ଜୟପୁର: ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍ରେ ହରାଇ ଦେଇଛି ଭାରତ। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ନ୍ୟୁଜିଲାଣ୍ଡର ୧୬୫ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ହାସଲ କରି ନେଇ ବିଶ୍ବକପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଊନ୍ନବିଂଶ ମ୍ୟାଚ୍ରୁ ଟିମ୍ ଇଣ୍ଡିଆର ଏହା ନବମ ବିଜୟ ଥିଲା। ସବୁ ଫର୍ମାଟ୍କୁ ମିଶାଇ ନ୍ୟୁଜିଲାଣ୍ଡଠାରୁ ଲଗାତାର ୭ ପରାଜୟ ଧାରାକୁ ବି ଭାଙ୍ଗିଥିଲା ଭାରତ। ସୂର୍ଯ୍ୟ କୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବୁଧବାର ଦୁଇ ଭାରତୀୟ ଓପନର କେଏଲ୍ ରାହୁଲ (୧୫) ଓ ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା (୪୮) ବିଶ୍ବକପ୍ ବିଫଳତାକୁ ଭୁଲି ଆତ୍ମବିଶ୍ବାସର ସହ ଭାରତର ପଶ୍ଚାତଧାବନ ଆରମ୍ଭ କରିଥିଲେ। ଷଷ୍ଠ ଓଭରର ପ୍ରଥମ ବଲ୍ରେ କିନ୍ତୁ ରାହୁଲଙ୍କୁ ମିଚେଲ ସାଣ୍ଟନର ଚତୁରତାର ସହ ଚାପମ୍ୟାନ୍ଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ବିସ୍ଫୋରକ ବ୍ୟାଟିଂ କରୁଥିବା ରୋହିତ ନିଜ ଅର୍ଦ୍ଧଶତକର ୨ ରନ୍ ପୂର୍ବରୁ ପୁଣି ଥରେ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ରୋହିତ ଏବଂ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିବା ସୂର୍ଯ୍ୟକୁମାର ଯାଦବ (୬୨) ଦ୍ବିତୀୟ ୱିକେଟ୍ରେ ୫୯ ରନ୍ ଯୋଡ଼ି ନେଇଥିଲେ। ଫଳରେ ଭାରତ ବିଜୟ ବାସ୍ନା ବାରିବା ଆରମ୍ଭ କରିନେଇଥିଲା। ହେଲେ ଶେଷ ୩ ଓଭରରେ ନ୍ୟୁଜିଲାଣ୍ଡ ଜୋରଦାର ଲଢ଼େଇ କରିଥିଲା। ସୂର୍ଯ୍ୟକୁମାର, ଶ୍ରେୟସ୍ ଆୟର (୫)ଙ୍କ ୱିକେଟ୍ ନେବା ସହ ଭାରତୀୟ ବ୍ୟାଟର୍ଙ୍କୁ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା। ଫଳରେ ଶେଷ ଓଭରରୁ ଭାରତକୁ ବିଜୟ ପାଇଁ ୧୦ ରନ୍ର ଦରକାର ଥିଲା। ପଦାର୍ପଣକାରୀ ଭେଙ୍କଟେଶ ଆୟର (୪) ଚୌକା ମାରି ଭାରତୀୟ ପ୍ରଶଂସକଙ୍କ ଚିନ୍ତା ଦୂର କରିଥିଲେ। ଏହା ପରେ ଋଷଭ ପନ୍ତ ଆଗକୁ ଆସି ଆଉ ଏକ ସୁନ୍ଦର ଚୌକା ମାରିବା ସହ ୨ ବଲ୍ ପୂର୍ବରୁ ଭାରତ ବିଜୟରେ ମୁଣ୍ଡି ମାରିଥିଲେ।
ଗପ୍ଟିଲ ଓ ଚାପମ୍ୟାନ୍ଙ୍କ ଅର୍ଦ୍ଧଶତକ
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପାଳିର ମେରୁଦଣ୍ଡ ଥିଲା ମାର୍ଟିନ ଗପ୍ଟିଲ (୭୦) ଓ ମାର୍କ ଚାପମ୍ୟାନ୍ (୬୩)ଙ୍କ ଅର୍ଦ୍ଧଶତକ। ଏହି ଦୁଇ ଜଣଙ୍କ ପାଇଁ ହିଁ କିୱି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୪ ରନ୍ କରିନେଇଥିଲା। ଓପନର ଡାରେଲ ମିଚେଲ(୦)ଙ୍କୁ ମାତ୍ର ୧ ରନ୍ରେ ହରାଇବା ପରେ ଗପ୍ଟିଲ ଓ ଚାପମ୍ୟାନଙ୍କ ୧୦୯ ରନ୍ର ଭାଗୀଦାରି ପାଇଁ ନ୍ୟୁଜିଲାଣ୍ଡ ଏକଦା ବହୁତ ଭଲ ସ୍ଥତିରେ ଥିଲା। ହେଲେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଏହି ଦଳକୁ ବଡ଼ ସ୍କୋର କରିବାରୁ ସଫଳତାର ସହ ରୋକି ଦେଇଥିଲେ। ଗୋଟିଏ ଓଭରରେ ଚାପମ୍ୟାନ୍ ଓ ଗ୍ଲେନ୍ ଫିଲିପ୍ସ (୦)ଙ୍କ ୱିକେଟ୍ ନେଇ ସ୍ପିନର ଆର୍ ଅଶ୍ବିନ ହିଁ ଭାରତକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ଟିମ୍ ସେଫର୍ଟ (୧୨) ଓ ରାଚିନ ରବୀନ୍ଦ୍ର (୭)ଙ୍କୁ ମଧ୍ୟ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂର ଶିକାର ହୋଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୧୮୦ ରନ୍ କରିବାର ଲକ୍ଷ୍ୟ ହାସଲ କରିପାରିନଥିଲା। ଭାରତ ପାଇଁ ଅଶ୍ବିନ ଓ ଭୁବନେଶ୍ବର କୁମାର ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ଦୀପକ ଚହର ଓ ମହମ୍ମଦ ସିରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ଷ୍ଟାଡିୟମ୍କୁ ଫେରି ପ୍ରଶଂସକ ଆତ୍ମହରା
ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଥିଲା। କରୋନା ସତର୍କତା ଅବଲମ୍ବନ କରି ପୂରା ଗ୍ୟାଲେରିର ପାଖାପାଖି ୮,୦୦୦ ଟିକେଟ ସାଧରଣ ଦର୍ଶକଙ୍କୁ ବିକ୍ରି କରାଯାଇଥିଲା। ତେବେ ଷ୍ଟାଡିୟମ୍ରେ ପାଖାପାଖି ୨୦,୦୦୦ ଦର୍ଶକ ଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ଦର୍ଶକ ଷ୍ଟାଡିୟମ୍ ଗ୍ୟାଲେରିରେ ବସି ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିବାରୁ ବେଶ୍ ଖୁସି ଥିଲେ। ରଙ୍ଗ ବେରଙ୍ଗ ବେଶ ଧରି ସେମାନେ ଷ୍ଟାଡିୟମ୍ ଆସିବା ସହ ଭାରତୀୟ ଦଳର ମନୋବଳ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଯାହା ଏହି ମ୍ୟାଚ୍କୁ ଅଧିକ ରୋଚକ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/65d4g654adg65gadggdgdgdgd.jpg)