ପଣ୍ଟିଂ ହେଉଛନ୍ତି ଶ୍ରେଷ୍ଠ ପ୍ରଶିକ୍ଷକ: ରୋହିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଶ୍ରେଷ୍ଠ ପ୍ରଶିକ୍ଷକର ଆଖ୍ୟା ଦେଇଛନ୍ତି। ୨୦୧୩ରେ ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ। କିନ୍ତୁ ଋତୁ ଅଧାରୁ ସେ ରୋହିତଙ୍କୁ ଦଳର ଭାର ଟେକିଦେଇ ନିଜେ ନେତୃତ୍ବରୁ ଓହରିଯାଇଥିଲେ। ତେବେ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ସମସ୍ତଙ୍କ ଭିତରୁ ଜଣଙ୍କ ନାମ ବାଛିବା କଷ୍ଟକର। ସମସ୍ତେ ଦଳକୁ ଉପରକୁ ନେବା ପାଇଁ କିଛିନା କିଛି ଅବଦାନ ରଖିଛନ୍ତି। କିନ୍ତୁ ରୋହିତଙ୍କ ମତରେ ରିକି ପଣ୍ଟିଂଙ୍କ ପାଖରେ ଯାଦୁ ଥିଲା। ଅଧିନାୟକ ଭାବେ ଯେଉଁଭଳି ସେ ଦଳ‌କୁ ନିୟନ୍ତ୍ରଣ କରିଥିଲେ ଏବଂ ଅଧାବାଟରୁ ସେହି ଦାୟିତ୍ବ ରୋହିତଙ୍କ କାନ୍ଧକୁ ବଢାଇଦେଇଥିଲେ, ଏହା ଏକ ସାହସିକ ପଦକ୍ଷେପ ଥିଲା ବୋଲି କେଭିନ୍ ପିଟରସନ୍‌ଙ୍କ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ହୋଇଥିବା ଏକ ବାର୍ତ୍ତାଳାପରେ ରୋହିତ କହିଛନ୍ତି। ଏହାପରଠୁ ପଣ୍ଟିଂ ଦଳ ସହିତ ଜଣେ ସହଯୋଗୀ ପ୍ରଶିକ୍ଷକ ଭାବେ ଜଡ଼ିତ ରହି ଯୁବ ଖେଳାଳିଙ୍କୁ ଉତ୍ସାହିତ କରାଇବାରେ ଓ ରୋହିତଙ୍କୁ ସଫଳ ଅଧିନାୟକ ଭାବେ ଗଢିବାରେ ଅନେକମାତ୍ରାରେ ସହାୟତା କରିଥିଲେ। ତାଙ୍କଠୁ ଅନେକ କିଛି ଶିଖିବାକୁ ମିଳିଥିଲା। ମୋଟାମୋଟି ଭାବେ ପଣ୍ଟିଂ ଜଣେ ଭିନ୍ନ ଧରଣର ବ୍ୟକ୍ତି ବୋଲି ରୋହିତ କହିଛନ୍ତି।

ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ସଫଳ ଅଧିନାୟକ ଭାବେ ୭ରୁ ୪ ଥର ଦଳକୁ ବିଜେତା କରାଇଛନ୍ତି। ୧୮୮ ଆଇପିଏଲ୍‌ ମ୍ୟାଚ୍‌ରୁ ସେ ୩୧.୬୦ ହାରରେ ୪୮୯୮ ରନ୍‌ ସଂଗ୍ରହ କରିଛନ୍ତି। ଏହି ବାର୍ତ୍ତାଳାପ ସମୟରେ ରୋହିତ ତାଙ୍କର ଦୁଃଖଦ ମୁହୂର୍ତ୍ତ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ୨୦୧୧ ବିଶ୍ବକପ୍‌ ଦଳ ପାଇଁ ମନୋନୀତ ନହୋଇପାରିବା, ଏପରିକି ଘରୋଇ ଷ୍ଟାଡିୟମରେ ଫାଇନାଲ ଖେଳାଯାଉଥିଲେ ବି ସେ ଦଳର ଅଂଶବିଶେଷ ନହେବା ତାଙ୍କୁ ଦୁଃଖ ଦେଇଥିବା କହିଥିଲେ। ‌ତେବେ ସେ ସେତେବେଳେ ଭଲ ପ୍ରଦର୍ଶନ ଦେଇନଥିବାରୁ ଦଳକୁ ଚୟନ ହୋଇପାରିନଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର