ରାଜକୋଟରେ ରୋହିତ ରାଜ୍: ବାଂଲାଦେଶ ୮ ୱିକେଟ୍‌ରେ ପରାସ୍ତ, ଶୃଙ୍ଖଳା ୧-୧

ଚହଲ ଚମକରେ ବାଂଲା ଅଟକିଲା

ରାଜକୋଟ: ଭାରତୀୟ କ୍ରିକେଟ୍ ଦଳ ରାଜକୋଟରେ ଦିଲ୍ଲୀ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଗୁରୁବାର ଅଧିନାୟକ ରୋହିତ ଶର୍ମା (୮୫)ଙ୍କ ରୋମାଞ୍ଚକର ପାଳି ବଳରେ ବାଂଲାଦେଶକୁ ୮ ୱିକେଟ୍‌ରେ ହରାଇ ସଫଳ ପ୍ରତ୍ୟାବର୍ତନ କରିଛି। ତା’ ସହ ତିନି ଟିକିଆ ଶୃଙ୍ଖଳାକୁ ୧-୧ କରି ନେଇଛି। ଦିଲ୍ଲୀରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦କୁ ବାଂଲାଦେଶ ଅପ୍ରତ୍ୟାଶିତ ଭାବେ ଜିତି ନେଇଥିଲା। ରାଜକୋଟ‌ରେ କିନ୍ତୁ ଭାରତ ପୂରା ରାଜୁତି କରିଛି। ସେଥିପାଇଁ ରବିବାର ‌ନାଗପୁରରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଶୃଙ୍ଖଳା ନିର୍ଣ୍ଣାୟକ ହେବାକୁ ଯାଉଛି। ‘ମହା’ ବାତ୍ୟାର ଆଶଙ୍କା ଦୂର ହେବା ପରେ ଆଜି ନିର୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତକୁ ବାଂଲାଦେଶ ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତ ଏହାକୁ ୨୬ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବାଂଲାଦେଶ ବିପକ୍ଷରେ ୧୦ ମୁକାବିଲାରୁ ଭାରତର ଏହା ନବମ ବିଜୟ ଥିଲା। ଶହେତମ ଟ୍ବେଣ୍ଟି-୨୦ରେ ଖେଳିଥିବା ସ୍ମରଣୀୟ ପାଳି ପାଇଁ ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଚହଲ ଚମକରେ ବାଂଲା ଅଟକିଲା
ଗୁରୁବାର ଭାରତ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦିଲ୍ଲୀ ବିଜୟ (ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦କୁ ୭ ୱିକେଟ୍‌ରେ ଜିତିଥିଲା) ପରେ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲିଟନ ଦାସ (୨୯) ଓ ମହମ୍ମଦ ନଇମ (୩୬) ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୭ ଓଭରରେ ଭାରତୀୟ ବୋଲିଂ ବାହିନୀକୁ ନିର୍ଧୁମ ଛେଚିଥି‌ଲେ। ଲିଟନ ଦୁଇଟି ଜୀବନ ଦାନ (ଷ୍ଟମ୍ପିଂ ଓ କ୍ୟାଚ୍) ପାଇବା ପରେ ଏହାର ଭରପୁର ଫାଇଦା ଉଠାଇଥିଲେ। ନଇମ ମଧ୍ୟ ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ଏହି ଦୁଇ ଜଣଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବାଂଲାଦେଶ ମାତ୍ର ୫.୪ ଓଭରରେ ୫୦ ରନ୍ ପୂରଣ କରିଥିଲା। ହେଲେ ମଧ୍ୟକ୍ରମ ବିପର୍ଯ୍ୟୟ ପାଇଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ବୋଲର ବିଫଳ ହେବା ପରେ ୱିକେଟ୍ ରକ୍ଷକ ଋଷବ ପନ୍ତ ଏକ ସିଧା ଥ୍ରୋରେ ଲିଟନଙ୍କୁ ଆଉଟ୍ କରି ଅଧିନାୟକ ରୋହିତ ଶର୍ମାଙ୍କୁ ଆଶ୍ବସ୍ତ କରିଥିଲେ। ଏହା ପରେ ଅବଶ୍ୟ ଘରୋଇ ବୋଲର ସଫଳ ପ୍ରତ୍ୟାବର୍ତନ କରିଥିଲେ। ବିଶେଷ କରି ସ୍ପିନର ୟୁଜବେନ୍ଦ୍ର ଚହଲ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ବାଂଲା ରନ୍ ହାରକୁ ଯଥେଷ୍ଟ କମାଇ ଦେଇଥିଲେ। ତ୍ରୟୋଦଶ ଓଭରରେ ଦିଲ୍ଲୀ ମୁକାବିଲାର ମୁଖ୍ୟ ନାୟକ ମୁସଫିକର ରହିମ (୪)ଙ୍କୁ କ୍ରୁନାଲ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇ ସେ ବାଂଲାଦେଶକୁ ସବୁଠାରୁ ବଡ଼ ଝଟ୍‌କା ଦେଇଥିଲେ। ସେହିଭଳି ପାଞ୍ଚଟି ବଲ୍ ପରେ ସୌମ୍ୟ ସରକାର (୩୦)ଙ୍କୁ ଆଉଟ୍ କରି ବାଂଲା‌ଦେଶକୁ ଯୁଗଳ ଝଟ୍‌କା ଦେଇଥିଲେ। ଅନ୍ୟପକ୍ଷରେ ଦ୍ରୁତ ବୋଲର ଦୀପକ ଚହର ପ୍ରତିପକ୍ଷ ଅଧିନାୟକ ମହମ୍ମଦୁଲ୍ଲା (୩୦)ଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ତେବେ ଭାରତ ଆଜି ମଧ୍ୟ ଦୁର୍ବଳ ‌କ୍ଷେତ୍ରରକ୍ଷଣ କରିଥିଲା। ଫଳରେ ଏକଦା ୧୪୦ ରନ୍ ତଳେ ଅଟକି ଯିବାର ଆଶଙ୍କା ଥିବା ବାଂଲାଦେଶ ୧୫୩ ରନ୍‌ରେ ପହଞ୍ଚି ଯାଇଥିଲା। ଶେଷ ଦୁଇ ଓଭରରେ ଭାରତୀୟ ବୋଲର ମାତ୍ର ୧୩ ରନ୍ ବ୍ୟୟ କରିଥିଲେ।

