ରୋହିତଙ୍କୁ ଭାରତର ଟ୍ବେଣ୍ଟି-୨୦ ଅଧିନାୟକ କରିବା ଦାବି

ନୂଆଦିଲ୍ଲୀ: ମଙ୍ଗଳବାର ରାତିର ଏକତରଫା ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ହିଁ ମୁମ୍ବାଇ ଏହି ଅନନ୍ୟ ସଫଳତା ଲାଭ କରିଥିଲା। ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ପାଞ୍ଚଟି ଯାକ ଆଇପିଏଲ୍ ଟ୍ରଫି ଜିତିଥିବାରୁ ତାଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତି ଦାବି ଜୋର ଧରିଛି। ବହୁ ପୂର୍ବତନ କ୍ରିକେଟର ତାଙ୍କ ନେତୃତ୍ବ ଶୈଳୀକୁ ପ୍ରଶଂସା କରିବା ସହ ଭାରତୀୟ ଟ୍ବେଣ୍ଟି-୨୦ ଦଳର ମଙ୍ଗ ଏବେ ରୋହିତଙ୍କୁ ଦେବାର ସମୟ ଆସି ଯାଇଛି ବୋଲି ଖୋଲାଖୋଲି ଭା‌ବେ ମତ ରଖିଛନ୍ତି। ଏଥିରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ସର୍ବାଗ୍ରେ ରହିଛନ୍ତି। ରୋହିତଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦକୁ ପଦୋନ୍ନତି ଦେବାକୁ ଭନ୍ ଦାବି କରିବା ସହ ତାଙ୍କୁ (ରୋହିତଙ୍କୁ) ଏହି ପଦ ନମିଳିବା ଲଜ୍ଜାକାର କଥା ବୋଲି କହିଛନ୍ତି।

ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଭନ୍‌ଙ୍କ ମନ୍ତବ୍ୟକୁ ଦୃଢ଼ ସମର୍ଥନ କରିଛନ୍ତି। ‘‘ଯଦି ରୋହିତ ଭାରତର ଅଧିନାୟକ ନହୁଅନ୍ତି, ଏହା ସେମାନଙ୍କର କ୍ଷତି ହେବ ରୋହିତଙ୍କର ନୁହେଁ’’ ବୋଲି ମୁମ୍ବାଇ ପୁଣି ଥରେ ଆଇପିଏଲ୍ ଟ୍ରଫି ତୋଳିବାର ପରଦିନ ଗମ୍ଭୀର ଟ୍ବିଟ୍ କରିଛନ୍ତି। ଧୋନି ଆମକୁ ଦୁଇଟି ବିଶ୍ବକପ୍ ଜିତାଇଛନ୍ତି ବୋଲି ଆମେ ତାଙ୍କୁ ମହାନ ଅଧିନାୟକର ଆଖ୍ୟା ଦେଉ। ରୋହିତ ମୁମ୍ବାଇକୁ ୫ ଥର ବିଜେତା କରାଇଛନ୍ତି। ଅନ୍ୟ କୌଣସି ଅଧିନାୟକ ଏତେ ସଂଖ୍ୟକ ଟ୍ରଫି ଜିତି ନାହାନ୍ତି। ଏଣୁ ଆଗକୁ ଯଦି ସେ ଭାରତର ଧଳା ବଲ୍ ଅଥବା ଅନ୍ତତଃ ଟ୍ବେଣ୍ଟି-୨୦ ଅଧିନାୟକ ନହୁଅନ୍ତି, ତାହା ନିଶ୍ଚିତ ଭାବେ ମୋତେ ବିସ୍ମିତ କରିବ ବୋଲି ମଧ୍ୟ ଗମ୍ଭୀର ନିଜ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ଏହା କରି ସେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ କଟାକ୍ଷ କରିଛନ୍ତି। ଗତ ୮ ବର୍ଷ ଧରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ନେତୃତ୍ବ ନେଉଥିଲେ ମଧ୍ୟ କୋହଲି ଥରେ ହେଲେ ଏହି ଦଳକୁ ଫାଇନାଲକୁ ନେଇନପାରିବା ନେଇ ଗମ୍ଭୀର କିଛି ଦିନ ପୂର୍ବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିଲାଗି କୋହଲିଙ୍କୁ ଉତ୍ତରଦାୟୀ କରିବାକୁ ଆର୍‌ସିବି ପରିଚାଳକଙ୍କୁ ସେ ଆହ୍ବାନ କରିଥିଲେ। ସେହିଭଳି କୋହଲିଙ୍କ ନେତୃତ୍ବ ଦକ୍ଷତା ନେଇ ବି ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ଗମ୍ଭୀର।

ଅନ୍ୟତମ ଲୋକପ୍ରିୟ ଭାରତୀୟ କ୍ରିକେଟର ତଥା ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ମଧ୍ୟ ରୋହିତଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ‘‘ସମସ୍ତଙ୍କୁ ଏଭଳି ନିର୍ଧୁମ ଧୂଲେଇ କରିବା ଯେମିତି ଆପଣମାନଙ୍କର ଅଭ୍ୟାସ ହୋଇଗଲାଣି। ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଫ୍ରାଞ୍ଚାଇଜ ଏବଂ ଟ୍ବେଣ୍ଟି-୨୦ର ସର୍ବଶ୍ରେଷ୍ଠ ଅଧିନାୟକ। ସତରେ ଆପଣମାନେ ବିଜୟର ହକ୍‌ଦାର ଥିଲେ। ମୁମ୍ବାଇ ଇଣ୍ଡିଆନ୍ସ। କିଛି ଦ୍ବନ୍ଦ୍ବ ଅଛି କି? ବହୁ ପ୍ରତିବନ୍ଧକ ଥିଲେ ମଧ୍ୟ ଏକ ଚମତ୍କାର ପ୍ରତିଯୋଗିତା ଦେଖିବାକୁ ମିଳିଲା’’ ବୋଲି ସେହବାଗ ନିଜ ନିଆରା ଶୈଳୀରେ ଟ୍ବିଟ୍ କରିଥିଲେ।

ସମ୍ବନ୍ଧିତ ଖବର