ସର୍ବାଧିକ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ ରୋହିତ ପ୍ରଥମ: ସୋଏବ୍‌ ମଲ୍ଲିକଙ୍କୁ ଟପିଲେ

ଧର୍ମଶାଳା: ଚଳିତ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରବିବାର ତୃତୀୟ ତଥା ଶେଷ ମ୍ୟାଚ୍‌ ଖେଳିବା ଅବସରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ସର୍ବାଧିକ ଟ୍ବେଣ୍ଠି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ ପ୍ରଥମ ପୁରୁଷ ଖେଳାଳି ବନି ଯାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ରବିବାର ମ୍ୟାଚ୍‌ ତାଙ୍କର ୧୨୫ତମ ଥିଲା। ଫଳରେ ଏକ୍ଷେତ୍ରରେ ସେ ପାକିସ୍ତାନ ତାରକା ସୋଏବ୍‌ ମଲ୍ଲିକ (୧୨୪)ଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ୟତମ ପାକିସ୍ତାନୀ ମହମ୍ମଦ ହାଫିଜ୍‌ (୧୧୯) ତୃତୀୟରେ ରହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ରୋହିତ ମଧ୍ୟ ଆଉ ଏକ ମାଇଲଖୁଣ୍ଟ ଛୁଇଁଥିଲେ। ସେ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ (୩୨୯୯) ଏବଂ ଭାରତୀୟ ପୂର୍ବ ଅଧିନାୟକ ବିରାଟ କୋହଲି (୩୨୯୬)ଙ୍କୁ ପଛରେ ପକାଇ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଫର୍ମାଟ୍‌ରେ ଅଗ୍ରଣୀ ସ୍କୋରର୍‌ ହେବାର କୀର୍ତ୍ତିମାନ ରଚିଛନ୍ତି। ରୋହିତଙ୍କ ସ୍କୋର୍‌ ସର୍ବାଧିକ ୩୩୦୮ ରହିଛି।

ସମ୍ବନ୍ଧିତ ଖବର