ଚେନ୍ନାଇ: ଗୁରୁବାରଠାରୁ ଆରମ୍ଭ ହେଉଥିବା ଦୁଇଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ବାଂଲାଦେଶର ଉଦୀୟମାନ ପେସର୍‌ ନାହିଦ ରାଣା, ଭାରତର ବଡ଼ ଆହ୍ବାନ ହେବେ ବୋଲି ବେଶ୍ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ବିଶେଷ କରି ପାକିସ୍ତାନରେ ବାଂଲାଦେଶର ଐତିହାସିକ ଶୃଙ୍ଖଳା ବିଜୟରେ ନାହିଦ ନିର୍ଣ୍ଣାୟକ ଭୂମିକା‌ ନେଇଥିବାରୁ ଭାରତୀୟ ବ୍ୟାଟର୍‌ଙ୍କୁ ମଧ୍ୟ ସେ ନିୟମିତ ଭାବେ ପରୀକ୍ଷାରେ ପକାଇବେ ବୋଲି କ୍ରିକେଟ୍ ପଣ୍ଡିତମାନେ ଚେତାଇ ଆସୁଛନ୍ତି। ତେବେ ଭାରତ ଏଥିଲାଗି ଆଦୌ ଚିନ୍ତିତ ନାହିଁ। ନାହିଦ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରୁଥିଲେ ମଧ୍ୟ ଭାରତୀୟ ବ୍ୟାଟର୍‌ଙ୍କ ପାଖରେ ତାଙ୍କୁ ସମ୍ମୁଖୀନ ହେବାର ଅଭିଜ୍ଞତା ଓ ଦକ୍ଷତା ଅଛି ବୋଲି ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ପୂର୍ବରୁ ଦେଇଥିବା ସାକ୍ଷାତକାରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି।

Advertisment

ଏଭଳି କରି ବାଂଲାଦେଶ ଉପରକୁ ଚାପ ଫେରାଇ ଦେବାକୁ ଚେଷ୍ଟା କରିଛନ୍ତି ସେ। ସେହିଭଳି ବ୍ୟକ୍ତିଗତ ଭାବେ ନାହିଦଙ୍କ ଅପେକ୍ଷା ଦଳଗତ ଭାବେ ବାଂଲାଦେଶ ଉପରେ ଭାରତ ଧ୍ୟାନ ଦେବ ଏବଂ ସେହି ଅନୁସାରେ ପ୍ରସ୍ତୁତି କରିବ ବୋଲି ରୋହିତ ଏହି ଅବସରରେ ସଙ୍କେତ ଦେଇଛନ୍ତି। ‘‘ଦେଖନ୍ତୁ ପ୍ରତି ଦଳରେ ଦୁଇ ତିନି ଜଣ ଏମିତି ଖେଳାଳି ଥା’ନ୍ତି, ଯେଉଁମାନେ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୁଅନ୍ତି। ହେଲେ ସେମାନଙ୍କ କଥା ଅଧିକ ନଭାବି ଆଗକୁ ବଢ଼ିବା ସବୁବେଳେ ଶ୍ରେୟସ୍କର ହୋଇଥାଏ। ବାଂଲାଦେଶ ବିପକ୍ଷରେ ମଧ୍ୟ ଆମେ ଏହି ଯୋଜନା ଆପଣାଇବୁ। ଆମ ଖେଳ ଉପରେ ଅଧିକ ଧ୍ୟାନ ଦେବୁ’’ ବୋଲି ନାହିଦଙ୍କ ଉପରେ ପଚରା ଯାଇଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ରୋହିତ। 

କିଛି ଅଲଗା କରିବା ଦରକାର ନାହିଁ
ପାକିସ୍ତାନକୁ ପାକିସ୍ତାନରେ ୨-୦ରେ ହରାଇବା ପରେ ବାଂଲାଦେଶର ଆତ୍ମବଳ ଆକାଶ ଛୁଇଁଛି। ଆମେ କିନ୍ତୁ ଏଥିନେଇ ବି‌ଶେଷ ଚିନ୍ତିତ ନାହୁଁ। ଆମେ ଆମ ଖେଳ ତଥା ମୌଳିକତାକୁ ଅଧିକ ଗୁରୁତ୍ବ ଦେଉଛୁ। କିଛି ଅଲଗା କରିବୁନି କିମ୍ବା କରିବାର ଆବଶ୍ୟକତା ନାହିଁ ବୋଲି ମଙ୍ଗଳବାରର ସାକ୍ଷାତକାରରେ ସ୍ପଷ୍ଟ କରି ଦେଇଥିଲେ ରୋହିତ। ସେ ଆହୁରି କହିଥିଲେ, ପ୍ରତ୍ୟେକ ଦଳ ଭାରତକୁ ହରାଇବାକୁ ଚାହାନ୍ତି। ଏହା କରି ସେମାନେ ଗର୍ବ ଅନୁଭବ କରନ୍ତି। ସେମାନଙ୍କୁ ମଜା କରିବାକୁ ଦିଆଯାଉ। ଆମ କାମ ହେଲା କେମିତି ମ୍ୟାଚ୍ ଜିତିବୁ, ସେ କଥା ଭାବିବା। ପ୍ରତିପକ୍ଷ ଦଳ କ’ଣ ଭାବୁଛି, ସେ କଥାକୁ ଆମେ ଗୁରୁତ୍ବ ଦେବାକୁ ଚାହିଛି। ଭାରତ ବିଶ୍ବର ସବୁ ବଡ଼ ଦଳ ବିପକ୍ଷରେ ଭଲ କ୍ରିକେଟ୍ ଖେଳିଛି। ଏଣୁ ଏହି ଶୃଙ୍ଖଳାରେ ସେମିତି କିଛି ଅଲଗା ରଣନୀତି କରିବାର ଦରକାର ରହିଛି ବୋଲି ମୁଁ ଭାବୁନି। ଆଗାମୀ ଋତୁରେ ଭାରତ ବହୁତ କ୍ରିକେଟ୍ ଖେଳିବାକୁ ଥିବାରୁ ରୋହିତ ବୋଲର୍‌ଙ୍କ କାର୍ଯ୍ୟ ଭାରର ସୁପରିଚାଳନା ଉପରେ ଜୋର୍ ଦେଇଥିଲେ। ସେହିଭଳି ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ୟଶ୍ ଦୟାଲ ଓ ଆକାଶ ଦୀପଙ୍କ ଭଳି ଖେଳାଳି ଭାରତୀୟ ଦଳରେ ଥିବାରୁ ଖୁସି ଜାହିର କରିଥିଲେ। ବାଂଲାଦେଶ ଶୃଙ୍ଖଳା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଶୃଙ୍ଖଳା ପାଇଁ ପ୍ରସ୍ତୁତି ମଞ୍ଚ ସଦୃଶ ହେବ ବୋଲି ଆଶା ପ୍ରକାଶ କରିଥିଲେ ସେ। 

ଗମ୍ଭୀରଙ୍କ ପ୍ରଶିକ୍ଷଣ ଶୈଳୀରେ ଅସୁବିଧା ନାହିଁ
ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କିମ୍ବା ତାଙ୍କ ପ୍ରଶିକ୍ଷକ ମଣ୍ଡଳିର କୌଣସି ସଦସ୍ୟଙ୍କ ପ୍ରଶିକ୍ଷଣ ଶୈଳୀରେ ଖେଳାଳିମାନଙ୍କର ତିଳେ ମାତ୍ର ବି ଅସୁବିଧା‌ ନାହିଁ ବୋଲି ରୋହିତ ଏହାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ବିରାମ ଦେବାକୁ ଯାଇ କହିଥିଲେ। ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଏବେକାର ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣ ଶୈଳୀରେ ପାର୍ଥକ୍ୟ ରହିଥିଲେ ମଧ୍ୟ ଦଳ ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ଭଲ ଭାବରେ ଖାପ ଖୁଆଇ ନେଇଛି ବୋଲି ସୂଚନା ଦେଇଥିଲେ ସେ। ‘‘ ରାହୁଲ (ଦ୍ରାବିଡ଼) ଭାଇ, ବିକ୍ରମ ରାଠୋର ଓ ପାରସ୍ ମାହାମ୍ବ୍ରେ ଏକ ଭିନ୍ନ ଦଳ ଥିଲେ। ନୂଆ ପ୍ରଶିକ୍ଷକ ମଣ୍ଡଳି ନୂଆ ଯୋଜନା ନେଇ ଆସିବ। ଏହା ସ୍ବାଭାବିକ। ଏହା ଏକ ନୂଆ ଦଳ ସତ। ହେଲେ ଗୌତମ ଗମ୍ଭୀର ଓ ଅଭିଷେକ ନାୟରଙ୍କୁ ମୁଁ ବହୁବର୍ଷ ତଳୁ ଜାଣିଛି। ସବୁ ସପୋର୍ଟ ଷ୍ଟାଫ୍‌ଙ୍କ ପ୍ରଶିକ୍ଷଣ ଶୈଳୀ ଅଲଗା ଥା‌ଏ। ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ସୂଚନାଯୋଗ୍ୟ ଯେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଗମ୍ଭୀର, ଅଭିଷେକ (ସହକାରୀ ପ୍ରଶିକ୍ଷକ), ମର୍ଣ୍ଣେ ମୋର୍କେଲ (ବୋଲିଂ ପ୍ରଶିକ୍ଷକ) ଏବଂ ନେଦରଲାଣ୍ଡର ପୂର୍ବତନ ଅଲରାଉଣ୍ଡର୍ ରିଆନ୍ ଟେନ୍ ଡସେଟ (ସହକାରୀ ପ୍ରଶିକ୍ଷକ) ଙ୍କୁ ନିଜ ପ୍ରଶିକ୍ଷକ ମଣ୍ଡଳିରେ ସାମିଲ କରିଛନ୍ତି। 

ଦୁଇବର୍ଷ ପରେ ଟେଷ୍ଟ୍ ଖେଳିବେ ପନ୍ତ
ବାଂଲାଦେଶ ଶୃଙ୍ଖଳାରେ ଭାରତୀୟ ୱିକେଟ୍ ରକ୍ଷକ ଋଷଭ ପନ୍ତ ମୁଖ୍ୟ ଆକର୍ଷଣ ପାଲଟିବେ। କାରଣ ମର୍ମନ୍ତୁଦ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇ କ୍ରିକେଟ୍‌ରୁ ଫେରିବା ପରେ ପାଖାପାଖି ଦୁଇ ବର୍ଷର ବ୍ୟବଧାନ ପରେ ଟେଷ୍ଟ୍ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି ସେ। ଚଳିତବର୍ଷର ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସର ଅନ୍ୟତମ ଅଗ୍ରଣୀ ରନ୍ ସ୍କୋର ହୋଇଥିବା ପନ୍ତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ସୀମିତ ଓଭର କ୍ରିକେଟ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ମଧ୍ୟ ସେ ଏହି ସଫଳତା ଦୋହରାଇବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ୩୩ ଟେଷ୍ଟ ଖେଳି ୪୩.୬୭ ହାରରେ ୨୨୭୧ ରନ୍ କରିଥିବା ପନ୍ତ ସଂଯୋଗବଶତଃ ନିଜ ଶେଷ ଟେଷ୍ଟ୍ ଡିସେମ୍ବର ୨୨ରୁ ୨୫, ୨୦୨୨ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ମୀରପୁରରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ଭାରତ ରୋମାଞ୍ଚକର ଭାବେ ୩ ୱିକେଟ୍‌ରେ ଜିତିଥିଲା। ପ୍ରଥମ ପାଳିରେ ପନ୍ତ ୯୩ ଏବଂ ଦ୍ବିତୀୟରେ ୯ ରନ୍ କରିଥିଲେ।