ଶତକରେ ଗାଙ୍ଗୁଲିଙ୍କୁ ଟପିଲେ ରୋହିତ

ସାଉଥ୍‌ମ୍ପଟନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧୈର୍ଯ୍ୟପୂର୍ଣ୍ଣ ଶତକ ସହ ରୋହିତ ଶର୍ମା ଚଳିତ ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଭାରତର ପ୍ରଥମ ମ୍ୟାଚ୍‌ରେ ରୋହିତ ୧୨୨ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଯାହା ବଳରେ ଭାରତ ୬ ୱିକେଟ୍‌ ବିଜୟ ସହ ଆଗକୁ ବଢ଼ିଛି। ରୋହିତ ଏହି ମ୍ୟାଚ୍‌ରେ ତାଙ୍କ ଦିନିକିଆ ଆନ୍ତର୍ଜାତିକ ଜୀବନର ୨୩ତମ ଶତକ ପୂରଣ କରିଥିଲେ। ଆଉ ସର୍ବାଧିକ ଶତକ ତାଲିକାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ସିଂହଳୀ ତାରକା ତିଳକରତ୍ନେ ଦିଲ୍‌ସାନ୍‌ (ଉଭୟ ୨୨ ଲେଖାଏଁ)ଙ୍କୁ ଟପି ଯାଇଥିଲେ। ଗାଙ୍ଗୁଲି ୩୧୧ ଓ ଦିଲ୍‌ସାନ୍‌ ୩୩୦ ମ୍ୟାଚ୍‌ରୁ ୨୨ ତମ ଶତକ ହାସଲ କରିଥିଲା ବେଳେ ରୋହିତ ୨୦୭ ମ୍ୟାଚ୍‌ରୁ ୨୩ତମ ଶତକ ଜମାଇଛନ୍ତି। ଏବେ ରୋହିତଙ୍କ ଆଗକୁ ସର୍ବାଧିକ ଶତକ ହାସଲରେ ଭାରତୀୟ ଖେଳାଳି ଭାବେ ଏବର ଅଧିନାୟକ ବିରାଟ କୋହଲି (୪୧) ଓ ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୪୯) ରହିଛନ୍ତି। ଉଭୟ ସଚିନ୍‌ ଓ କୋହଲି ମଧ୍ୟ ସର୍ବକାଳୀନ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ଶତକ ତାଲିକାରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବିଶ୍ବକପ୍‌ରେ ଏକାଧିକ ଶତକ ଜମାଇବାରେ ରୋହିତ ଶର୍ମା (୨) ଷଷ୍ଠ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ୍‌ ତେନ୍ଦୁଲକର (୬), ସୌରଭ ଗାଙ୍ଗୁଲି (୪), ବୀରେନ୍ଦ୍ର ସେହବାଗ୍‌ (୨), ଶିଖର ଧାୱନ୍‌ (୨) ଓ ରାହୁଲ ଦ୍ରାବିଡ୍‌ (୨) ଏହି ତାଲିକାରେ ସାମିଲ ହୋଇସାରିଛନ୍ତି। ୨୦୧୫ ବିଶ୍ବକପ୍‌ରେ ରୋହିତ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର