ନୂଆଦିଲ୍ଲୀ: ପାଖାପାଖି ଗୋଟିଏ ବର୍ଷ ହେଲାଣି ରୋହିତ ଶର୍ମାଙ୍କଠାରୁ କୌଣସି ଫର୍ମାଟ୍ରେ ବି ଶତକୀୟ ପାଳି ଦେଖିବାକୁ ମିଳିନି। ତାଙ୍କ ଶେଷ ଦୁଇ ଶତକ (କୌଣସି ବି ଫର୍ମାଟ୍) ରୋହିତ ଇଂଲଣ୍ଡ ବିପକ୍ଷରେ (ଚେନ୍ନାଇ ଏବଂ ଦି ଓଭାଲ ପଡ଼ିଆରେ) ହିଁ କରିଥିଲେ। ତଥାପି ନିଜର ସର୍ବାଧିକ ପସନ୍ଦର ଫର୍ମାଟ୍ (ଦିନିକିଆ)ରେ ଶତକ ଜମାଇବାର ସୁଯୋଗ ରଖିଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଯଦି ତାଙ୍କ ବ୍ୟାଟ୍ରୁ ଶତକଟିଏ ମିଳେ ତାହାଲେ ରୋହିତ ଏକ ବିଶ୍ବ କୀତ୍ତିମାନ ପ୍ରତିଷ୍ଠା କରିବେ। କୌଣସି ଏକ ବିଦେଶୀ ଦଳ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାର ଏହି କୀର୍ତ୍ତିମାନ ରୋହିତ ନିଜ ନାମକୁ ନେଇପାରିବେ। ଆଉ ଏକ୍ଷେତ୍ରରେ ସେ ମହାନ୍ ଖେଳାଳି ସଚିନ୍ ତେନ୍ଦୁଲକର ଏବଂ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇଦେବେ। ରୋହିତ ଏବେ ଇଂଲଣ୍ଡ ବିପକ୍ଷରେ ୭ ଶତକ ଜମାଇ ଗୋଟିଏ ବିଦେଶୀ ଦଳ ବିପକ୍ଷରେ ସର୍ବାଧିକ ଶତକ ହାସଲକାରୀ ଡିଭିଲିୟର୍ସ (୭, ଭାରତରେ), ତେନ୍ଦୁଲକର (୭, ୟୁଏଇରେ) ଏବଂ ସଇଦ୍ ଅନ୍ୱାର (୭, ୟୁଏଇରେ)ଙ୍କ ସହ ମିଳିତ ଭାବେ ରହିଛନ୍ତି। ତେଣୁ ଚଳିତ ଶୃଙ୍ଖଳାରେ ଗୋଟିଏ ଶତକ ହାସଲ କରିପାରିଲେ ସର୍ବାଧିକ ୮ ସହିତ ସେ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇପାରିବେ।
ଅନ୍ୟପକ୍ଷରେ ଦେଶ ବାହାରେ ଗୋଟିଏ ଦଳ ବିପକ୍ଷରେ ଅତି କମ୍ରେ ୧୦୦୦ ରନ୍ ସଂଗ୍ରହରେ ସର୍ବାଧିକ ହାରାହାରି ତାଲିକାରେ ରୋହିତ ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ (୭୦.୩), ନ୍ୟୁଜିଲାଣ୍ଡ୍ର କେନ୍ ୱିଲିୟମ୍ସନ (୬୯.୬) ପ୍ରଥମ ଦୁଇ ସ୍ଥାନରେ ରହିଥିଲା ବେଳେ ରୋହିତଙ୍କ ହାରାହାରି ୬୬.୮ ରହିଛି। ଭାରତୀୟ ବାମହାତୀ ଓପ୍ନର ଶିଖର ଧାୱନ୍ (୬୪.୭) ଏହି ତାଲିକାର ଚତୁର୍ଥ ସ୍ଥାନ ପାଇଛନ୍ତି।