ଈଶାନଙ୍କୁ ସୁପର ଓଭରରେ ନ ପଠାଇବାର କାରଣ କହିଲେ ରୋହିତ

ସାରଜା: ସୋମବାରର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ମୁକାବିଲାରେ ଯୁବ ତାରକା ଈଶାନ କିଶନ ୯୯ ରନ୍‌ର ବିସ୍ଫୋରକ ପାଳି ଖେଳି ମୁମ୍ବାଇକୁ ବିଜୟ ଦ୍ବାରରେ ପହଞ୍ଚାଇ ଦେଇଥିଲେ। ସେ ଆଉଟ୍ ହେବା ପରେ କିନ୍ତୁ ମ୍ୟାଚ୍ ଉତ୍କଣ୍ଠାପୂର୍ଣ୍ଣ ଭାବେ ଟାଇ ହୋଇ ଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ ହେଲା ସୁପର ଓଭରରେ ବ୍ୟାଟିଂ ପାଇଁ ଈଶାନଙ୍କୁ ମୁମ୍ବାଇ ପଠାଇ ନଥିଲା। ହାର୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡଙ୍କୁ ସୁଯୋଗ ଦେଇଥିଲା। ପାଣ୍ଡ୍ୟା-ପୋଲାର୍ଡ ମାତ୍ର ୭ ରନ୍ କରିବା ପରେ ଆର୍‌ସିବି ଏହାକୁ ସହଜ୍‌ରେ ହାସଲ କରିଥିଲା। ଧମାକାଦାର ଫର୍ମରେ ଥିଲେ ମଧ୍ୟ ଈଶାନଙ୍କୁ ସୁପର ଓଭର୍‌ରେ ବ୍ୟାଟିଂ ପାଇଁ କାହିଁକି ପଠା ନଗଲା? ସେ ପ୍ରଶ୍ନ ମୁମ୍ବାଇ ପ୍ରଶଂସକଙ୍କ ସହ କ୍ରିକେଟ୍ ପଣ୍ଡିତଙ୍କୁ ମଧ୍ୟ ଆନ୍ଦୋଳିତ କରିଥିଲା।

ମ୍ୟାଚ୍ ପର ସାକ୍ଷାତକାରରେ ଅଧିନାୟକ ରୋହିତ ଶର୍ମା ଏହି ଦ୍ବନ୍ଦ୍ବ ଦୂର କରିଥିଲେ। ଦୀର୍ଘ ସମୟ ବ୍ୟାଟିଂ ପରେ ସଂପୂର୍ଣ୍ଣ ହାଲିଆ ଓ କ୍ଲାନ୍ତ ଅନୁଭବ କରୁ ଥିବାରୁ ଈଶାନ ବ୍ୟାଟିଂ ପାଇଁ ଯିବାକୁ ଚାହି ନଥିଲେ। ସେଥିପାଇଁ ପୋଲାର୍ଡଙ୍କ ସହ ପାଣ୍ଡ୍ୟାଙ୍କୁ ପଠା ଯାଇଥିଲା ବୋଲି ରୋହିତ ସ୍ପଷ୍ଟ କରିଥିଲେ। ସେ କହିଥିଲେ ‘‘ଈଶାନ ପୂରା ହାଲିଆ ହୋଇ ଯାଇଥିଲେ ଏବଂ ଅସୁସ୍ଥତା ଅନୁଭବ କରୁଥିଲେ। ଆମେ ତାଙ୍କୁ ପଠାଇବାକୁ ଚାହୁଥିଲୁ, ହେଲେ ସେ ସତେଜ ଅନୁଭବ କରୁ ନଥିଲେ। ଆମେ ପ୍ରଥମ ୬-୭ ଓଭର ଭଲ ଖେଳି ନଥିଲୁ। ସେଥିପାଇଁ ମ୍ୟାଚ୍‌ରେ ଆଦୌ ନଥିଲୁ। ଈଶାନ ହିଁ ଆମ ପାଇଁ ଆଶା ସୃଷ୍ଟି କରିଥିଲେ। ଦୃଢ଼ ବ୍ୟାଟିଂକ୍ରମ ଥିବାରୁ ୨୦୦ରୁ ଅଧିକ ରନ୍‌ର ପିଛା କରିବା ଆମ ପାଇଁ କଷ୍ଟକର ହେବ ନାହିଁ ବୋଲି ମୁଁ ଭାବୁଥିଲି। ହେଲେ ଆମେ ମ୍ୟାଚ୍ ଶେଷ କରିବା ଦ୍ବାରରେ ହିଁ ଅଟକି ଯାଇଥିଲୁ। ତେବେ ପୋଲାର୍ଡ ଓ ଈଶାନଙ୍କ ବ୍ୟାଟିଂ ନିଶ୍ଚିତ ଭାବେ ପ୍ରଶଂସନୀୟ ଥିଲା’’। ରୋହିତଙ୍କ ଏହି ସଫେଇକୁ କିନ୍ତୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ୍ ଓ କିଂବଦନ୍ତି ସୁନିଲ ଗାଭାସ୍କର ପସନ୍ଦ କରି ନାହାନ୍ତି। ୨ ମିନିଟ୍‌ରେ କିଛି ଏପଟ ସେପଟ ହୋଇ ଯାଇ ନଥା’ନ୍ତା ବୋଲି ଉଭୟ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର