ରୋହିତଙ୍କ ଏକାଧିକ ମାଇଲଖୁଣ୍ଟ

ଚଳିତ ବର୍ଷର ସର୍ବୋଚ୍ଚ ସ୍କୋରର୍‌
ଚଳିତ ବର୍ଷ ସର୍ବାଧିକ ୧୦ ଆନ୍ତର୍ଜାତିକ ଶତକ ସହ ସଚିନ୍‌ ତେନ୍ଦୁଲକରଙ୍କୁ ଟପିଲେ
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୭ ଶତକ ହାସଲ କରିବାରେ ଗାଙ୍ଗୁଲି, ୱର୍ନରଙ୍କ ସମକକ୍ଷ

ବିଶାଖାପାଟଣା : ବୁଧବାର ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ଦମ୍‌ଦାର ଶତକ ଜମାଇଥିଲେ। ବ୍ୟକ୍ତିଗତ ଭାବେ ନିଜର ୨୮ତମ ଶତକୀୟ ପାଳି ଅବସରରେ ରୋହିତ ଏକାଧିକ ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ରୋହିତ ୧୫୯ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ଚଳିତ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସ୍କୋର୍‌ କରିବାର କୀର୍ତ୍ତିମାନ ରଚିଛନ୍ତି। ଚଳିତ ବର୍ଷ ରୋହିତଙ୍କ ମୋଟ ରନ୍‌ ସଂଖ୍ୟା ୧୪୨୭ ହୋଇଛି। ୨୦୧୯ ବର୍ଷ ସେ ୨୭ ଦିନିକିଆରୁ ୭ ଶତକ ଓ ୫ ଅର୍ଧଶତକ ସହାୟତାରେ ଏହି ରନ୍‌ ସଂଗ୍ରହ କରିଛନ୍ତି। ଯାହାକି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଏହା ସର୍ବାଧିକ। ଏକ୍ଷେତ୍ରରେ ସେ ନିଜ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି। ବିଶାଖାପାଟଣା ମ୍ୟାଚ୍‌ରେ ଖାତା ଖୋଲିପାରିନଥିବା କୋହଲି ଚଳିତ ବର୍ଷ ମୋଟ ରନ୍‌ ୧୨୯୨ ରନ୍‌ (୨୫ ମ୍ୟାଚ୍‌, ୫ ଶତକ, ୬ ଅର୍ଧଶତକ) ସହ ତାଲିକାର ପ୍ରଥମରୁ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‌ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସାଇ ହୋପ୍‌ ଚଳିତ ବର୍ଷ ୧୩୦୫ ରନ୍‌ (୨୮ ମ୍ୟାଚ୍‌, ୪ ଶତକ, ୮ ଅର୍ଧଶତକ) ସହ ଦ୍ବିତୀୟ ସ୍ଥାନକୁ ଲମ୍ପ ମାରିଛନ୍ତି। ବୁଧବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୧୫୯ ରନ୍‌ ଚଳିତ ବର୍ଷ ରୋହିତଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ହୋଇଥିଲା ବେଳେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ସର୍ବାଧିକ। ଚଳିତ ବର୍ଷ କୋହଲିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ୧୨୩ ଓ ହୋପ୍‌ଙ୍କର ୧୭୦ ରହିଛି। ଏପରିକି ୨୦୧୩ରୁ ଗତ ୭ କ୍ୟାଲେଣ୍ଡର ବର୍ଷରେ ରୋହିତ ମଧ୍ୟ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଚାଲିଛନ୍ତି।

ଅନ୍ୟପକ୍ଷରେ ଚଳିତ ବର୍ଷ ୭ ଶତକ ହାସଲ କରି ରୋହିତ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ଜମାଇବାରେ ସୌରଭ ଗାଙ୍ଗୁଲି ଓ ଡେଭିଡ୍‌ ୱର୍ନରଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ଉଭୟ ଭାରତର ପୂର୍ବତନ ଅଧିନାୟକ ଗାଙ୍ଗୁଲି (୨୦୦୦) ଏବଂ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ୱର୍ନର (୨୦୧୬) ଗୋଟିଏ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୭ ଲେଖାଏଁ ଶତକ ହାସଲ କରି ଏହି କ୍ଲବ୍‌ର ସଦସ୍ୟ ରହିଥିଲେ। ହେଲେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ଜମାଇବାର କୀର୍ତ୍ତିମାନ ଏବେ ବି ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ନାମରେ ଅତୁଟ ରହିଛି। ସଚିନ୍‌ ୧୯୯୮ ବର୍ଷରେ ହାସଲ କରିଥିବା ୯ ଶତକ ଏବେ ବି ଆଗରେ ରହିଛି।

ଆଉ ଏକ ମାଇଲଖୁଣ୍ଟ ଭାବେ ରୋହିତ ଶର୍ମା ଚଳିତ ବର୍ଷ ସର୍ବାଧିକ ଆନ୍ତର୍ଜାତିକ ଶତକ ହାସଲ କରିବାରେ କୀର୍ତ୍ତିମାନ ରଚିଛନ୍ତି। ଚଳିତ ବର୍ଷ ରୋହିତଙ୍କ ଶତକ ସଂଖ୍ୟା ୧୦ରେ ପହଞ୍ଚିଛି। ସେଥିରେ ୩ ଟେଷ୍ଟ ଶତକ ସାମିଲ ରହିଛି। ଯାହାକି କୌଣସି ବି ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ସର୍ବାଧିକ। ଏକ୍ଷେତ୍ରରେ ସେ ସଚିନ୍‌ ‌ତେନ୍ଦୁଲକର (୯)ଙ୍କୁ ଟପି ଯାଇଛନ୍ତି।

ସମ୍ବନ୍ଧିତ ଖବର