ବିଶାଖାପାଟଣା: ମୁମ୍ବାଇର ୱାଙ୍ଖ୍ଡେରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ସ୍ନାୟୁ ଯୁଦ୍ଧରେ ବିଜୟୀ ହେବା ସହ ୧-୦ରେ ଆଗୁଆ ଥିବାରୁ ରବିବାର ଦ୍ବିତୀୟ ଦିନିକିଆ ଜିତି ଶୃଙ୍ଖଳାକୁ ସିଲ୍ କରିଦେବା ଲକ୍ଷ୍ୟରେ ରହିଛି। ପାରିବାରିକ କାରଣରୁ ମୁମ୍ବାଇରେ ଖେଳିପାରିନଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଫେରୁଥିବାରୁ ଈଶାନ କିଶନଙ୍କୁ ବାହାରେ ବସିବାକୁ ପଡ଼ିପାରେ। କିଶନଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଯୋଜନା ହେଲେ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡ଼ିପାରନ୍ତି। ଶ୍ରେୟସ ଆୟରଙ୍କ ବଦଳରେ ସୂର୍ଯ୍ୟକୁମାର ମଧ୍ୟ ୪ ନମ୍ବର ସ୍ଥାନ ବଜାୟ ରଖିପାରନ୍ତି। ବିଶାଖାପାଟଣା ପିଚ୍ରେ ସ୍ପିନରଙ୍କ ପ୍ରଦର୍ଶନ ଭଲ ଥିବାରୁ ଶାର୍ଦୁଳ ଠାକୁରଙ୍କ ବଦଳରେ ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇବା ଯୋଜନା ମଧ୍ୟ ଆଲୋଚନା ପରିସରଭୁକ୍ତ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ମୁମ୍ବାଇରେ ଖେଳିପାରିନଥିବା ଡେଭିଡ୍ ୱାର୍ଣ୍ଣର ଓ ଆଲେକ୍ସ କ୍ୟାରି ରବିବାର ସୁଯୋଗ ପାଇବା ସମ୍ଭାବନା ରହିଛି। ୱାର୍ଣ୍ଣର ଫେରିବା ଚୂଡାନ୍ତ ହେଲେ ଅଷ୍ଟ୍ରେଲିଆକୁ ଏହାର ବ୍ୟାଟିଂ କ୍ରମରେ ଅଦଳ ବଦଳ କରିବାକୁ ପଡ଼ିବ। କ୍ୟାରି କିନ୍ତୁ ଜୋସ୍ ଇଙ୍ଗଲିସ୍ଙ୍କ ବଦଳରେ ସିଧାସଳଖ ଖେଳିବେ। ପ୍ରଥମ ମ୍ୟାଚ୍ରେ ମିଚେଲ୍ ମାର୍ସ ୬୫ ବଲ୍ରୁ ୮୧ ରନ୍ କରିବା ଏବଂ ମିଚେଲ୍ ଷ୍ଟାର୍କ ୩ ୱିକେଟ୍ ଦଖଲ କରିଥିବାରୁ ସେମାନଙ୍କଠାରୁ ଦଳ ରବିବାର ଅଧିକ ଆଶା ରଖିବ।
ମୁମ୍ବାଇରେ ଭାରତକୁ ବିପର୍ଯ୍ୟୟରୁ ବାହାର କରି ବିଜୟ ଦେଇଥିବା କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଦେଜାଙ୍କ ଉପରେ ନିଶ୍ଚିତ ନଜର ରହିବ। ବର୍ଡର ଗାଭାସ୍କର ଟ୍ରଫିରେ ସଂଘର୍ଷ କରିଥିବା ରାହୁଲ କିନ୍ତୁ ଦିନିକିଆରେ ଭାରତର ନିର୍ଭରଯୋଗ୍ୟ ୫ ନମ୍ବର ଖେଳାଳି ହୋଇପାରିବେ ବୋଲି ବିଶ୍ବାସ ଦେଇଛନ୍ତି। ରବୀନ୍ଦ୍ର ଜାଦେଜାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ତାଙ୍କୁ ବିଶ୍ବକପ୍ ବର୍ଷରେ ଆଶ୍ବସ୍ତ କରିଛି। ୱିକେଟ ପଛପଟେ ମଧ୍ୟ ରାହୁଲ ଚମତ୍କାର ପ୍ରଦର୍ଶନ କରିଥିବାରୁ ଭାରତ ପାଇଁ ବିଶ୍ବକପ୍ରେ ବଡ଼ ବିକଳ୍ପର ସାମର୍ଥ୍ୟ ଭାବେ ଉଭା ହେବାକୁ ଯାଉଛନ୍ତି।
ପିଚ୍ ଓ ପାଗ: ବିଶାଖାପାଟଣା ପିଚ୍ ହାଇସ୍କୋରିଂ ଭେନ୍ୟୁ ଭାବେ ପରିଚିତ ଥିବାବେଳେ ଏଠାରେ ହାରାହାରି ପ୍ରଥମ ପାଳି ସ୍କୋର୍ ହେଉଛି ୨୯୫ ରନ୍। ଶେଷ ଥର ପାଇଁ ଭାରତ ଏଠାରେ ୨୦୧୯ରେ ଖେଳିଥିବା ବେଳେ ରୋହିତ ଓ ରାହୁଲଙ୍କ ଶତକ ବଳରେ ୩୮୭/୫ ସ୍କୋର୍ କରିଥିଲା। ରବିବାର କିନ୍ତୁ ଅପରାହ୍ଣରେ ବର୍ଷାର ପୂର୍ବାନୁମାନ ଥିବାରୁ ମ୍ୟାଚ୍ର ମଜା ଲୁଟିନେବା ଆଶଙ୍କା ରହିଛି।
ପରିସଂଖ୍ୟାନ: ମୁମ୍ବାଇରେ ଭାରତର ବିଜୟ ଦିନିକିଆରେ ଦଳର ବିଜୟ ଧାରାକୁ କ୍ରମାଗତ ୮ରେ ପହଞ୍ଚାଇଥିଲା। ଅଷ୍ଟ୍ରେଲିଆର କ୍ରମାଗତ ଷଷ୍ଠ ବିଜୟ ଅଟିକିଯାଇଥିଲା। ବିଶାଖାପାଟଣାରେ ଭାରତ ଖେଳିଥିବା ୯ ଦିନିକିଆରୁ ୭ ଜିତିଛି। ଗୋଟିଏ ପରାଜୟ ଏବଂ ଗୋଟିଏ ଟାଇ ଦେଖିଛି ଘରୋଇ ଦଳ। ଏହି ଭେନ୍ୟୁରେ କୋହଲି ଖେଳିଥିବା ୬ ଦିନିକିଆ ପାଳି ସ୍କୋର୍ ରହିଛି ଏମତି-୧୧୮, ୧୧୭, ୯୯, ୬୫, ୧୫୭*, ୦। ରବିବାର କେଏଲ୍ ରାହୁଲ୍ ଯଦି ଆଉ ୫୫ ରନ୍ କରିପାରିବେ ତେବେ ଦ୍ବିତୀୟ ଦ୍ରୁତତମ ଭାରତୀୟ ଭାବେ ୨୦୦୦ ରନ୍ କ୍ଲବ୍ରେ ସାମିଲ ହେବେ। ଶିଖର ଧାୱନ ୪୮ ପାଳିରୁ ୨୦୦୦ ରନ୍ ପୂର୍ଣ୍ଣ କରି ଶୀର୍ଷରେ ଅଛନ୍ତି। ରାହୁଲ ୫୦ ପାଳିରୁ ୧୯୪୫ ରନ୍ କରିଛନ୍ତି। ଅନୁରୂପ ଭାବେ ଷ୍ଟିଭେନ୍ ସ୍ମିଥ୍ ୬୧ ରନ୍ କରିପାରିଲେ ଅଷ୍ଟ୍ରେଲିଆ ପାଇଁ ଯୁଗ୍ମ ଦ୍ବିତୀୟ ଦ୍ରୁତତମ ଭାବେ ୫,୦୦୦ ରନ୍ କ୍ଲବ୍ରେ ପ୍ରବେଶ କରିବେ।
ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର/ୱାସିଂଟନ୍ ସୁନ୍ଦର, କୁଲ୍ଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୧: ମିଚେଲ୍ ମାର୍ସ, ଟ୍ରାଭିସ୍ ହେଡ୍, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ନସ ଲବୁସେନ୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କାମେରନ୍ ଗ୍ରିନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍, ସିନ୍ ଆବୋଟ୍, ମିଚେଲ୍ ଷ୍ଟାର୍କ, ଆଦାମ ଜାମ୍ପା।