ରୋହିତ ବିସ୍ଫୋରଣ, ପୁଲ୍‌ ଓ କଟ୍‌ରୁ ୫୮ ରନ୍‌

ଆମେ ଆଜି ଯେଭଳି ଖେଳିଲୁ ସେଥିରେ ବହୁତ ଖୁସୀ। ଗତ ମ୍ୟାଚ୍‌ ହାତଛଡ଼ା ହୋଇଯାଇଥିବାରୁ ବିଜୟ ଜରୁରୀ ଥିଲା। ଭଲ ଖେଳିବାର ଉଦ୍ଦେଶ୍ୟ ରଖି ପଡିଆକୁ ଆସିଥିଲୁ। କିନ୍ତୁ ଯେଭଳି ଭାବେ ଆଉଟ୍ ହେଲି ବହୁତ ଅସନ୍ତୁଷ୍ଟ। ଭୁଲ ସମୟରେ ଆଉଟ୍ ହୋଇଗଲି। ସେଟ୍ ହେବା ପରେ ଅଧିକ ରନ୍ କରିବାର ଥିଲା। ମୁଁ କିନ୍ତୁ ଦ୍ବିଶତକ କଥା ଚିନ୍ତା କରିନଥିଲି।’
-ରୋହିତ ଶର୍ମା

।ମେଡେନ୍‌ରୁ ଆରମ୍ଭ, ଆମିରଙ୍କୁ ଚେତାବନୀ
ମାଞ୍ଚେଷ୍ଟର, ୧୬|୬: ଭାରତ-ପାକିସ୍ତାନ ପ୍ରତୀକ୍ଷିତ ବିଶ୍ବକପ୍ ଲଢ଼େଇର ଶୁଭାରମ୍ଭ ଆମିରଙ୍କ ଲେନ୍ଥ ବଲ୍‌ରୁ ହୋଇଥିଲା। ଶିଖର ଧାୱନଙ୍କ ସ୍ଥାନରେ ପାଳି ଆରମ୍ଭ କରିଥିବା ଲୋକେଶ ରାହୁଲ ଭାରତ ପାଇଁ ଷ୍ଟ୍ରାଇକ୍ ନେବା ସହ ପ୍ରଥମ ଓଭର ମେଡେନ୍ ଯିବାକୁ ଦେଇଥିଲେ। ହାସନ ଅଲ୍ଲୀଙ୍କ ଦ୍ବିତୀୟ ଓଭରରେ ହିଁ ଭାରତର ଖାତା ଖୋଲିଥିଲା। ହାସନଙ୍କ ତୃତୀୟ ବଲ୍‌ ରୋହିତ ଶର୍ମାଙ୍କ ବ୍ୟାଟ୍‌ର ଭିତର ଧାରରେ ବାଜି ସୌଭାଗ୍ୟବଶତଃ ଷ୍ଟମ୍ପକୁ ନଯାଇ ସୀମା ରେଖା ବାହାରକୁ ଚାଲି ଯାଇଥିଲା। ଚୌକାରୁ ଭାରତ ଓ ରୋହିତଙ୍କ ପାଳି ଆରମ୍ଭ ହୋଇଥିଲା। ସେପଟେ ଦୀର୍ଘ ବ୍ୟବଧାନ ପରେ ଓପନ୍ କରିଥିବା ରାହୁଲ ନିଜ ପ୍ରଥମ ରନ୍ ପାଇଁ ୮ ବଲ୍ ନେଇଥିଲେ। ବ୍ୟାଟିଂ ପିଚ୍ ଉପରେ ବେଆଇନ ଭାବେ ଦୌଡ଼ିବା ପାଇଁ ପାକିସ୍ତାନର ଦୁଇ ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ଆମିର ପ୍ରଥମ ପାଞ୍ଚ ଓଭର ଭିତରେ ଏବଂ ପରେ ଅନ୍ୟତମ ବୋଲର ୱାହାବ ରିଆଜ ଅମ୍ପାୟାରଙ୍କଠାରୁ ଦୁଇ ଥର ଲେଖାଏଁ ଚେତାବନୀ ମିଳିଥିଲା।
। ରନ୍ ଆଉଟ୍ ରୋମାଞ୍ଚ
ରୋହିତ ଏବଂ ରାହୁଲ ଧୈର୍ଯ୍ୟ ଓ ସାହସର ସହ ଭାଗୀଦାରି କରିଥିଲେ। ଉଭୟ ଦୁର୍ବଳ ବଲ୍ ଦେଖି ବଡ଼ ସଟ୍ ଖେଳିବା ସହ ଭଲକୁ ସମ୍ମାନ ଦେଉଥିଲେ। ଭାରତୀୟ ସ୍କୋର ୪୭ ରନ୍ ଥିଲା ବେଳେ ପାକିସ୍ତାନ ଏକ ନିଶ୍ଚିତ ରନ୍ ଆଉଟ୍ ସୁଯୋଗ ହାତଛଡ଼ା କରିଥିଲା। ଦୁଇ ନୂଆ ସାଥୀ ରୋହିତ ଏବଂ ରାହୁଲ ଦୁଇ ରନ୍ ନେଲା ବେଳେ ତାଳମେଳ ଅଭାବରୁ ରାହୁଲ ଗୋଟିଏ ପଟେ ରହି ଯାଇଥିଲେ। ରୋହିତ ଅଧାପିଚରେ ଥିଲା ବେଳେ ପାକିସ୍ତାନ କ୍ଷେତ୍ରରକ୍ଷକଙ୍କ ହାତରେ ବଲ୍ ରହିଥିଲା। ହେଲେ ସେ ଏକ ବଡ଼ ଭୁଲ କରି ରାହୁଲ ଥିବା ପଟକୁ ବଲ୍ ପକାଇଥିଲେ। ଫଳରେ ରୋହିତଙ୍କୁ ପୁଣି ଥରେ ନିଜ କ୍ରିଜକୁ ଫେରି ଆସିବା ଲାଗି ପର୍ଯ୍ୟାପ୍ତ ସମୟ ମିଳି ଯାଇଥିଲା। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ପଡ଼ିଆ ଭିତରେ ହିଁ ନିଜ ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ୬୨ ରନ୍ ବେଳେ ରୋହିତ ପୁଣି ଥରେ ରନ୍ ଆଉଟ୍ ହେବାରୁ ବର୍ତି ଯାଇଥିଲେ। ଏହାର ପୂରା ଲାଭ ଉଠାଇ ସଦାବ ଖାନଙ୍କୁ ଲଗାତାର ଛକା ଏବଂ ଚୌକା ମାରି ସେ ୩୪ତମ ଅର୍ଧଶତକ ପୂରଣ କରି ନେଇଥିଲେ। ପାକିସ୍ତାନ ସ୍ପିନ୍ ବୋଲରଙ୍କୁ ଲଗାଇବା ପରେ ଭାରତ ମାତ୍ର ୧୨ ବଲ୍‌ରୁ ୨୬ ରନ୍ ଅମଳ କରି ନେଇଥିଲା।
। ରାହୁଲଙ୍କ ପ୍ରଥମ ବିଶ୍ବକପ୍‌ ଅର୍ଧଶତକ
ଆହତ ଶିଖର ଧାୱନଙ୍କ ଅନୁପସ୍ଥିତିକୁ ରାହୁଲ ନିଜ ଦାୟିତ୍ବବାନ ବ୍ୟାଟିଂ ବଳରେ ସଫଳତାର ସହ ଭରଣା କରି ନେଇଥିଲେ। ରୋହିତ ଶର୍ମାଙ୍କ ସହ ମିଶି ଭାରତ ପାଇଁ ସେ ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମେ ପ୍ରଥମେ ଦେଖିଚାହିଁ ଖେଳିଥିଲେ। ଜମିବା ପରେ ନିଜ ଗତି ବଢ଼ାଇ ବିଶ୍ବକପ୍‌ର ପ୍ରଥମ ଅର୍ଧଶତକ ହାସଲ କରି ନେଇଥିଲେ। ସୋଏବ ମଲ୍ଲିକଙ୍କୁ ମିଡ୍‌ୱକେଟ୍ ଉପରେ ଛକା ମାରି ରାହୁଲ ଅର୍ଧଶତକ ଛୁଇଁଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହା ତାଙ୍କର ତୃତୀୟ ଅର୍ଧଶତକ ଥିଲା। ଏହାର ୭ ରନ୍ ପରେ ଅବଶ୍ୟ ୱାହାବ ରିଆଜ ତାଙ୍କୁ ଆଉଟ୍ କରି ‌ଦେଇଥିଲେ। ଭାରତ ୨୩.୫ ଓଭରରେ ୧୩୬ ରନ୍‌ରେ ନିଜ ପ୍ରଥମ ୱିକେଟ୍ ହରାଇଥିଲା। ଏହା ମଧ୍ୟ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ୍ ଭାଗୀଦାରି ହୋଇଥିଲା। ଏହି କ୍ରମରେ ରୋହିତ-ରାହୁଲ ଅଧିନାୟକ ବିରାଟ କୋହଲି-ଶିଖର ଧାୱନ ଆଡିଲେଡଠାରେ ୨୦୧୫ ବିଶ୍ବକପରେ ଦ୍ବିତୀୟ ୱିକେଟ୍‌ରେ ଯୋଡ଼ିଥିବା ୧୨୯ ରନ୍‌କୁ କାଟିଥିଲେ।
