗୋଟାଏରେ ରୋହିତ ଅତିଥି ଭାବେ ଯୋଗ ଦେଇ ଟମ୍ପା ବେ ରେଜ୍‌ ଦଳ ବିପକ୍ଷ ମ୍ୟାଚ୍‌ର ଉଦଘାଟନୀ ବଲ୍‌ ଫିଙ୍ଗିବେ। ରୋହିତ ସଂପ୍ରତି ତିନିଟି ଆମେରିକୀୟ ସହର ସାନ୍‌ ଫ୍ରାନସିସ୍କୋ, ସିଆଟେଲ୍‌ ଏବଂ ଲସ୍‌ ଏଞ୍ଜେଲ୍ସ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ପ୍ରଶଂସକଙ୍କୁ ଭେଟିବା ସହ କେତେକ କ୍ରିକେଟ୍‌ କର୍ମଶାଳାରେ ମଧ୍ୟ ଯୋଗଦେବେ।