ରୋହିତ-ରାହାଣେ ରାଜୁତି, ବ୍ରାଡ୍‌ମ୍ୟାନ୍‌ଙ୍କ ୭୧ ବର୍ଷର କୀର୍ତ୍ତିମାନ ଟପିଲେ ରୋହିତ

ଭାରତ ୪୯୭/୯ରେ ଘୋଷିତ; ଦକ୍ଷିଣ ଆଫ୍ରିକା ୯/୨

ରାଞ୍ଚି: ରୋହିତ ଶର୍ମାଙ୍କ ରାଜ ଏବଂ ସାଥୀ ମୁମ୍ବାଇକର ଅଜିଙ୍କ୍ୟ ରାହାଣେଙ୍କ ବହୁ ପ୍ରତୀକ୍ଷିତ ଘରୋଇ ଟେଷ୍ଟ୍ ଶତକ ବଳରେ ରାଞ୍ଚିରେ ବି ଭାରତ ବଡ଼ ସ୍କୋର୍ କରିନେଇଛି। ବର୍ଷା ଆଶଙ୍କା ଏବଂ ଆଲୋକ ଅଭାବ ପରିସ୍ଥିତି କାରଣରୁ ଚା’ପାନ ବିରତି ବେଳକୁ ଭାରତ ୪୯୭/୯ରେ ମଧ୍ୟ ପାଳି ଘୋଷଣା କରିଦେଇଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଯଥା ପୂର୍ବଂ ତଥା ପରଂ ଭଳି ୯ ରନ୍‌ରେ ୨ ୱିକେଟ୍‌ ହରାଇଦେଇଛି। ଆଲୋକ ଅଭାବରୁ ପ୍ରଥମ ଦୁଇ ଦିନରେ ମୋଟ ୫୮ ଓଭର ଖେଳ ସମ୍ଭବ ହୋଇପାରିନାହିଁ। ଏହି କାରଣରୁ ହିଁ ଭାରତ ଆଗୁଆ ପାଳି ଘୋଷଣା କରିବାକୁ ବାଧ୍ୟ ହୋଇଛି।

