ରୋହିତଙ୍କ କୀର୍ତିମାନ, ସର୍ବାଧିକ ରନ୍‌ରେ ଗପ୍ଟିଲଙ୍କୁ ଟପିଲେ

ଅକ୍‌ଲାଣ୍ଡ୍‌: ଭାରତୀୟ ଦଳର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଶୁକ୍ରବାର ଶୁଭ ସାବ୍ୟସ୍ତ ହୋଇଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଅବସରରେ ରୋହିତଙ୍କୁ ଯୁଗଳ ଖୁସୀ ମିଳିଯାଇଛି। ପ୍ରଥମେ ସେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିବାର କୀର୍ତିମାନ ପାଇଥିଲା ବେଳେ ଦ୍ବିତୀୟରେ ଭାରତକୁ ବିଜୟ ଦେଇ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଉଜ୍ଜୀବୀତ ରଖିଛନ୍ତି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ରୋହିତ ଧୂଆଁଧାର ଅର୍ଧଶତକ ଜମାଇଥିଲେ। ସେ ୨୯ ବଲ୍‌ରୁ ୫୦ ରନ୍‌ କରିବା ଅବସରରେ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲଙ୍କ ନାଁରେ ରହିଥିବା ସର୍ବାଧିକ ସ୍କୋର୍‌କୁ ଟପି ଯାଇଥିଲେ। ଅବଶ୍ୟ ଚଳିତ ଶୃଙ୍ଖଳାରେ ଗପ୍ଟିଲ ଖେଳୁନଥିବାରୁ ରୋହିତଙ୍କୁ କୀର୍ତିମାନ ସୁଯୋଗ ମିଳିଯାଇଛି। ଗପ୍ଟିଲଙ୍କ ନାମରେ ଥିବା ୨୨୭୨ ରନ୍‌ ଏପର୍ଯ୍ୟନ୍ତ ସର୍ବାଧିକ ରହିଥିଲା। ତେଣୁ ଶୁକ୍ରବାର ମ୍ୟାଚ୍‌ ପୂର୍ବରୁ ଗପ୍ଟିଲଙ୍କୁ ଟପିବା ପାଇଁ ରୋହିତଙ୍କୁ ୩୫ ରନ୍‌ ଦରକାର ଥିଲା। ତେବେ ରୋହିତ ୫୦ ରନ୍‌ କରି ଗପ୍ଟିଲଙ୍କୁ ପଛରେ ପକାଇ ବିଶ୍ବ କୀର୍ତିମାନ ହାସଲ କରିନେଲେ। ରୋହିତ ମଧ୍ୟ ସର୍ବାଧିକ ୪ ଶତକ ମାରିଛନ୍ତି। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ ରୋହିତଙ୍କ ବାଦ୍‌ ଦ୍ବିତୀୟ ଭାରତୀୟ ଭାବେ ବିରାଟ କୋହଲି ଶ୍ରେଷ୍ଠ-୫ରେ ରହିଛନ୍ତି। ତେବେ କୋହଲି (୧୯) ସର୍ବାଧିକ ଅର୍ଧଶତକରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆହୁରି ମଧ୍ୟ ଅର୍ଧଶତକୀୟ ପାଳି ମଧ୍ୟରେ ୪ ଛକା ମାରିଥିବା ‌ରୋହିତ ଗପ୍ଟିଲ ଓ କ୍ରିସ୍‌ ଗେଲ୍‌ଙ୍କ ପଛକୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୧୦୦ ଛକା ମାରିବାରେ ତୃତୀୟ ଖେଳାଳି ହୋଇଛନ୍ତି। ଉଭୟ ଗପ୍ଟିଲ ଓ ଗେଲ୍‌ ସମାନ ସଂଖ୍ୟକ ୧୦୩ ଲେଖାଏଁ ଛକା ମାରିଥିଲା ବେଳେ ରୋହିତଙ୍କ ଛକା ସଂଖ୍ୟା ୧୦୨ରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର