ଦୁବାଇ : ହିଟ୍ମ୍ୟାନ୍ ରୋହିତ ଶର୍ମା ୨୦୧୪ ମସିହା ଆଜିର ଦିନ (ନଭେମ୍ବର ୧୩ ତାରିଖ)ରେ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪ ରନ୍)ର ବିଶ୍ବ କୀର୍ତ୍ତିମାନ କରିଥିଲେ। ଏହି ଐତିହାସିକ ଘଟଣାର ୫ ବର୍ଷ ପୂର୍ତ୍ତି ଅବସରରେ ଆଇସିସି ତାଙ୍କୁ ଉଭୟ ଶୁଭେଚ୍ଛା ଓ ସମାଲୋଚନା ଜଣାଇବାକୁ ଭୁଲି ନାହିଁ। ସେହି ବିଶ୍ବ କୀର୍ତ୍ତିମାନ ପାଳି ମଧ୍ୟରେ ରୋହିତ ଯେ ୪ ରନ୍ କରିଥିଲା ବେଳେ ଜୀବନଦାନ ପାଇଥିଲେ ତାକୁ ଭୁଲିଯିବା ଉଚିତ ନୁହେଁ ଭଳି ଔଦ୍ଧତ୍ୟପୂର୍ଣ୍ଣ ଟ୍ବିଟ୍ ଆଇସିସି କରିବା ସହିତ ରୋହିତଙ୍କ ବିଶ୍ବ କୀର୍ତ୍ତିମାନକୁ ତାଚ୍ଛଲ୍ୟ କରିଛି। ବ୍ୟକ୍ତିଗତ ୪ ରନ୍ କରିଥିଲା ବେଳେ ସମିନ୍ଦା ଏରଙ୍ଗାଙ୍କ ବଲ୍ରେ ଥିସାରା ପେରେରାଙ୍କ ଦ୍ବାରା ଜୀବନଦାନ ପାଇବାରୁ ରୋହିତ ବିଶ୍ବ କୀର୍ତ୍ତିମାନ କରିବାକୁ ସମର୍ଥ ହୋଇଥିଲେ ବୋଲି ଆଇସିସି ଟ୍ବିଟର ପୋଷ୍ଟରେ ଲେଖିଛି।
ସୂଚନାଯୋଗ୍ୟ, ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳିଥିବା ଶ୍ରୀଲଙ୍କା ବିପକ୍ଷ ସେହି ମ୍ୟାଚ୍ରେ ରୋହିତ ୨୨୫ ବଲ୍ରୁ ୩୩ ଚୌକା ଓ ୯ ଛକା ସହାୟତାରେ ୨୬୪ ରନ୍ କରିଥିଲେ। ତାଙ୍କ ବିସ୍ଫୋରକ ପାଳି ବଳରେ ଭାରତ ୪୦୪ ରନ୍ କରିଥିଲା ଏବଂ ମ୍ୟାଚ୍କୁ ୧୫୩ ରନ୍ର ବଡ଼ ବ୍ୟବଧାନରେ ଜିତିଥିଲା।