ଧାୱନ୍‌ଙ୍କ ସହ ପାଳି ଆରମ୍ଭର ପ୍ରଥମ ଅଭିଜ୍ଞତାକୁ ମନେ ପକାଇଲେ ରୋହିତ

ଧାୱନ୍‌ ଜଣେ ବୋକା, ସେ ଦ୍ରୁତ ବୋଲରଙ୍କୁ ଭୟ କରନ୍ତି

ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ୍‌ ସାଂପ୍ରତିକ ସମୟରେ ବିଶ୍ବ କ୍ରି‌କେଟ୍‌ର ଅନ୍ୟତମ ବିଧ୍ବଂଶକାରୀ ଯୋଡ଼ି ଭାବେ ପରିଗଣିତ ହୁଅନ୍ତି। ଉଭୟେ ରୋହିତ ଓ ଧାୱନ୍‌ ଏକାଠି ଦିନିକିଆ ଆନ୍ତର୍ଜାତିକରେ ୧୦୭ ପାଳି ଖେଳି ୪୮୦୨ ରନ୍‌ ସଂଗ୍ରହ କରିଛନ୍ତି। ଯାହାକି କୌଣସି ପ୍ରାରମ୍ଭିକ ଯୋଡ଼ି ୫୦ ଓଭରିଆ ଫର୍ମାଟ୍‌ରେ ସଂଗ୍ରହ କରିଥିବା‌ ରନ୍‌ ଭିତ୍ତିରେ ଚତୁର୍ଥ ସର୍ବାଧିକ। ଏହି ଦୁଇ ଜଣ ମଧ୍ୟ ଭାରତ ପାଇଁ ଅଧିକାଂଶ ମ୍ୟାଚ୍‌ ବିଜୟୀ ଭାଗୀଦାରି ଗଢ଼ିଛନ୍ତି। ସେଇଥି ପାଇଁ ତ ଭାରତୀୟ ଦଳ ଏବେ ଉଭୟ ରୋହିତ ଓ ଧାୱନ୍‌ଙ୍କ ଉପରେ ହିଁ ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ଦୁହେଁ ଭାରତକୁ ପ୍ରାୟ ମ୍ୟାଚ୍‌ରେ ଦୃଢ଼ ମୁଳଦୂଆ ଦେଇଥାନ୍ତି। ମ୍ୟାଚ୍‌ରେ ଭାରତକୁ ଭଲ ସ୍ଥିତି ଦେଇପାରୁଥିବା ଏହି ଦୁଇଜଣଙ୍କ ପାଇଁ କିନ୍ତୁ ଏକାଠି ପାଳି ଆରମ୍ଭ ବେଳ ସେତେଟା ଭଲ ନଥିଲା। ତାଙ୍କୁ କିଭଳି ଆରମ୍ଭରୁ ହଟହଟା ହେବାକୁ ପଡ଼ିଥିଲା ସେ ନେଇ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ୱର୍ନରଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ଭିଡିଓ ବାର୍ତାଳାପ ବେଳେ ରୋହିତ ଘଟଣାର ବର୍ଣ୍ଣନା କରିଛନ୍ତି। ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ବେଳର ସେହି ଅତି ହାସ୍ୟଜନକ ଘଟଣାର ସ୍ମୁତିକୁ ମନେ ପକାଇଛନ୍ତି ରୋହିତ। ସେତେବେଳେ ସେ ନୂଆ କରି ଭାରତୀୟ ଦଳରେ ପାଳି ଆରମ୍ଭ କରିବାକୁ ପଦୋନ୍ନତି ପାଇଥିଲେ। ତେବେ ପାଳି ଆରମ୍ଭ କରିବାକୁ ଆସିବା ବେଳେ ପ୍ରଥମ ବଲ୍‌କୁ ସାମ୍‌ନା କରିବା ପାଇଁ ତୁମେ କେବେ କେବେ ବାମହାତୀ ଧାୱନ୍‌ଙ୍କୁ କହିଥିବ ବୋଲି ରୋହିତଙ୍କୁ ଧାୱନ୍‌ଙ୍କ ସନ୍‌ ରାଇଜର୍ସ ହାଇଦ୍ରାବାଦ ସାଥୀ ତଥା ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ୱର୍ନର ପଚାରିଥିଲେ‌। ଏହାର ଉତ୍ତରରେ ରୋହିତଙ୍କ ପ୍ରଥମ ବାକ୍ୟ ଥିଲା ‘‘ସେ ଜଣେ ମୁର୍ଖ’’। ମୁଁ ଆଉ ବା କ’ଣ କହିପାରିବି। ସେ କଦାପି ପ୍ରଥମ ବଲ୍‌କୁ ସାମ୍‌ନା କରିବାକୁ ଚାହାନ୍ତି ନାହିଁ। ସେ ସ୍ପିନରଙ୍କୁ ସମ୍ମୁଖୀନ ହେବାକୁ ହିଁ ଭଲ ପାଆନ୍ତି। କିନ୍ତୁ ସେ କଦାପି ଦ୍ରୁତ ବୋଲରଙ୍କୁ ସାମ୍‌ନା କରିବାକୁ ପସନ୍ଦ କରନ୍ତିନି।

ମୁଁ ବିଶେଷକରି ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ବେଳର କଥା ସ୍ମରଣ କରୁଛି। ଯେଉଁଦିନ ଆମେ ଏକାଠି ଭାରତ ପାଇଁ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ପାଳି ଆରମ୍ଭ କରିଥିଲୁ। ମୋର ମନେ ଅଛି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ତାହା ମୋର ଦ୍ବିତୀୟ ପାଳି ଥିଲା। ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳୁଥିଲୁ। ଯେଉଁ ଦଳରେ ଡେଲ୍‌ ଷ୍ଟେନ୍‌, ମର୍ନି ମର୍କେଲଙ୍କ ଭଳି ଦ୍ରୁତ ବୋଲର ରହିଥିଲେ। ଏହା ପୂର୍ବରୁ ମୁଁ କେବେ ବି ସେମାନଙ୍କୁ ନୂଆ ବଲ୍‌ରେ ସାମ୍‌ନା କରିନଥିଲି। ତେଣୁ ମୁଁ ଧାୱନ୍‌ଙ୍କୁ କହିଲି, ତୁମେ ପ୍ରଥମେ ଷ୍ଟ୍ରାଇକ୍‌ ନିଅ। ମୁଁ କହିଥିଲି, ତୁମେ କିଛି ବର୍ଷ ଧରି ଖେଳିଲଣି। ହେଲେ ଏହା ମୋର ପ୍ରଥମ ଓଭର। ମୁଁ ପ୍ରଥମ ବଲ୍‌କୁ ସାମ୍‌ନା କରିପାରିବିନି, ତୁମେ ଏହା କର। ହେଲେ ସେ ଚଟାପଟ ନାହିଁ କରିଦେଲେ। ମୁଁ କହିଲି, ଯିଏ ନିୟମିତ ଭାବେ ପାଳି ଆରମ୍ଭ କରିଆସୁଛି ସେ ଷ୍ଟ୍ରାଇକ୍‌ ନେବାକୁ ଚାହୁଁନି। ତେଣୁ ମୁଁ ବାଧ୍ୟ ହୋଇ ପ୍ରଥମେ ଷ୍ଟ୍ରାଇକ୍‌ ନେଲି। ମର୍କେଲ ପ୍ରଥମ କିଛି ବଲ୍‌ ବୋଲିଂ କରିଥିଲେ। ଯାହାକୁ କି ମୁଁ ଦେଖିପାରିନଥିଲି। ମୁଁ ମଧ୍ୟ ବାଉଁସ୍‌କୁ ଆଶା କରୁନଥିଲି। ସେଥିପାଇଁ ପ୍ରସ୍ତୁତ ହୋଇନଥିଲି। ନୂଆ ବଲ୍‌ କିପରି ଥାଏ, ପୁଣି ଇଂଲଣ୍ଡ ମାଟିରେ ସେକଥା ମୁଁ ଜାଣିନଥିଲି। ତଥାପି ଯେତେଦୂର ମୋର ମନେ ଅଛି, ମୁଁ ସେଦିନ ପୂରା ବୋଲ୍‌ଡ ହୋଇଯାଇଥିଲି ବୋଲି ଡେଭିଡ୍‌ ୱାର୍ନରଙ୍କ ସହ ବାର୍ତାଳାପ‌ ବେଳେ ରୋହିତ ସ୍ମୃତିକୁ ସାଉଁଟିଥିଲେ। ଏହା ଶୁଣି ଅନ୍ୟପଟେ ୱାର୍ନର ନିଜର ହସକୁ ରୋକି ପାରିନଥିଲେ। ଧାୱନ୍‌ଙ୍କ ସହ ଏହା ହିଁ ଥିଲା ମୋର ପ୍ରଥମ ଅଭିଜ୍ଞତା ବୋଲି ରୋହିତ କହିଥିଲେ। ହେଲେ ଏବେ ଆମେ ଉଭୟ ପରସ୍ପର ସହ ବେଶ୍‌ ସହଜ ହୋଇଯାଇଛୁ ବୋଲି ରୋହିତ ଯୋଡ଼ିଥିଲେ।

୩୩ ବର୍ଷ ବୟସ୍କ ରୋହିତ ମଧ୍ୟ ମଜାରେ କହିଥିଲେ, ଧାୱନ୍‌ ମଧ୍ୟ ବିରକ୍ତକର ବ୍ୟକ୍ତି। ବେଳେବେଳେ ସେ ଅତି ବିରକ୍ତିକର ମନେ ହୁଅନ୍ତି। ମଧ୍ୟଭାଗରେ ମୁଁ ଯୋଜନା ପ୍ରସ୍ତୁତ କରୁଥିଲା ବେଳେ ‘‘ଏହି ବୋଲର ଏଭଳି କରୁଛି, ତେଣୁ ଆମେ ଏମିତି କରିବା’, ପୁଣି ୫ ସେକେଣ୍ଡ ପରେ ସେ ଯିବେ, ଠିକ୍‌ ଅଛି, ତୁମେ କ’ଣ କହିଲ’’ ବୋଲି ଧାୱନ୍‌ କହି ବିରକ୍ତ କରିଥାନ୍ତି। ତୁମେ ଯେତେବେଳେ ପାଳି ମଝିରେ ପୂରା ଚାପରେ ଥିବ, ଧାୱନ୍‌ ଠିକ୍‌ ସେତିକିବେଳେ ଏଭଳି ସବୁ ଅବାନ୍ତର କଥା କହିବେ। ଯାହାକି ତୁମକୁ ହତୋତ୍ସାହିତ କରିଥାଏ। ଏପରିକି ତାଙ୍କ କଥା ଉପରେ ତୁମେ କି ପ୍ରକାର ପ୍ରତିକ୍ରିୟା ଦେବ ତାହା ମଧ୍ୟ ମୋତେ ଜଣାନଥାଏ ବୋଲି ରୋହିତ କହିଛନ୍ତି। ଧାୱନ୍‌ ମଧ୍ୟ ବେଳେବେଳେ ଅଜବ କଥା କହିଥାନ୍ତି। ତାଙ୍କ କହିବା ମୁତାବକ ବଲ୍‌କୁ ରୋକିବାକୁ ଚହୁଁଥିଲା ବେଳେ ସେ ପାଦେ କି ଦୁଇ ପାଦ ଆଗକୁ ଯାଇଥାନ୍ତି। ତେଣୁ ସେ ରନ୍‌ ନେବାକୁ ଚାହୁଁଛନ୍ତି ନା ନାହିଁ ତାହା ଜାଣିବା ଜଣେ ନନ୍‌ଷ୍ଟ୍ରାଇକର ପାର୍ଶ୍ବ ବ୍ୟାଟ୍‌ସମ୍ୟାନ୍‌ ପାଇଁ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ତେଣୁ ବର୍ଷ ବର୍ଷ ଧରି ତାଙ୍କ ସହ ପାଳି ଆରମ୍ଭ କରିବା ବେଳେ ମୁଁ ଭାବି ନେଇଥାଏ ଯେ ବଲ୍‌ ଗ୍ୟାପ୍‌ରେ ଯାଉଥିବା ନଦେଖିବା ପର୍ଯ୍ୟନ୍ତ ମୁଁ ରନ୍‌ ନେବାକୁ ପ୍ରୟାସ କରିବିନି। ଖାସ୍‌ ସେଇଥିପାଇଁ ମୁଁ ବହୁ ରନ୍‌ ନେବାରୁ ବଞ୍ଚିତ ହୋଇଛି। ତଥାପି ମୁଁ ‌ ସେଥିପାଇଁ ‌େକୗଣସି ଭାବେ ଅନୁତପ୍ତ ନୁହେଁ। ସେହି କାରଣରୁ ମୁଁ ଏକାଧିକ ଥର ସମସ୍ୟାରେ ପଡ଼ିଥିଲି ବୋଲି ରୋହିତ କହିଥିଲା ବେଳେ ଡେଭିଡ୍‌ ୱାର୍ନର ହସି ଚାଲିଥିଲେ।

ସମ୍ବନ୍ଧିତ ଖବର