କନ୍ୟା ସନ୍ତାନ ପାଇଁ‌ ଫେରିଲେ ରୋହିତ, ସିଡ୍‌ନିରେ ଖେଳିବେନି

ମେଲବର୍ନ: ଜାନୁଆରି ୩ ତାରିଖରୁ ସିଡ୍‌ନିରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରେ ଖେଳିବାରୁ ରୋହିତ ଶର୍ମା ବଞ୍ଚିତ ହେବେ। ରବିବାର ରୋହିତଙ୍କ ପତ୍ନୀ ଋତିକା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି କାରଣରୁ ରୋହିତ ମୁମ୍ବାଇ ଫେରି ଆସିଛନ୍ତି। ଜାନୁଆରି ୮ ତାରିଖରେ ଫେରି ସେ ଭାରତୀୟ ଦିନିକିଆ ଦଳରେ ସାମିଲ ହେବେ। ପିଠି ସମସ୍ୟା କାରଣରୁ ରୋହିତ ପର୍ଥ ଟେଷ୍ଟ୍‌ରେ ବି‌ ଖେଳିପାରିନଥିଲେ। ଗତ ମେଲବର୍ନ ଟେଷ୍ଟ୍‌ ପ୍ରଥମ ପାଳିରେ ସେ ୬୩* ରନ୍ କରିଥିଲେ। ମେଲବର୍ନରେ ମୟଙ୍କ ଅଗ୍ରୱାଲ-ହନୁମା ବିହାରୀ ପାଳି ଆରମ୍ଭ କରିବାରୁ ରୋହିତ ୬ ନମ୍ବରରେ ଖେଳିଥିଲେ। ସିଡନିରେ ରୋହିତଙ୍କ ଅନୁପସ୍ଥିତିରେ ଏବେ ହନୁମା ପୁଣି ୬ ନମ୍ବରକୁ ଆସିବା ସମ୍ଭାବନା ଥିବାରୁ ଗତ ଟେଷ୍ଟ୍‌ରୁ ବଞ୍ଚିତ ମୁରଲୀ ବିଜୟ କିମ୍ବା ଲୋକେଶ ରାହୁଲଙ୍କ ମଧ୍ୟରୁ ଜଣେ କିଏ ମୟଙ୍କଙ୍କ ସହ ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଜାନୁଆରି ୧୨ ତାରିଖରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର