ଟି-୨୦ ବିଶ୍ବକପ୍: ଜାତୀୟ ସଂଗୀତ ଗାଉଥିବାବେଳେ ଭାବପ୍ରବଣ ହୋଇପଡ଼ିଲେ ରୋହିତ

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟସ ହେବା ପୂର୍ବରୁ ଭାରତୀୟ ଦଳ ପଡ଼ିଆକୁ ଆସିବା ସହ ଜାତୀୟ ସଂଗୀତ ଗାନ କରିଥିଲେ। ଏହି ସମୟରେ ଭାରତର ଅଧିନାୟକ ରୋହିତ ଶର୍ମା ଭାବପ୍ରବଣ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ରୋହିତ ଶର୍ମା ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ହୋଇଥବା ବେଳେ ଏହି ସମୟର ସେ ଭାବପ୍ରବଣ ହୋଇଥିବା ଦେଖାଯାଇଥିଲା।

ତେବେ ପ୍ରଥମେ ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ଭାରତୀୟ ବୋଲର ଅର୍ସଦୀପ ସିଂଙ୍କ ଶାଣିତ ବୋଲିଂ ଆଗରେ ଉଭୟ ତାରକା ବ୍ୟାଟ୍ସମ୍ୟାନ ବେଶିସମୟ ତିଷ୍ଠି ପାରିନଥିଲେ । ବାବର ୦ ଓ ରିଜଓ୍ବାନ ୪ ରନ କରି ଆଉଟ ହୋଇଥିଲେ । କିନ୍ତୁ ୩ୟ ଓ ୪ର୍ଥ ସ୍ଥାନରେ ଆସିଥିବା ସାନ ମାସୁଦ ଓ ଇଫତିଖାର ଅହମ୍ମଦ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଇଫତଖାର ୫୧ ରନ କରି ସମିଙ୍କ ବଲରେ ଆଉଟ ହୋଇଥିଲେ । ଅନ୍ୟପଟରେ ମାସୁଦ ବ୍ୟାଟିଂ ଜାରି ରଖିଥିଲେ ବି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ସହ ବଡ଼ ଭାଗିଦାରୀ କରିପାରିନଥିଲେ । ମାସୁଦ ଅପରାଜିତ ୫୨  ରନ କରିଥିଲେ । ଶେଷ ବେଳକୁ ସାହିନ ଆଫ୍ରିଦି ଗୋଟିଏ ଛକା ସହ ୧୬ ରନ କରିଥିଲେ ।ଫଳରେ ପାକିସ୍ତାନ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ କରିଥିଲା ।

ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସମି ଓ ଭୁବନେଶ୍ବର କୁମାର ଗୋଟିଏ  ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର