ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ରୋହିତ ପ୍ରସ୍ତୁତ

ନୂ୍ଆଦିଲ୍ଲୀ: ଟେଷ୍ଟ୍ ଓପ୍‌ନର୍‌ର ନୂଆ ଭୂମିକାକୁ ମନ ଭରି ଉପଭୋଗ କରିବା ସହ ଏହି ସ୍ଥାନରେ ଆଶାତୀତ ସଫଳତା ପାଇଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା। ତେବେ ଆସନ୍ତା ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି। ଏକଥା ନିଜେ ରୋହିତ କହିଛନ୍ତି। ଅଧିନାୟକ ବିରାଟ କୋହଲି ପିତୃତ୍ବ ଅବକାଶ ପାଇଁ ପ୍ରଥମ ଟେଷ୍ଟ୍ ପରେ ସ୍ବଦେଶ ଫେରି ଆସିବାର ଥିବାରୁ ଚାରି ଟିକିଆ ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାରେ ରୋହିତଙ୍କ ସହ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆକଳନ କରିଛନ୍ତି। ‘‘ମୁଁ ସମସ୍ତଙ୍କୁ କହି ଆ‌ସିଥିବା କଥା ଆପଣଙ୍କୁ ମଧ୍ୟ କହିବି। ଦଳ ଚାହୁଥିବା ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ମୁଁ ସବୁବେଳେ ପ୍ରସ୍ତୁତ।

ହେଲେ ସେମାନେ ମୋତେ ଓପନର ଭାବେ ଖେଳାଇବେ କି ନାହିଁ ଜାଣିନାହିଁ’’ ବୋଲି ରୋହିତ ରବିବାର ଦେଇଥିବା ସାକ୍ଷାତକାରରେ କହିଛନ୍ତି। ସେହିଭଳି ଅଷ୍ଟ୍ରେଲିଆରେ ପହଞ୍ଚିଲା ବେଳକୁ ଦଳୀୟ ଅଧିକାରୀମାନେ ତାଙ୍କ ଭୂମିକାକୁ ନିର୍ଦ୍ଧାରଣ କରିସାରିଥିବେ ବୋଲି ଆଶା ପ୍ରକାଶ କରିଛନ୍ତି ରୋହିତ। ‘‘ବିରାଟ ଅଷ୍ଟ୍ରେଲିଆ ଛାଡ଼ିବା ପରେ ଦଳ ପାଖରେ କି କି ବିକଳ୍ପ ରହିବ, ସେ କଥା ଅଷ୍ଟ୍ରେଲିଆରେ ଥିବା ଆମ ଅଧିକାରୀମାନେ ଭାବି ସାରିଥିବେ ବୋଲି ମୁଁ ପୂରା ନିଶ୍ଚିତ। କିଏ କିଏ ପାଳି ଆରମ୍ଭ କରିବେ, ସେକଥା ବି ସ୍ଥିର କରିସାରିଥିବେ। ସେଠାରେ ପହଞ୍ଚିବା ପରେ ଯାଇ ମୁଁ ଏହି ବିଷୟରେ ଯାହା କହିପାରିବି। ସେମାନେ ମୋତେ ଯେଉଁ ସ୍ଥାନରେ ବ୍ୟାଟିଂ କରିବାକୁ ଦେବେ, ସେଥିରେ ମୁଁ ଖୁସୀ ହେବି’’ ବୋଲି ରୋହିତ କହିଛନ୍ତି। ଅଷ୍ଟ୍ରେଲିଆର ପିଚ୍‌ଗୁଡ଼ିକରେ ସବୁବେଳେ ଅତିରିକ୍ତ ଉଚ୍ଛାଳ ରହୁଥିଲେ ମଧ୍ୟ ରୋହିତ ଏଥିନେଇ ଚିନ୍ତିତ ନାହାନ୍ତି। ‘‘ଆମେ ସବୁବେଳେ ଉଚ୍ଛାଳ କଥା ଚର୍ଚା କରୁଛେ। ହେଲେ ଗତ କିଛି ବର୍ଷ ଭିତରେ କେବଳ ପର୍ଥ ଛଡ଼ା ଅଷ୍ଟ୍ରେଲିଆର ଅନ୍ୟସବୁ ପଡ଼ିଆ ଆଡି‌ଲେଡ୍, ମେଲବର୍ନ ଓ ସିଡ୍‌ନିରେ ମୁଁ ଭାବୁନି ଆଉ ସେତେଟା ଉଚ୍ଛାଳ ରହିଛି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ଭାରତୀୟ ବ୍ୟାଟରଙ୍କ ପାଇଁ ବଡ଼ ବିପଦ ହୋଇଥିଲେ ମଧ୍ୟ ନାଥନ ଲାୟନଙ୍କ ଭଳି ସ୍ପିନର ମଧ୍ୟ କିଛି ବି କରିପାରନ୍ତି ବୋଲି ରୋହିତ କହିଥିଲେ।

ସମ୍ବନ୍ଧିତ ଖବର