ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଚଳିତ ସଂସ୍କରଣରେ ପ୍ରଥମ ଥର ପୁରୁଣା ଲୟକୁ ଫେରିଛନ୍ତି। ମଙ୍ଗଳବାର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ତାଙ୍କର ଅର୍ଦ୍ଧଶତକୀୟ ପାଳି ବଳରେ ମୁମ୍ବାଇ ଏହି ମ୍ୟାଚ୍‌କୁ ଶେଷ ବଲ୍‌ରେ ଜିତିଥିଲା। ମ୍ୟାଚ୍‌ ଶେଷ ହେବା ପରେ ରୋହିତ ତାଙ୍କ ପତ୍ନୀ ରିତିକା ସାଜଦେଙ୍କୁ ଭିଡିଓ କଲ୍‌ କରି ବିଜୟ ଉତ୍ସବ ପାଳନ କରିଥିଲେ। ‌ମ୍ୟାଚ୍‌ ଯେତେବେଳେ ଶେଷ ଓଭରକୁ ଚାଲିଯାଇଥିଲା, ସେତେବେଳେ ରୋହିତ ନର୍ଭସ ହୋଇଯାଇ ଆଉ ମ୍ୟାଚ୍‌ ଦେଖିପାରିନଥିଲେ ଓ ଡ୍ରେସିଂ ରୁମ୍‌ ଭିତରକୁ ଚାଲିଯାଇଥିଲେ। କିନ୍ତୁ ମୁମ୍ବାଇ ମ୍ୟାଚ୍‌କୁ ଜିତିବା ପରେ ତାଙ୍କ ଖୁସିର ସୀମା ନଥିଲା ବୋଲି ରିତିକାଙ୍କୁ କହିଥିଲେ ରୋହିତ। ରୋହିତଙ୍କ ହାତରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଟ୍ରଫି ଦେଖି ଝିଅ ସମାଇରା ମଧ୍ୟ ଖୁସି ହୋଇଯାଇଥିବା ରିତିକା ଜଣାଇଥିଲେ। ହେଲେ କେବଳ ଟ୍ରଫି ଦେଖିଲେ ନା ତାଙ୍କ ବ୍ୟାଟିଂ ବି ଦେଖିଥିଲେ କି ବୋଲି ରୋହିତ ପାଲଟା ପ୍ରଶ୍ନ କରିଥିଲେ। ତେବେ ସମାଇରାଙ୍କ ପାଇଁ ରୋହିତ ଚଳିତ ଆଇପିଏଲ୍‌ ଟ୍ରଫି ଜିତିବେ ବୋଲି ରିତିକାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଲଗାତର ଭାବେ ପରାଜୟର ସାମ୍ନା କରିଆସୁଥିବା ମୁମ୍ବାଇ ପାଇଁ ଏହି ବିଜୟ ନିହାତି ଆବଶ୍ୟକ ଥିଲା। ଏହାଫଳରେ ଦିଲ୍ଲୀ ଲଗାତାର ଚତୁର୍ଥ ପରାଜୟ ସହ ପଏଣ୍ଟ ଖାତା ଖୋଲିବା ଅପେକ୍ଷାରେ ରହିଯାଇଛି।