ରବିବାର ଭାରତ ୨୨୪/୩ରୁ ଖେଳିଥିଲା। ମୁମ୍ବାଇ ଯୋଡ଼ି ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ ଚତୁର୍ଥ ୱିକେଟ୍ ପାଇଁ ୨୬୭ ରନ୍ ଯୋଡ଼ିବା ପରେ ଅଲଗା ହୋଇଥିଲେ। ରାହାଣେ ଦୀର୍ଘ ୩ ବର୍ଷ ପରେ ଘରୋଇ ମାଟିରେ ଶତକ ହାସଲ କରିଥିଲେ। ଏହା କିନ୍ତୁ ଥିଲା ତାଙ୍କ ଟେଷ୍ଟ୍‌ ଜୀବନର ଏକାଦଶ ତିନି ଅଙ୍କ ବିଶିଷ୍ଟ ସ୍କୋର୍‌। ରୋହିତ କିନ୍ତୁ ପାଳି ଆରମ୍ଭ କରିବା ସହିତ‌ ଟେଷ୍ଟ୍ ଦଳକୁ ପ୍ରତ୍ୟାବର୍ତନ କରିବା ପରଠାରୁ ଜବରଦସ୍ତ ଫର୍ମକୁ ଜାରି ରଖିଛନ୍ତି। ପୂର୍ବଦିନ ଶତକ ପୂରଣ କରିଥିବା ବେଳେ ରବିବାର ଏହାକୁ ଦ୍ବିଶତକରେ ପରିଣତ କରି ଦେଇଥିଲେ। ରୋହିତଙ୍କ ପାଇଁ ଏହା ଥିଲା ପ୍ରଥମ ଦ୍ବିଶତକ। ଲୁଙ୍ଗି ଏନ୍‌ଗିଡିଙ୍କୁ ଛକା ମାରି ରୋହିତ ମଧ୍ୟ ବ୍ୟକ୍ତିଗତ ଭାବେ ୧୯୯ରୁ ୨୦୫କୁ ଲମ୍ଫ ମାରି ଏହି ସ୍ମରଣୀୟ ଦ୍ବିଶତକକୁ ଉପଭୋଗ କରିଥିଲେ। ଗୋଟିଏ ବଲ୍ ପରେ ମଧ୍ୟ ତାଙ୍କୁ ଆଉ ଏକ ଛକା ମାରିଥିଲେ। ତେବେ କିଛି ସମୟ ପରେ ରବାଦା ତାଙ୍କୁ ସେହି ଏନ୍‌ଗିଡିଙ୍କ ହାତରେ କ୍ୟାଚ୍‌ କରାଇନେଇଥିଲେ। ୨୫୫ ବଲ୍‌ ଖେଳି ରୋହିତ ୨୮ ଚୌକା ଓ ୬ ଛକା ବଳରେ ୨୧୨ ରନ୍ କରିଥିଲେ। ଦିନିକିଆ କ୍ରିକେଟ୍‌ରେ ୩ ଦ୍ବିଶତକ ହାସଲ କରିଥିବା ରୋହିତ ଚଳିତ ଶୃଙ୍ଖଳାରେ ନିଜର ତୃତୀୟ ଏବଂ ଟେଷ୍ଟ୍ ଜୀବନର ଷଷ୍ଠ ଶତକ ଅର୍ଜନ କରିଥିଲେ। ଚଳିତ ଶୃଙ୍ଖଳାରେ ୫୦୦ ରନ୍ ଅତିକ୍ରମ କରିବା ସହିତ ଘରୋଇ ପରିବେଶରେ ନିଜ ବ୍ୟାଟିଂ ହାରାହାରିକୁ ୯୯.୮୪ରେ ପହଞ୍ଚାଇ ବ୍ରାଡମ୍ୟାନ୍‌ (୯୮.୨୨)କୁ ପଛରେ ପକାଇ ଦେଇଥିଲେ ରୋହିତ। ମୁମ୍ବାଇ ଯୋଡ଼ିଙ୍କ ଦ୍ବିଶତକ ଭାଗୀଦାରି ପାଳି ପରେ ରବୀନ୍ଦ୍ର ଜାଦଜୋ (୫୧, ୧୧୯ ବଲ୍‌), ରିଦ୍ଧିମାନ ସାହା (୨୪, ୪୨ ବଲ) ଏବଂ ‌ବ‌ିସ୍ଫୋରକ ଉମେଶ ଯାଦବ (୩୧, ୧୦ ବଲ୍‌, ୫ ଛକା)ଙ୍କ ବଳରେ ଭାରତ କାଳ ବିଳମ୍ବ ନ କରି ଚା’ପାନ ବିରତି ବେଳେ ହିଁ ପାଳି ଘୋଷଣା କରି ଦେଇଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ଆଲୋକ ଅଭାବ ବାଧା ପୂର୍ବରୁ ମାତ୍ର ୫ ଓଭର ଖେଳି ପାରିଥିଲା। ପାଳିର ଦ୍ବିତୀୟ ବଲ୍‌ରେ ଡିନ୍ ଏଲଗାର (୦)ଙ୍କୁ ମହମ୍ମଦ ସାମି ଏବଂ ଦ୍ବିତୀୟ ଓଭରର ଶେଷ ବଲ୍‌ରେ କ୍ବିଣ୍ଟନ ଡି’ କକ୍‌ (୪)ଙ୍କୁ ଉମେଶ ଯାଦବ ସମାନ ଢଙ୍ଗରେ ୱିକେଟ୍‌ରକ୍ଷକ ରିଦ୍ଧିମାନ ସାହାଙ୍କ ଗ୍ଲୋଭ୍‌ସରେ କ୍ୟାଚ୍‌ କରାଇ ନେଇଥିଲେ। ଏହାପରେ ରାଞ୍ଚିର ଅନ୍ଧାରିଆ ପରିବେଶ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ରବିବାର ଅଧିକ ବିପର୍ଯ୍ୟୟରୁ ରକ୍ଷା କରିଥିଲା।

ସଚିନ୍, ସେହବାଗ୍‌, ଗେଲ୍‌ଙ୍କ ସମକକ୍ଷ ରୋହିତ
ଗୋଟିଏ ବୋଲରଙ୍କୁ ସର୍ବାଧିକ ଛକା ମାରିବାରେ ପ୍ରଥମ

ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ରବିବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍‌ର ଶନିବାର ପ୍ରଥମ ଦିବସରେ ଅପରାଜିତ ଶତକୀୟ ପାଳି ଅବସରରେ ସର୍ବାଧିକ ଛକା (ଗୋଟିଏ ଶୃଙ୍ଖଳାରେ) ମାରିବାରେ ବିଶ୍ବ କୀର୍ତ୍ତିମାନ ରଚିଥିବା ରୋହିତ ରବିବାର ଦ୍ବିତୀୟ ଦିବସରେ ଦ୍ବିଶତକ ଜମାଇଥିଲେ। ଏହା ରୋହିତଙ୍କ ଟେ‌ଷ୍ଟ୍‌ ଜୀବନର ପ୍ରଥମ ଦ୍ବିଶତକ ଥିଲା। ପୂର୍ବରୁ ଦିନିକିଆ ଆନ୍ତର୍ଜାତିକରେ ମଧ୍ୟ ରୋହିତ ଦ୍ବିଶତକ ହାସଲ କରିଥିଲେ। ଫଳରେ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ଜମାଇବାରେ ରୋହିତ ବିଶ୍ବର ଚତୁର୍ଥ ବ୍ୟାଟ୍‌ସମ୍ୟାନ୍‌ ହୋଇଥିଲେ। ଏକ୍ଷେତ୍ରରେ ସେ ଦୁଇ ଭାରତୀୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ସମକକ୍ଷ ହୋଇଥିଲେ। ଦିନିକିଆ ଆନ୍ତର୍ଜାତିକରେ ରୋହିତ ୩ ଦ୍ବିଶତକ ମାରିଛନ୍ତି।

୯୯.୮୪: ରବିବାର ରାଞ୍ଚି ଟେଷ୍ଟ୍‌ରେ ୨୧୨ ରନ୍‌ର ପାଳି ଖେଳିବା ପରେ ଘରୋଇ ଟେଷ୍ଟ୍‌ରେ ରୋହିତଙ୍କ ହାରାହାରି ୯୯.୮୪ ହୋଇଛି। ସେ ମୋଟ ୧୮ ପାଳିରୁ ୧୨୯୮ ରନ୍‌ କରିଲେଣି। ‌ଯେଉଁଥିରେ ୬ ଶତକ ଓ ୫ ଅର୍ଧଶତକ ସାମିଲ ରହିଛି। ବିଶେଷକରି ଭାରତରେ ନିଜର ଶେଷ ୯ ଟେଷ୍ଟରେ ରୋହିତ ଯଥାକ୍ରମେ ୮୨*, ୫୧*, ୧୦୨*, ୬୫, ୫୦*, ୧୭୬, ୧୨୭, ୧୪ ଓ ୨୧୨ ସ୍କୋର୍‌ କରିଛନ୍ତି। ଘରୋଇ ମାଟିରେ ୧୦ରୁ ଅଧିକ ପାଳି ମଧ୍ୟରେ ରୋହିତଙ୍କ ୯୯.୮୪ କୌଣସି ବି ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ସର୍ବାଧିକ। ରୋହିତ ଏକ୍ଷେତ୍ରରେ କିମ୍ବଦନ୍ତୀ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୯୮.୨୨ ହାରାହାରି)ଙ୍କ ୭୧ ବର୍ଷ ତଳର କୀର୍ତ୍ତିମାନକୁ ଟପି ଯାଇଛନ୍ତି।

୫୨୯: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ରୋହିତ ମୋଟ ୫୦୦ ରନ୍‌ ଟପି ଯାଇଛନ୍ତି। ଆଉ ଏହା କରିବାରେ ସେ ପଞ୍ଚମ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ବିନୁ ମଙ୍କଡ଼, ବୁଦ୍ଧି କୁନ୍ଦରନ୍‌, ସୁନିଲ ଗାଭାସ୍କର ଏବଂ ବୀରେନ୍ଦ୍ର ସେହବାଗ୍‌ ଏହି କ୍ଲବ୍‌ର ସଦସ୍ୟ ରହିଛନ୍ତି। ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୪ ପାଳି ଖେଳି ୫୨୯ ରନ୍‌ କରିସାରିଛନ୍ତି। ଭାରତୀୟ ଭାବେ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍‌ କରିବାର କୀର୍ତ୍ତିମାନ ସେହବାଗ୍‌ (୫୪୪ ରନ୍‌, ୨୦୦୫ରେ ପାକିସ୍ତାନ ବିପକ୍ଷରେ)ଙ୍କ ନାମରେ ରହିଥିଲା ବେଳେ ରୋହିତ ଦ୍ବିତୀୟରେ ରହିଲେ। ଏହି ୫ ଭାରତୀୟଙ୍କ ମଧ୍ୟରୁ କେବଳ ଗାଭାସ୍କର ହିଁ ୫ ଥର ଗୋଟିଏ ଲେଖାଏଁ ଶୃଙ୍ଖଳାରେ ୫୦୦ରୁ ଅଧିକ ରନ୍‌ କରିଛନ୍ତି।