। ରୋହିତ ମନେ ପକାଇଲେ ସଚିନଙ୍କ ଛକା
ରୋହିତ ଶର୍ମା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦୦୩ ଭାରତ-ପାକିସ୍ତାନ ଲଢ଼େଇରେ ସୋଏବ ଅଖତରଙ୍କୁ ମାରିଥିବା ଛକା ଦୋହରାଇଥିଲେ। ସେଞ୍ଚୁରିଅନର ସୁପରସ୍ପୋର୍ଟସ ପାର୍କଠାରେ ଖେଳା ଯାଇଥିବା ‌ସେହି ମ୍ୟାଚ୍‌ରେ ସଚିନ ଦ୍ବିତୀୟ ଓଭରରେ ହିଁ ଏକ ଦର୍ଶନୀୟ ଛକା ମାରିଥିଲେ। ଯାହା ସବୁଦିନ ପାଇଁ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲା। ସଚିନଙ୍କୁ ଡରାଇବା ଲାଗି ଅଖତର ଅଫ୍ ଷ୍ଟମ୍ପ ବାହାରେ ସଟ୍ ପିଚ୍ ବଲ୍ ମାରିଥିଲେ। ହେଲେ ସଜାଗ ସଚିନ ଜବରଦସ୍ତ ଟାଇମିଂରେ ଥାର୍ଡମ୍ୟାନ୍ କ୍ଷେତ୍ରରକ୍ଷକଙ୍କ ଉପରେ ବଲ୍‌କୁ ସୀମା ରେଖା ବାହାରକୁ ପଠାଇ ଦେଇଥି‌ଲେ। ତା’ ପରେ ଅଖତାର ଆଉ ନିଜ ଶ୍ରେଷ୍ଠ ବୋଲିଂ କରି ପାରି ନଥିଲେ। ଓଲ୍ଡ ଟ୍ରାଫର୍ଡରେ ହାସନ ଅଲ୍ଲୀଙ୍କୁ ରୋହିତ ସେହି ସଟ୍ ଖେଳି ଛକା ଅର୍ଜନ କରିଥିଲେ। ସର୍ଟ ଓ ୱାଇଡ୍ ବଲ୍‌କୁ କଟ୍ କରି ଥାର୍ଡ ମ୍ୟାନ୍ ଉପରେ ହିଁ ସ୍ମରଣୀୟ ଛକା‌ ମାରିଥିଲେ।
। ରୋହିତଙ୍କ ୨୪ତମ ଶତକ
ରୋହିତ ଶର୍ମା ରବିବାର ୨୪ତମ ଶତକ ହାସଲ କରିଥିଲେ। ଚଳିତ ବିଶ୍ବକପରେ ଏହା ତାଙ୍କର ଦ୍ବିତୀୟ ଶତକ ଥିଲା। ରୋହିତ ପ୍ରଥମେ ୩୪ ବଲ୍‌ରୁ ୬ ଚୌକା ଓ ୨ ଛକା ବଳରେ ଅର୍ଧଶତକ ପୂରଣ କରିଥିଲେ। ଏହା ପରେ ୮୫ ବଲ୍‌ରୁ ୯ ଚୌକା, ୩ ଛକା ସହାୟତାରେ ତିନି ଅଙ୍କ ଛୁଇଁଥିଲେ। ଦ୍ରୁତ ଗତିରେ ଦେଢ଼ ଶହ ରନ୍ ଆଡ଼େ ଗତି କରୁଥିଲା ବେଳେ ହାସନ ଅଲ୍ଲୀଙ୍କୁ ସ୍କୁପ୍ ସଟ୍ ଖେଳିବାକୁ ଯାଇ ୱାହାବ ରିଆଜଙ୍କ ହାତରେ ଧରାପଡ଼ିଯାଇଥିଲେ। ଏହା ପୂର୍ବରୁ ଲୋକେଶ ରାହୁଲଙ୍କ ସହ ୧୩୬ ଏବଂ ବିରାଟ କୋହଲିଙ୍କ ସହ ୯୮ ରନ୍ ଯୋଡ଼ିଥିଲେ। ଫଳରେ ଭାରତ ଏକ ବଡ଼ ସ୍କୋର କରି ନେଇଥିଲା। ପତ୍ନୀ ରିତିକା ସଜଦେଙ୍କ ଉପସ୍ଥିତିରେ ରୋହିତ ରବିବାରର ସ୍ମରଣୀୟ ପାଳି ଖେଳିଥିଲେ। ରୋହିତଙ୍କ ପାଳି ମଧ୍ୟ ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟଙ୍କ ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା।
। ଧୋନିଙ୍କ ଛକା କୀର୍ତ୍ତି କାଟିଲେ
ଶତକୀୟ ପାଳି ଅବସରରେ ରୋହିତ ଶର୍ମା ମଧ୍ୟ ରବିବାର ହାସନ୍ ଅଲୀଙ୍କୁ ଛକା ମାରି ନୂଆ କୀର୍ତ୍ତିମାନ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ମୋଟ ୩୫୮ ଛକା ମାରି ଶୀର୍ଷକୁ ଉଠିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ୩୫୫ ଛକାକୁ ସେ ପଛରେ ପକାଇଥିଲେ। ସଚିନ ତେନ୍ଦୁଲକର (୨୬୪), ଯୁବରାଜ ସିଂହ (୨୫୧), ସୌରଭ ଗାଙ୍ଗୁଲି (୨୪୭), ବୀରେନ୍ଦ୍ର ସେହବାଗ (୨୪୩) ପଛକୁ ପଛ ରହିଛନ୍ତି। ନିଜର ତୃତୀୟ ବିଶ୍ବକପ୍‌ ଶତକ ସହିତ ରୋହିତ ମଧ୍ୟ ନିଜ ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନଙ୍କ ସମକକ୍ଷ ହୋଇଛନ୍ତି। ସଚିନ ତେନ୍ଦୁଲକର ସର୍ବାଧିକ ୬ ବିଶ୍ବକପ୍‌ ଶତକ ସହିତ ଶୀର୍ଷରେ ରହିଛନ୍ତି। ବିରାଟ କୋହଲି, ବୀରେନ୍ଦ୍ର ସେହବାଗ (ଉଭୟ ୨ ଲେଖାଏଁ ଶତକ)କୁ ରୋହିତ ପଛରେ ପକାଇଥିଲେ। ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ହିଁ ଧାୱନ ଏ ଦୁହିଁଙ୍କୁ କାଟିଥିଲେ।
। କୋହଲିଙ୍କ କ୍ଲବ୍‌ରେ ରୋହିତ
ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିବାରେ ରୋହିତ ଶର୍ମା (୧୪୦) ଦ୍ବିତୀୟ ଭାରତୀୟ ହୋଇଛନ୍ତି। ବ୍ୟାଟ୍ସମ୍ୟାନ୍‌ ୮୫ ବଲ୍‌ରୁ ଶତକ ଅର୍ଜନ କରି ବିରାଟ କୋହଲିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଆୟୋଜିତ ୨୦୧୫ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ବିରାଟ ‌କୋହଲି (୧୦୭ ରନ୍‌) ଶତକ ହାସଲ କରିଥିଲେ। ପୂର୍ବରୁ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ୍‌ ସଚିନ ତେନ୍ଦୁଲକର (୯୮ ରନ୍‌)ଙ୍କ ନାମରେ ଥିଲା। ସେ ୨୦୦୩ ବିଶ୍ବକପ୍‌ରେ ଏହା ହାସଲ କରିଥିଲେ। ଚଳିତ ବିଶ୍ବକପ୍‌ରେ ରୋହିତଙ୍କର ଏହା ଦ୍ବିତୀୟ ଶତକ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର