ରୋହିତ ଶର୍ମାଙ୍କୁ ଜରିମାନା

କୋଲକାତା,: କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଆଉଟ୍ ହେବା ପରେ ବ୍ୟାଟ୍‌ରେ ଷ୍ଟମ୍ପସକୁ ପିଟିଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ କଟାଯାଇଛି। ଏଲବିଡବ୍‌ଲ୍ୟୁ ଘୋଷିତ ହେବା ପରେ ରୋହିତ ନନ୍ ଷ୍ଟ୍ରାଇକର ପାର୍ଶ୍ବ ଷ୍ଟମ୍ପ୍ସକୁ ପିଟି ଦେଇଥିଲେ। ଏଥି ସହିତ ରୋହିତ ଆଇପିଏଲ୍‌ ଆଚରଣ ସଂହିତାର ଲେବୁଲ୍-୧ ଧାରା ୨.୨ ଉଲ୍ଲଂଘନ କରିଥିଲେ। ଏହାକୁ ରୋହିତ ସ୍ବୀକାର କରିବା ସହିତ ଦଣ୍ଡକୁ ମଧ୍ୟ ଗ୍ରହଣ କରି ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସର ୨୩୨ ରନ୍‌କୁ ପିଛା କରିଥିବା ମୁମ୍ବାଇ ୩୪ ରନ୍‌ରେ ହାରିଯାଇଥିଲା। ଭଲ ଫର୍ମରେ ଥିବା ରୋହିତ ହ୍ୟାରି ଗୁର୍ନିଙ୍କ ବଲ୍‌କୁ ଭଲଭାବେ ପଢ଼ି ନ ପାରିବା ପରେ ଏହା ତାଙ୍କ ପଛ ପାଦରେ ବାଜିଥିଲା। ଅମ୍ପାୟାର୍ ଆଉଟ୍ ଦେବା ପରେ ରୋହିତ ଡିଆର୍‌ଏସ୍ ନେଇଥିଲେ। କିନ୍ତୁ ଏଥିରେ ମଧ୍ୟ ରୋହିତ ପରାସ୍ତ ହୋଇଥିଲେ। ଚଳିତ ଋତୁରେ ଏହା ରୋହିତଙ୍କ ଦ୍ବିତୀୟ ଦଣ୍ଡ। କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଦଳର ମନ୍ଥର ବୋଲିଂ ହାର ପାଇଁ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।

ସମ୍ବନ୍ଧିତ ଖବର