କୋହଲିଙ୍କ ସ୍ବାସ୍ଥ୍ୟକୁ ନେଇ ରୋହିତ ଖୋଲିଲେ ମୁହଁ

ଅହମଦାବାଦ: ବିରାଟ କୋହଲିଙ୍କ ସ୍ବାସ୍ଥ୍ୟକୁ ନେଇ ଇଣ୍ଟରନେଟ୍‌ରେ ଝଡ଼ ସୃ‌ଷ୍ଟି ହେବା ପରେ ଅଧିନାୟକ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ‘ମୁଁ ଭାବୁନି ସେ ଅସୁସ୍ଥ ଅଛନ୍ତି, କେବଳ ସାମାନ୍ୟ କାସୁଥିଲେ। ଏହା ସ୍ବାସ୍ଥ୍ୟ ଦୃଷ୍ଟି କୋଣରୁ ସେଭଳି କିଛି ଖରାପ ନୁହେଁ’ ବୋଲି ସୋମବାର ମ୍ୟାଚ୍‌ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ରୋହିତ ପ୍ରକାଶ କରିଛନ୍ତି। ସୋମବାର ଶେଷ ହୋଇଥିବା ଅହମଦାବାଦ ଟେଷ୍ଟ୍‌ରେ କୋହଲି ଦୁଇ ଦିନ ବ୍ୟାପୀ ୫୧୭ ମିନିଟ୍‌ ବ୍ୟାଟିଂ କରିବା ସହ ‌ଧୈର୍ଯ୍ୟପୂର୍ଣ୍ଣ ୧୮୬ ରନ୍‌ର ପାଳି ଖେଳିଥିଲେ। ନିଜର ବହୁ ପ୍ରତୀକ୍ଷିତ ୨୮ତମ ଟେଷ୍ଟ୍ ଶତକକୁ ୪୦ ମାସ ପରେ ଅର୍ଜନ କରିଥିଲେ। ଚତୁର୍ଥ ଦିନ ଖେଳ ପରେ ପତ୍ନୀ ଅନୁଷ୍କା ଶର୍ମା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଲେଖିଥ‌ିଲେ ‘ଅସୁସ୍ଥତା ଭିତରେ ସେ ନିୟନ୍ତ୍ରଣରେ ବ୍ୟାଟିଂ କରିଥିଲେ,‌ ଏହା ମୋତେ ସର୍ବଦା ପ୍ରେରଣା ଦିଏ’।

ଏହା ପରେ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ଚିନ୍ତା ପ୍ରକଟ କରିବାରେ ଲାଗିପଡ଼ିଥିଲେ। କୋହଲିଙ୍କ ସହ ୧୬୨ ରନ୍‌ ଭାଗୀଦାରି କରିଥିବା ଅକ୍ଷର ପଟେଲଙ୍କୁ ପ୍ରଶ୍ନ ହେବାରୁ ସେ କହିଥିଲେ ‘ମୁଁ ଜାଣିନି, ସେ ଯେଭଳି ଭାବେ ଦୌଡ଼ୁଥିଲେ ଅସୁସ୍ଥ ଥିବା ଭଳି ଲାଗୁନଥିଲେ। ବଡ଼ ଭାଗୀଦାରିରେ ତାଙ୍କ ରନିଂ ବିଟୁଇନ୍ ଦ ୱିକେଟ୍‌ ଭଲ ଥିଲା। ତାଙ୍କ ସହ ବ୍ୟାଟିଂ କରିବା ସବୁବେଳେ ମଜାଦାର’। ରୋହିତ ଏକଥା ମଧ୍ୟ କହିଥିଲେ ‘ମୁଁ ଭାବୁନି ତାଙ୍କ ପିଠିରେ ମାଙ୍କଡ଼ ବସିଥିଲା। ବିରାଟ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମୁଣ୍ଡରେ ଅନ୍ୟ କିଛି ଚାଲେ ନାହିଁ, ଦଳ ପାଇଁ ବଡ଼ ସ୍କୋର୍‌ ସେ ବର୍ଷ ବର୍ଷ ଧରି କରି ଆସିଛନ୍ତି, ପ୍ରତିଟି ସୁଯୋଗରେ ସେ ଏଭଳି କରିବାକୁ ଆଗ୍ରହୀ ଥା’ନ୍ତି। ସେ କେବଳ ସାମାନ୍ୟ କାସୁଥିଲେ, ଏହା ସେଭଳି କିଛି ସ୍ବାସ୍ଥ୍ୟଗତ ପ୍ରସଙ୍ଗ ନୁହେଁ’।

ସମ୍ବନ୍ଧିତ ଖବର