ଭାରତର ସଫଳ ପ୍ରତ୍ୟାବର୍ତନ
୧୫୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ପାଇଁ ଦୁଇ ପ୍ରାରମ୍ଭିକ ତାରକା ରୋହିତ ଶର୍ମା (୮୫) ଓ ଶିଖର ଧାୱନ (୩୧) ପ୍ରଥମ ୱିକେଟ୍‌ରେ ଦ୍ରୁତ ୧୧୮ ରନ୍ ଯୋଡ଼ିଥିଲେ। ଫଳରେ ପ୍ରଥମ ୧୦ ଓଭର ସୁଦ୍ଧା ହିଁ ଭାରତ ବିଜୟକୁ ପକ୍କା କରି ନେଇଥିଲେ। ରୋହିତ ଚୌକା, ଛକାର ବର୍ଷା କରି ମାତ୍ର ୨୩ ବଲ୍‌ରୁ ଅଷ୍ଟାଦଶ ଅର୍ଧଶତକ ପୂରଣ କରିଥିଲେ। ସେ ମଧ୍ୟ ଗୁରୁବାର ନିଜ ଶତକୀୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିଲେ। ସେହିଭଳି ଧମାକାଦାର ପାଳି ଭିତରେ ସୁରେଶ ରାଇନାଙ୍କୁ ଟପି ଟ୍ବେଣ୍ଟି-୨୦ (ସବୁ ପ୍ରକାର)ରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀରେ ଏକ ଅଙ୍କରେ ସୀମିତ ରହିବାର ରାଗ ରୋହିତ ରାଜକୋଟରେ ଶୁଝାଇଦେଲେ। ବାଂଲା ବୋଲରଙ୍କୁ ନିଜ ଇଚ୍ଛା ମୁତାବକ ଏବଂ ଆବଶ୍ୟକତା ଅନୁଯାୟୀ ଧୂଲେଇ କରିଥିଲେ। ରୋହିତ-ଶିଖରଙ୍କ ଆଉଟ୍ ପରେ ଲୋକେଶ ରାହୁଲ (୮*) ଓ ଶ୍ରେୟସ୍ ଆୟର (୨୪*) କେବଳ ଯାହା ବିଜୟର ଔପଚାରିକତା ପୂରଣ କରିଥିଲେ। ଅନ୍ୟପକ୍ଷରେ ଭାରତରେ ୨୦୦ରୁ କମ୍ ରନ୍‌କୁ ପିଛା କରି ଭାରତୀୟ କ୍ରିକେଟ୍ ଦଳ ଦ୍ବାଦଶ ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର