ପୂଜାରାଙ୍କ ବଦଳରେ ରୋହିତ ଟେଷ୍ଟ୍‌ ଉପଅଧିନାୟକ

ନୂଆଦିଲ୍ଲୀ : ନିଜ କ୍ରିକେଟ୍‌ କ୍ୟାରିୟରରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ୍‌ ଦଳର ଉପଅଧିନାୟକ ହୋଇଛନ୍ତି। ନୂଆ ବର୍ଷରେ ରୋହିତଙ୍କ ପାଇଁ ଏହା ସବୁଠୁ ଖୁସୀ ଖବର ଆଣିଛି। ଆଇପିଏଲ୍‌ ବେଳେ ଆହତ ଯୋଗୁଁ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ସୀମିତ ଓଭର ଶୃଙ୍ଖଳାରୁ ବଞ୍ଚିତ ହୋଇଥିବା ରୋହିତ ପ୍ରଥମ ଟେ‌ଷ୍ଟ୍‌ ପରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। କରୋନା କଟକଣା ପାଇଁ ତାଙ୍କୁ ସିଡ୍‌ନିରେ ୧୪ ଦିନିଆ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପଡ଼ିଥିଲା। ଫଳରେ ତୃତୀୟ ଟେଷ୍ଟ୍‌ ପାଇଁ ସେ ଦଳରେ ସାମିଲ ହୋଇଥିଲେ। ରୋହିତ ମଧ୍ୟ ଗୁରୁବାର ଦଳର ମେଲ୍‌ବର୍ନରେ ପ୍ରଥମ ଅଭ୍ୟାସ କରିଥିଲେ। ତେବେ ଶୁକ୍ରବ‌ାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ତାଙ୍କୁ ଚେତେଶ୍ବର ପୂଜାରାଙ୍କ ବଦଳରେ ଉପଅଧିନାୟକ ନିଯୁକ୍ତ କରିଛି। ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ବ ଅବକାଶ ନେଇ ପ୍ରଥମ (ଆଡିଲେଡ୍‌) ଟେଷ୍ଟ୍‌ ପରେ ସ୍ବଦେଶ ଫେରିଯାଇଥିବାରୁ ପରବର୍ତୀ ତଥା ମେଲ୍‌ବର୍ନରେ ଖେଳାଯାଇଥିବା ବକ୍ସିଂ ଡେ’ ଟେଷ୍ଟ୍‌ରେ ଆଜିଙ୍କ୍ୟ ରହାଣେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ତେଣୁ ରହାଣେଙ୍କ ଉପଅଧିନାୟକ ପଦ ପୂଜାରାଙ୍କୁ ମିଳିଥିଲା। ତେବେ ଦଳୀୟ କର୍ତ୍ତୃପକ୍ଷ ଭଲ ଭାବେ ଜାଣିଥିଲେ ଯେ ରୋହିତ ଯେବେ ଦଳକୁ ଫେରିବେ ସେ ହିଁ ରହାଣେଙ୍କ ‌ସହଯୋଗୀ ତଥା ଉପଅଧିନାୟକ ପଦ ଅଳଂକୃତ କରିବେ। ସେହି ଭାବନା ଅନୁଯାୟୀ ରୋହିତଙ୍କୁ ଶୁକ୍ରବାର ଉପଅଧିନାୟକ ପଦରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ରୋହିତ ଭାରତୀୟ ସୀମିତ ଓଭର ଦଳର ଉପଅଧିନାୟକ ରହି ଆସିଛନ୍ତି। ଏବେ ପୁଣି କୋହଲିଙ୍କ ଅନୁପସ୍ଥିତିରେ ନେତୃତ୍ବର ଅଂଶବିଶେଷ ହୋଇଥିବାରୁ ଦଳ ପାଇଁ ଗୁରୁତ୍ବପୁର୍ଣ୍ଣ ହେବ ବୋଲି ବିସିସିଆଇ ଅଧିକାରୀମାନେ କହିଛନ୍ତି। ଭାରତୀୟ ଦଳ ସିଡ୍‌ନିରେ ଜାନୁଆରି ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେ‌ଷ୍ଟ୍‌ ପାଇଁ ୫ ତାରିଖରେ ମେଲ୍‌ବର୍ନ ଛାଡ଼ିବ। ଏହାପରେ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ବ୍ରିସ୍‌ବନ୍‌ରେ ଜାନୁଆରି ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଏହାସତ୍ତ୍ବେ ରୋହିତ ତୃତୀୟ ଟେଷ୍ଟ୍‌ରେ ପାଳି ଆରମ୍ଭ କରିବା ନେଇ ଅସ୍ପଷ୍ଟ ରହିଛି। ମୟଙ୍କ ଅଗ୍ରୱାଲଙ୍କ ସହ ପାଳି ଆରମ୍ଭ କରିବା ଏବଂ ଶୁବମନ୍‌ ଗିଲ୍‌ ନିମ୍ନକ୍ରମରେ ଖେଳିବା ନେଇ କିଛି ସ୍ପଷ୍ଟ ସଂକେତ ମିଳିନି। ଦଳୀୟ ସନ୍ତୁଳନକୁ ଦୃଷ୍ଟିରେ ରଖି ଟେ‌ଷ୍ଟ୍‌ ପୂର୍ବଦିନ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ରୋହିତ ଏହା ପୂର୍ବରୁ ୩୨ ଟେଷ୍ଟ୍‌ ଖେଳି ୪୬ରୁ ଅଧିକ ହାରରେ ୨୧୪୧ ରନ୍‌ କରିଛନ୍ତି। ଟେଷ୍ଟ୍‌ରେ ୬ ଶତକ ମଧ୍ୟ ତାଙ୍କ ସଫଳତାର ଗାଥା ହୋଇ ରହିଛି। ସେ ମଧ୍ୟ ଏକ ଦ୍ବିଶତକ ଜମାଇଛନ୍ତି। ଯାହାକୁ କି ୨୦୧୯ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ (୨୧୨) କରିଥିଲେ।

ସମ୍ବନ୍ଧିତ ଖବର