ଛକା ମାରିବାର ରହସ୍ୟ ଖୋଲିଲେ ରୋହିତ, ବାହୁବଳ ନୁହେଁ; ଟାଇମିଂ ଗୁରୁତ୍ବପୂର୍ଣ୍ଣ

ରାଜକୋଟ: କାମଚଳା ଅଧିନାୟକ ରୋହିତ ଶର୍ମା ଗୁରୁବାର ଏଠାରେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୪୩ ବଲ୍‌ରୁ ୮୫ ରନ୍‌ କରି ଭାରତ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ। ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ନିଜର କୀର୍ତ୍ତିମାନଭରା ୧୦୦ତମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଖେଳିଥିବା ସ୍ମରଣୀୟ ପାଳି ମଧ୍ୟରେ ସେ ୬ ଲେଖାଏଁ ଚୌକା ଓ ଛକା ମାରି ରାଜକୋଟ ଦର୍ଶକଙ୍କ ମନ ମୋହିନେଇଥିଲେ। ନିଜ ପାଳିରେ ୬ ଛକା ମାରି ୩୨ ବର୍ଷ ବୟସ୍କ ରୋହିତ ମଧ୍ୟ କିଛି କୀର୍ତ୍ତିମାନ ଭାଙ୍ଗିଥିଲା ବେଳେ ଆଉ କିଛି ପ୍ରତିଷ୍ଠା କରିଥିଲେ। ଭାରତୀୟ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୧୭ ପାଳିରୁ ୩୭ ଛକା ମାରି ସେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ନିଜ ନାମକୁ ନେଇଯାଇଥିଲେ। ଏକ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନି (୩୪ ଛକା, ୬୨ ପାଳି)ଙ୍କୁ ଏହି ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ ଟପି ଯାଇଥିଲେ। ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି (୨୬ ଛକା, ୨୬ ପାଳି) ଏହି ତାଲିକାରେ ଏବେ ତୃତୀୟରେ ରହିଛନ୍ତି। ପୁଣି ୨୦୧୯ରେ ଆନ୍ତର୍ଜାତିକ କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ମଧ୍ୟ ସବୁଠୁ ଅଧିକ ଛକା ମାରିବାର କୀର୍ତ୍ତିମାନ ରୋହିତ ପ୍ରତିଷ୍ଠା କଲେ। ଚଳିତ ବର୍ଷ ରୋହିତଙ୍କ ଛକା ସଂଖ୍ୟା ୬୬ରେ ପହଞ୍ଚିଛି। ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ମଧ୍ୟ ସେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ପାଇଥିଲେ। ରୋହିତ ୨୦୧୭ରେ ୬୫ ଏବଂ ୧୦୧୮ରେ ୭୪ ଛକା ମାରିଥିଲେ।

ତେବେ ଏତେ ସଂଖ୍ୟକ ଏବଂ ବଡ଼ ବଡ଼ ଛକା କିପରି ମାରିପାରୁଛନ୍ତି ସେନେଇ ରୋହିତ ମଧ୍ୟ ତାଙ୍କ ଗୋପନ ରହସ୍ୟ ଖୋଲିଥିଲି। ରାଜକୋଟ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ପରେ ଲେଗ୍‌ ସ୍ପିନର ୟୁଜ୍‌ବେନ୍ଦ୍ର ଚହଲ୍‌ଙ୍କ ଦ୍ବାରା ସଂଚାଳନରେ ଏକ ବିସିସିସିଆଇ ଭିଡିଓରେ ରୋହିତ ଆବିର୍ଭାବ ହୋଇଥିଲେ। ସେହିଠାରେ ଚହଲ୍‌ଙ୍କ ପ୍ରଶ୍ନର ଉତ୍ତରରେ ରୋହିତ ଛକା ମାରିବାର ମନ୍ତ୍ର ପେଡ଼ି ଖୋଲିଥିଲେ। ଅଫ୍‌ ସ୍ପିନର ମୁସାଦିକ୍‌ ହୋସେନ୍‌ଙ୍କୁ ମୁଁ ଯେତେବେଳେ ଲଗାତାର ବଲ୍‌ରେ ୩ ଛକା ମାରିଲି, ସେତେବେଳେ ଆହୁରି ଅଧିକ ଛକା ମାରିବାର ପ୍ରୟାସ କରିଥିଲି। ହେଲେ ଚତୁର୍ଥ ବଲ୍‌କୁ ମାରିବାରେ ବିଫଳ ହେବା ପରେ ଗୋଟିଏ ରନ୍‌ ନେବାକୁ ନିଷ୍ପତ୍ତି ନେଇଥିଲି ବୋଲି ରୋହିତ କହିଥିଲେ। ତେବେ ଛକା ମାରିବା ପାଇଁ ବାହୁ ବଳ ନୁହେଁ, ସଠିକ୍‌ ଟାଇମିଂର ଆବଶ୍ୟକତା ରହିଛି। ଏଥିପାଇଁ ପୃଥଳକାୟ ଶରୀର କିମ୍ବା ବାହୁର ବଳ ଦରକାର ପଡ଼ିନଥାଏ। ଶକ୍ତି କେବଳ ଛକା ମାରିବାରେ ସହାୟକ ହୋଇନଥାଏ, ବରଂ ତୁମକୁ ଠିକ୍‌ ଭାବେ ଟାଇମିଂ କରିବା ଦରକାର ବୋଲି ରୋହିତ କହିଥିଲେ। ବ୍ୟାଟ୍‌ର ମଝିରେ ବଲ୍‌କୁ ପ୍ରହାର କରିବା ଉଚିତ ଏବଂ ସେତେବେଳେ ତୁମ ମୁଣ୍ଡ ହଲ୍‌ଚଲ ନହେବା ଉଚିତ। ଏପରି ରହିପ‌ାରିଲେ, ‌ଯେକେହି ବି ଛକା ମାରିପାରିବେ ବୋଲି ରୋହିତ କହିଥିଲେ। ତୁମେ ମଧ୍ୟ ଛକା ମାରିପାରିବ ବୋଲି ଚହଲ୍‌ଙ୍କୁ ରୋହିତ କହିଥିଲେ।

ସମ୍ବନ୍ଧିତ ଖବର