ମୁମ୍ବାଇ : ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଛକାର ଅର୍ଦ୍ଧଶତକ ପୂରଣ କରିଛନ୍ତି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍ ୨୦୨୩ର ସେମିଫାଇନାଲରେ ରୋହିତ ଏହି ସଫଳତା ହାସଲ କରିଛନ୍ତି। ୫୦ତମ ଛକା ସହ ରୋହିତ ଶର୍ମା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିଶ୍ବକପରେ ଗେଲ୍ ୪୯ଟି ଛକା ମାରି ରେକର୍ଡ କରିଥିଲେ ।

Advertisment

ଏବେ ଭାରତୀୟ ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଗେଲଙ୍କ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତୀୟ ଅଧିନାୟକ ୨୯ ବଲ୍ ରୁ ୧୬୨.୦୭ ଷ୍ଟ୍ରାଇକ୍ ରେଟ୍ ରେ ୪୭ ରନ୍ କରିଥିଲେ, ଯେଉଁଥିରେ ୪ ଚୌକା ଓ ୪ ଛକା ସାମିଲ ଥିଲା। ଏହି ୪ଟି ଛକା ସହ ରୋହିତ ଶର୍ମାଙ୍କ ବିଶ୍ୱକପ୍ ଛକା ସଂଖ୍ୟା ୫୧ରେ ପହଞ୍ଚିଛି ।

କ୍ରିସ୍ ଗେଲ୍ ୩୫ ମ୍ୟାଚ୍ ର ୩୪ଟି ଇନିଂସରେ ୪୯ଟି ଛକା ମାରିଥିଲେ। ସେହିପରି ରୋହିତ ଶର୍ମା ମାତ୍ର ୨୭ ଟି ମ୍ୟାଚର ୨୭ ଟି ଇନିଂସରେ ୫୧ ଟି ଛକା ମାରିଛନ୍ତି । ଅର୍ଥାତ ଗେଲଙ୍କଠାରୁ କମ ଇନିଂସ ଖେଳି ମଧ୍ୟ ତାଙ୍କୁ ଟପିଯାଇଛନ୍ତି ରୋହିତ । ଛକା ମାରିବା ବ୍ୟତୀତ ରୋହିତ ଶର୍ମା ରନ୍ କରିବା କ୍ଷେତ୍ରରେ କ୍ରିସ୍ ଗେଲ୍ ଙ୍କ ଠାରୁ ମଧ୍ୟ ଆଗରେ ଅଛନ୍ତି। ରୋହିତ ୨୭ ଟି ଇନିଂସରେ ୬୧.୧୨ ହାରାହାରିରେ ୧୫୨୮ ରନ୍ କରିଛନ୍ତି। କ୍ରିସ୍ ଗେଲ୍ ୩୪ ଇନିଂସରେ ୩୫.୯୩ ଷ୍ଟ୍ରାଇକ୍ ରେଟ୍ ରେ ୧୧୮୬ ରନ୍ କରିଛନ୍ତି।