ଦିନିକିଆ କ୍ରିକେଟ୍‌ରୁ ମାଲିଙ୍ଗାଙ୍କ ଅବସର: ରୋହିତ କହିଲେ-ଆଶା ଠାରୁ ଅଧିକ ଭଲ ପ୍ରଦର୍ଶନ କରିଥାନ୍ତି ମାଲିଙ୍ଗା

ଶୁଭେଚ୍ଛା ବାର୍ତ୍ତାରେ ବୁମରା କହିଲେ- ମାଲିଙ୍ଗାଙ୍କ ଠାରୁ ବହୁତ କିଛି ଶିଖିଛି

ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଚମତ୍କାର ଢଙ୍ଗରେ ଅବସର ନେବା ପରେ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗାଙ୍କୁ ବିଶ୍ୱର ଅନେକ ଖେଳାଳି ଶୁଭକାମନା ଜଣାଇଛନ୍ତି। ଏହି କ୍ରମରେ ଭାରତୀୟ କ୍ରିକେଟର ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ମଧ୍ୟ ମାଲିଙ୍ଗାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି। ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନସ୍‌ରେ ନିଜର ସାଥୀ ଖେଳାଳିଙ୍କୁ ଗୁଡ ଲକ୍‌ କହିଛନ୍ତି।

ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ଭାବେ ରୋହିତ କହିଛନ୍ତି, ଚାପଗ୍ରସ୍ତ ସମୟରେ ମାଲିଙ୍ଗା ଆରାମ ଦେଇଥାନ୍ତି। ସେ ସବୁବେଳେ ଆଶା ଠାରୁ ଅଧିକ ଭଲ ପ୍ରଦର୍ଶନ କରିଥାନ୍ତି। ଟିମ୍‌ରେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ।

ଯଶପ୍ରୀତ ବୁମରା ମଧ୍ୟ ମୁମ୍ବାଇ ଇଣ୍ଡିଆନସ୍‌ର ସାଥୀ ଖେଳାଳିଙ୍କ ପାଇଁ ଟୁଇଟ୍‌ କରିଛନ୍ତି। ବୁମରା ଲେଖିଛନ୍ତି, ମାଲିଙ୍ଗାଙ୍କ ବୋଲିଂ ଘାତକ। ଆପଣଙ୍କ ଠାରୁ ବହୁତ କିଛି ଶିଖିଛି। ଆପଣ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି।

ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଶୁକ୍ରବାର ଘରୋଇ ଶ୍ରୀଲଙ୍କା ଦଳ ମଧ୍ୟ ମାଲିଙ୍ଗାକୁ ବିଜୟରେ ବିଦାୟୀ ଦେଇଛି। ବାଂଲାଦେଶ ପାଳିର ପ୍ରଥମ ଏବଂ ଶେଷ ୱିକେଟ୍‌ ନେଇ ମଧ୍ୟ ମାଲିଙ୍ଗା ସ୍ମରଣୀୟ ସଫଳତା ଅର୍ଜନ କରିଥିଲେ। ବାଂଲାଦେଶର ପ୍ରଥମ ୨ ୱିକେଟ୍‌ (ତମିମ୍‌ ଇକବାଲ ଏବଂ ସୌମ୍ୟ ସରକାର)ଙ୍କୁ ବୋଲଡ୍‌ ଆଉଟ୍‌ କରିଥିବା ମାଲିଙ୍ଗା ୪୨ତମ ଓଭରରେ ମୁସ୍ତାଫିଜୁର ରହମାନଙ୍କୁ ଶେଷ ୱିକେଟ୍‌ ଭାବେ ଆଉଟ୍‌ କରି ବିଜୟ ମୁଣ୍ଡି ମାରିଥିଲେ। ବିଦାୟୀ ମ୍ୟାଚରେ ମାଲିଙ୍ଗା ୯.୪-୨-୩୮-୩ ବୋଲିଂ ଚିତ୍ର ପାଇବା ମଧ୍ୟ ଚମତ୍କାର ଥିଲା। ୩୬ ବର୍ଷୀୟ ମାଲିଙ୍ଗା ଦେଶର ତୃତୀୟ ସର୍ବାଧିକ ଦିନିକିଆ ୱିକେଟ୍‌ (୩୩୮) ହାସଲକାରୀ ଭାବେ ବିଦାୟ ନେଇଛନ୍ତି। ତାଙ୍କ ପୂର୍ବରୁ ମୁଥୟା ମୁରଲୀଧରନ (୫୩୪) ଓ ଚାମିନ୍ଦା ଭାସ ୪୦୦ ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର