ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ଆସନ୍ତାବର୍ଷ ଜାନୁଆରି ୧୯ରୁ ଦିନିକିଆ ଶୃଙ୍ଖଳା ଖେଳାଯିବ। ଚେତନ ଶର୍ମାଙ୍କ ନେତୃତ୍ବାଧୀନ ମନୋନୟନ କମିଟି ବୁଧବାର ଟେଷ୍ଟ୍ ଦଳ ବାଛିଥିଲା ବେଳେ ବୁଧବାରଠାରୁ ଆରମ୍ଭ ହୋଇଥିବା ବିସିସିଆଇର ଘରୋଇ ଦିନିକିଆ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫିରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ପରେ ଦିନିକିଆ ଦଳ ଘୋଷଣା କରିବ ବୋଲି କହିଛି। ତେବେ ଟି-୨୦ରେ ନେତୃତ୍ବ ଭାର ଅର୍ପଣ କରାଯାଇଥିବା ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ମଧ୍ୟ ଅଧିନାୟକ ମନୋନୀତ କରାଯାଇଛି। ଫଳରେ ଟି-୨୦ ନେତୃତ୍ବରୁ ଓହରି ଯାଇଥିବା ବିରାଟ କୋହଲିଙ୍କୁ ଦିନିକିଆ ଦଳର ନେତୃତ୍ବରୁ ମଧ୍ୟ ହଟାଇ ଦିଆଯାଇଛି।
ତେଣୁ ରୋହିତ ଏବେ ଭାରତୀୟ ସୀମିତ ଓଭର (ଦିନିକିଆ ଓ ଟି-୨୦) ବା ଧଳା ବଲ୍ କ୍ରିକେଟ୍ର ପୂର୍ଣ୍ଣକାଳୀନ ଅଧିନାୟକ ହୋଇଛନ୍ତି। ଏହା ବ୍ୟତୀତ ଆଜିଙ୍କ୍ୟ ରହାଣେଙ୍କ ବଦଳରେ ରୋହିତଙ୍କୁ ମଧ୍ୟ ଟେଷ୍ଟ୍ ଦଳର ଉପଅଧିନାୟକ ଦାୟିତ୍ବ ଅର୍ପଣ କରାଯାଇଛି। ତେବେ ୨୦୨୩ ବିଶ୍ବକପ୍କୁ ଦୃଷ୍ଟିରେ ରଖି ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ବ ଦେଇଛୁ ବୋଲି ମନୋନୟନ କମିଟି କହିଛି। ପୁଣି ରାହାଣେ ସ୍ଥିର ପ୍ରଦର୍ଶନ ଦେଇପାରୁନଥିବାରୁ ତାଙ୍କୁ ଟେଷ୍ଟ୍ ଦଳର ଉପଅଧିନାୟକ ରଖିବା ଯଥାର୍ଥ ହେବନାହିଁ ବୋଲି କମିଟି ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭଲ ପ୍ରଦର୍ଶନ ନକଲେ କୋହଲିଙ୍କ ହାତରୁ ଟେଷ୍ଟ୍ ଅଧିନାୟକ ପଦ ମଧ୍ୟ ଖସିଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏପରିକି ରାହାଣେ ଓ ପୂଜାରାଙ୍କ ପାଇଁ ଏହି ଶୃଙ୍ଖଳା ଶେଷ ସୁଯୋଗ ହୋଇପାରେ ବୋଲି କୁହାଯାଉଛି।
ବୁଧବାର ମନୋନୟନ କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଟେଷ୍ଟ୍ ଦଳ ଘୋଷଣା କରିଥିଲା ବେଳେ ଆହତ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବଂ ଅକ୍ଷର ପଟେଲଙ୍କୁ ବାଦ୍ ଦେଇଛି। କୋହଲି ଟେଷ୍ଟ୍ ଦଳର ନେତୃତ୍ବ ଜାରି ରଖିବେ। ଅନ୍ୟପକ୍ଷରେ ଉପଅଧିନାୟକ ପଦରୁ ହଟିଥିଲେ ମଧ୍ୟ ରହାଣେ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ସହିତ ଚେତେଶ୍ବର ପୂଜାରା ମଧ୍ୟ ଦଳରେ ରହିଛନ୍ତି। ହେଲେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ଉଭୟଙ୍କୁ ଶ୍ରେୟସ ଆୟର ଓ ହନୁମା ବିହାରୀଙ୍କଠୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିବ। କାରଣ କୋଭିଡ୍ ପରେ ପୁନଃଆରମ୍ଭ ହୋଇଥିବା କ୍ରିକେଟ୍ରେ ରହାଣେ ରନ୍ ପାଇଁ ସଂଘର୍ଷ କରୁଥିବା ବେଳେ ପୂଜାରା ସ୍କୋର୍ କରିବାରେ ଅସ୍ଥିର ପ୍ରଦର୍ଶନ କରୁଛନ୍ତି।
ଅନ୍ୟପକ୍ଷରେ ଆୟର ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ପଦାର୍ପଣ କରି ଚମକ (ଶତକ ଓ ଅର୍ଦ୍ଧଶତକ) ଛାଡ଼ିଥିଲା ବେଳେ ବିହାରୀ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ-ଏ ଦଳ ପକ୍ଷରୁ ୪ ଦିନିଆ ଟେଷ୍ଟ୍ ଶୃଙ୍ଖଳାରେ ଲଗାତାର ୩ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଶୃଙ୍ଖଳାରୁ ବିଶ୍ରାମ ପାଇଥିବା ଦୁଇ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମି ଦଳକୁ ଫେରିଛନ୍ତି।
ଟେଷ୍ଟ୍ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ରିଦ୍ଧିମାନ ସାହା (ୱିକେଟ୍ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶ୍ପ୍ରୀତ୍ ବୁମ୍ରା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/12-9.jpg)