୦: ଅନ୍ୟପକ୍ଷରେ ଗୋଟିଏ ଶୃଙ୍ଖଳାରେ ୪ ବା ତା’ଠୁ କମ୍‌ ପାଳି ଖେଳି ୫୨୯ ରନ୍‌ କରିବାରେ ରୋହିତ ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ହେଲେ। ତାଙ୍କ ପୂର୍ବରୁ କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ରୋହିତଙ୍କ ତୁଳନାରେ ଅଧିକ ରନ୍‌ କରିନଥିଲେ। ଏହା ପୂର୍ବରୁ ସର୍ବାଧିକ ୪୯୧ ରନ୍‌ (୨୦୦୯-୧୦, ଶ୍ରୀଲଙ୍କା ବିପକ୍ଷ) ସେହବାଗ୍‌ଙ୍କ ନାମରେ ଥିଲା। ପୁଣି ରୋହିତଙ୍କ ୫୨୯ ରନ୍‌ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଚତୁର୍ଥ ସର୍ବାଧିକ।

୩: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଭାରତ ପାଇଁ ତିନି ଜଣ ବ୍ୟାଟ୍‌ସମ୍ୟାନ୍‌ ଦ୍ବିଶତକ ଜମାଇଛନ୍ତି। ବିଶାଖାପାଟଣାରେ ମୟଙ୍କ ଅଗ୍ରୱାଲ, ପୁନେରେ ଅଧିନାୟକ ବିରାଟ କୋହଲି ଏବଂ ଚଳିତ ରାଞ୍ଚି ଟେଷ୍ଟ୍‌ରେ ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି। ଫଳରେ ପ୍ରଥମ ଥର ପାଇଁ ଭାରତ କୌଣସି ଏକ ଟେ‌ଷ୍ଟ ଶୃଙ୍ଖଳାରେ ୨ ଜଣରୁ ଅଧିକ ଦ୍ବିଶତକ ହାସଲକାରୀଙ୍କୁ ଦେଖିଲା। ତେବେ କ୍ରିକେଟ୍‌ ଇତିହାସରେ କୌଣସି ଟେଷ୍ଟ୍‌ ଶୃଙ୍ଖଳାରେ ୩ ଜଣ ଦ୍ବିଶତକ ଜମାଇବାରେ ଏହା ଚତୁର୍ଥ ଥର। ଶେଷ ଥର ପାଇଁ ଇଂଲଣ୍ଡ ୨୦୧୧ରେ ଭାରତ ଗସ୍ତରେ ଆସିଥିବା ବେଳେ ଆଲିଷ୍ଟର କୁକ୍‌, ଇଆନ୍‌ ବେଲ୍‌ ଏବଂ କେଭିନ୍‌ ପିଟରସନ୍‌ ଦ୍ବିଶତକ ହାସଲ କରିଥିଲେ।

୧୯: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ରୋହିତ ଶର୍ମା ମୋଟ ୧୯ ଛକା ମାରିଛନ୍ତି। ଯାହାକି ଏକ ଟେଷ୍ଟ୍‌ ଶୃଙ୍ଖଳାରେ କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସର୍ବାଧିକ। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ସିମ୍ରନ୍‌ ହେଟ୍‌ମେୟର (୧୫)ଙ୍କ ନାମରେ ସର୍ବାଧିକ କୀର୍ତ୍ତିମାନ ରହିଥିଲା। ରୋହିତ ମଧ୍ୟ ତାଙ୍କ ଟେଷ୍ଟ୍‌ ଜୀବନ ମଧ୍ୟରେ ୫୦ ଛକା ମାରିସାରିଲେଣି। ଦକ୍ଷିଣ ଆଫ୍ରିକା ବିପକ୍ଷ ୧୯ ଛକା ମଧ୍ୟରୁ କେବଳ ଅଫ୍‌ସ୍ପିନର ଡାନେ ପିଦ୍‌ଙ୍କୁ ସେ ୧୧ ଛକା ମାରିଛନ୍ତି। ଗୋଟିଏ ଶୃଙ୍ଖଳାରେ ଜଣେ ବୋଲରଙ୍କ ବିପକ୍ଷରେ କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ କ୍ଷେତ୍ରରେ ଏହା ସର୍ବାଧିକ।

୧୯୭୮: ଶେଷ ଥର ପାଇଁ ଜଣେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ଗୋଟିଏ ଶୃଙ୍ଖଳାରେ ୩ ବା ତା’ଠୁ ଅଧିକ ଶତକ ମାରିଥିଲେ ସୁନିଲ ଗାଭାସ୍କର। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସେ ଏହି ସଫଳତା ହାତେଇଥିଲେ। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ରୁ ଅଧିକ ଶତକ ମାରି ରୋହିତ ଏକ୍ଷେତ୍ରରେ ଦ୍ବିତୀୟ ଭାରତୀୟ ଓପ୍‌ନର ହୋଇଛନ୍ତି। ଗାଭାସ୍କର ୧୯୭୦ ଦଶକରେ ତିନି ଥର ଏଭଳି ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର