ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମକୁ ଲାଗିଲା ଝଟକା। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାର ହେଲେ ଦଳର ଅଧିନାୟକ ରୋହିତ ଶର୍ମା। ଡିସେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ବାଦ ଦିଆଯାଇଛି। ଆଘାତ ହେତୁ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ଏବେ ବିସିସିଆଇ ଦ୍ୱିତୀୟ ମ୍ୟାଚ୍ ପାଇଁ ମଧ୍ୟ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ କରିଛି।

Advertisment

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ରୋହିତ ଶର୍ମା ବିସିସିଆଇ ମେଡିକାଲ ଦଳର ତତ୍ତ୍ବାବଧାନରେ ଅଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଡାକ୍ତରୀ ଦଳ କହିଛନ୍ତି ଯେ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ କିଛି ସମୟ ଲାଗିବ, ଯାହାପରେ ସେ ବ୍ୟାଟିଂ ସହ ଫିଲ୍ଡ କରିପାରିବେ। ତେଣୁ ତାଙ୍କୁ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ସିରିଜରୁ ବାଦ ଦିଆଯାଇଛି।

ରୋହିତ ଶର୍ମାଙ୍କ ବ୍ୟତୀତ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ମାଂସପେଶୀରେ ଯନ୍ତ୍ରଣା ଥିବ‌ାରୁ ତାଙ୍କୁ ବାଦ୍ ଦିଆଯାଇଛି। ନବଦୀପ ସାଇନି ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଅକାଦେମୀକୁ ଯିବେ, ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବେ।

ଏବେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ସିରିଜରେ ଭାରତ ପକ୍ଷରୁ କେଏଲ ରାହୁଲ(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୁଜାରା(ଉପ-ଅଧିନାୟକ), ବିରାଟ କୋହଲୀ, ଶ୍ରେୟସ ଅୟର, ଋଷଭ ପନ୍ତ(ୱିକେଟକିପର), କେଏସ ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, କୂଲଦୀପ ଯାଦବ, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଇଶ୍ବରନ, ସୌରବ କୁମାର ଏବଂ ଜୟଦେବ ଉନାଦକଟ ଖେଳିବେ।