ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ରେ କୋହଲିଙ୍କ କୀର୍ତ୍ତିମାନ ଟପିବେ ରୋହିତ

ଅଭ୍ୟାସ ବେଳେ ରୋହିତ ଆହତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନେତୃତ୍ବ ଭାର ମିଳିଛି। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିବାର ବିଶ୍ବ କୀର୍ତ୍ତିମାନ ଏବେ କୋହଲିଙ୍କ ନାମରେ ରହିଛି। ସେ ୬୭ ପାଳିରୁ ୨୪୫୦ ରନ୍‌ କରିଛନ୍ତି। ତାଙ୍କ ପଛକୁ ରୋହିତ ଶର୍ମା (୯୦ ପାଳି, ୨୪୪୩ ରନ୍‌) ଦ୍ବିତୀୟରେ ରହିଛନ୍ତି। ଫଳରେ କୋହଲିଙ୍କଠରୁ ରୋହିତ ଏବେ ୭ ରନ୍‌ ପଛରେ ରହିଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଶୃଙ୍ଖଳା ଖେଳୁନଥିବାରୁ ତାଙ୍କ ବିଶ୍ବ କୀର୍ତ୍ତିମାନ ଟପିବା ପାଇଁ ରୋହିତଙ୍କୁ ଆଉ ୮ ରନ୍‌ ଦରକାର। ଯାହାକି ଦିଲ୍ଲୀରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କୁ ଟପିବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ ରହିଛି। ୮ ରନ୍‌ କରିପାରିଲେ ରୋହିତ ହିଁ ଏହି ଫଟାଫଟ୍‌ ଫର୍ମାଟ୍‌ରେ ସର୍ବାଧିକ ରନ୍‌ କରିବାର ବିଶ୍ବ କୀର୍ତ୍ତିମାନ ରଚିବେ। ଉଭୟ କୋହଲି ଓ ରୋହିତଙ୍କ ପଛକୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିଥିବା ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲ (୨୨୮୫ ରନ୍‌, ୭୬ ପାଳି), ପାକିସ୍ତାନର ସୋଏବ୍‌ ମଲ୍ଲିକ (୨୨୬୩ ରନ୍‌, ୧୦୪ ପାଳି) ଏବଂ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ ମ୍ୟାକ୍‌ଲମ୍‌ (୨୧୪୦ ରନ୍‌, ୭୦ ପାଳି) ରହିଛନ୍ତି।

ଅଭ୍ୟାସ ବେଳେ ରୋହିତ ଆହତ
ରବିବାର ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅଭ୍ୟାସ ବେଳେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁବାର ନେଟ୍‌ ସେସନ୍‌ ବେଳେ ବଲ୍‌ ଫିଙ୍ଗା ବିଶେଷଜ୍ଞ ନୁୱାନ ସେନେରିବୀରାତ୍ନେଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରୁଥିଲା ବେଳେ ରୋହିତଙ୍କ ଗୋଡ଼ରେ ବଲ୍‌ ବାଜିଥିଲା। ରୋହିତ ଆହତ ହେବାରୁ ଅଭ୍ୟାସରୁ ଓହରି ଯାଇଥିଲେ। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଓ ନୁୱାନ ତାଙ୍କୁ ଶାନ୍ତ କରିଥିଲେ। ରୋହିତ ଆଉ ଅଭ୍ୟାସକୁ ଫେରିନଥିଲେ ମଧ୍ୟ ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର