ଜୀବନର ଦୁଃଖଦ ମୁହୂର୍ତ୍ତକୁ ମ‌ନେ ପକାଇଲେ ରୋହିତ

ମୁମ୍ବାଇ: ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ନିଜ କ୍ରିକେଟ୍‌ ଜୀବନର ସବୁଠୁ ଦୁଃଖଦ ମୁହୂର୍ତ୍ତକୁ ସ୍ମରଣ କରିଛନ୍ତି। ଆଧୁନିକ ସମୟର ଅନ୍ୟତମ ମହାନ୍‌ ସୀମିତ ଓଭର କ୍ରିକେଟର୍‌ ଭାବେ ପରିଗଣିତ ରୋହିତ ଏକମାତ୍ର ଖେଳାଳି ଯିଏକି ଦିନିକିଆ ଆନ୍ତର୍ଜାତିକରେ ୩ ଦ୍ବିଶତକ ହାସଲ କରିଛନ୍ତି। ସେ ଏପର୍ଯ୍ୟନ୍ତ ୨୨୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୪୯.୨୭ ହାରାହାରି ଏବଂ ୮୮.୯୩ ଷ୍ଟ୍ରାଇକ୍‌ ରେଟ୍‌ ସହ ମୋଟ ୯୧୧୫ ରନ୍‌ ସଂଗ୍ରହ କରିସାରିଲେଣି। ପୁଣି ସେ ସଂପ୍ରତି ଭାରତୀୟ ଦିନିକିଆ ଦଳର ଜଣେ ସ୍ଥାୟୀ ସଦସ୍ୟ ପାଲଟି ଯାଇଛନ୍ତି। ସେ ଯେତେବେଳେ ଫିଟ୍‌ ରୁହନ୍ତି, ସବୁବେଳେ ଦଳରେ ସାମିଲ ଥାଆନ୍ତି। ହେଲେ ୯ ବର୍ଷ ତଳେ ତାଙ୍କ କ୍ଷେତ୍ରରେ ଏଭଳି ଘଟିନଥିଲା। ତାଙ୍କ ପାଇଁ ଏଭଳି ସମୟ ଥିଲା ୨୦୧୧ ମସିହା। ୨୦୧୧ ବିଶ୍ବକପ୍‌ ପୂର୍ବରୁ ରୋହିତଙ୍କ ବ୍ୟାଟ୍‌ରୁ ରନ୍‌ ମିଳୁନଥିଲା। ଯାହାର କାରଣ ପାଇଁ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଥିଲେ। ଘରୋଇ ମାଟିରେ ଖେଳୁଥିବା ଭାରତ ସେହି ବର୍ଷ ବିଶ୍ବକପ୍‌ ବିଜେତା ହୋଇଥିଲା। ପୁଣି ତାଙ୍କ ଘରୋଇ ପଡ଼ିଆ ମୁମ୍ବାଇର ୱାଙ୍ଖ୍‌ଡେ ‌ଷ୍ଟାଡିୟମ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ବିଶ୍ବକପ୍‌ ତୋଳି ଧରିଥିଲା।

ତେବେ ଇଂଲଣ୍ଡ ତାରକା କେଭିନ୍‌ ପିଟରସନ୍‌ଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌‌ରେ ଦେଇଥିବା ଏକ ସାକ୍ଷାତକାରରେ ରୋହିତ ତାଙ୍କ ଦୁଖଦଃ ମୁହୂର୍ତ୍ତକୁ ବର୍ଣ୍ଣନା କରିଛନ୍ତି। ୨୦୧୧ ବିଶ୍ବକପ୍‌ ଦଳରେ ସ୍ଥାନ ନପାଇବା ଏବଂ ଘରୋଇ ମାଟିରେ ବିଶ୍ବବିଜେତା ହେବାର ସୌଭାଗ୍ୟରୁ ବଞ୍ଚିତ ହେବା ମୋ କ୍ରିକେଟ୍‌ ଜୀବନର ସବୁଠୁ ଦୁଃଖଦ ମୁହୂର୍ତ୍ତ ଥିଲା ବୋଲି କହିଛନ୍ତି। ଫାଇନାଲ୍‌ ମୋ ଘ‌ରୋଇ ପଡ଼ିଆରେ ଖେଳାଯାଇଥିଲା ବେଳେ ମୁଁ ଦଳରେ ସାମିଲ ନଥିବା ବାସ୍ତବରେ ଖୁବ୍‌ ବାଧିଥିଲା। ତେବେ ତାଙ୍କୁ କାହିଁକି ଦଳରେ ନିଆଯାଇନଥିଲା ବୋଲି ପଚରା ଯାଇଥିଲା ବେଳେ ରୋହିତ କିନ୍ତୁ ଅତ୍ୟନ୍ତ ନମ୍ରତାର ସହ ଉତ୍ତର ରଖିଥିଲେ। ସେତେବେଳେ ମୋର ଖରାପ ପ୍ରଦର୍ଶନ ଏହାର କାରଣ ଥିଲା। ପ୍ରକୃତରେ ସେତେବେଳେ ମୁଁ ମୋର ଶ୍ରେଷ୍ଠ ସମୟରେ ନଥିଲି ବୋଲି ରୋହିତ କହିଥିଲେ। ହେଲେ ୨୦୧୯ ବିଶ୍ବକପ୍‌ରେ ରୋହିତ ହିଁ ଅଗ୍ରଣୀ ରନ୍‌ ସ୍କୋରର୍‌ ରହିଥିଲେ। ସେହି ବିଶ୍ବକପ୍‌ରେ ସେ ୮୧ ହାର ଏବଂ ୯୮.୩୩ ଷ୍ଟ୍ରାଇକ୍‌ ରେଟ୍‌ରେ ୬୪୮ ରନ୍‌ କରିଥିଲେ। ଯେଉଁଥିରେ ୫ ଶତକ ସାମିଲ ଥିଲା। ମାତ୍ର ରୋହିତଙ୍କ ପ୍ରଦର୍ଶନ ଭାରତକୁ ବିଶ୍ବକପ୍‌ ବିଜେତା କରାଇପାରିନଥିଲା। ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ହାରିଯାଇଥିଲା।

ସମ୍ବନ୍ଧିତ ଖବର