ରୋହିତ ଶର୍ମା ଫିଟ୍, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବା ସମ୍ଭାବନା

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଆଶ୍ବସ୍ତିଭରା ଖବର ।  ଆହତ ଜନିତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଥିବା ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଟିମ୍ ଇଣ୍ଡିଆର ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ସେ ଦଳରେ ସାମିଲ ହେବାର ସମ୍ଭାବନା ରହିଛି ।

ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ପାଇଁ ରୋହିତ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳରୁ ବାଦ ପଡ଼ିଥିଲେ । ରୋହିତଙ୍କ ବଦଳରେ କେଏଲ ରାହୁଲ ଦିନିକିଆ ଦଳର ନେତୃତ୍ବ ନେଇଥିଲେ । ତେବେ ଭାରତ ଦିନିକିଆ ସିରିଜର ୩ଟି ଯାକ ମ୍ୟାଚ ହାରିଯାଇଥିଲା । ଦଳରେ ରୋହିତଙ୍କ ଅଭାବ ସ୍ପଷ୍ଟ ଅନୁଭୂତ ହେଉଥିଲା । ଏବେ ରୋହିତ ଟିମକୁ ଫେରିବା ପରେ ଦଳର ଶକ୍ତି ବୃଦ୍ଧି ପାଇବା ଆଶା କରାଯାଉଛି ।

ଆସନ୍ତା ଫେବ୍ରୁଆରି ମାସରେ ଓ୍ବେଷ୍ଟଇଣ୍ଡିଜ ଦଳର ଭାରତ ଗସ୍ତ ଆରମ୍ଭ ହେଉଛି । ଏହି ଗସ୍ତକାଳରେ ଇଣ୍ଡିଜ ଦଳ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ । ପ୍ରଥମ ଦିନିକିଆ ଆସନ୍ତା ଫେବ୍ରୁଆରି ମାସ ୬ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସେହିପରି ପ୍ରଥମ ଟି୨୦ ମ୍ୟାଚ ଫେବ୍ରୁଆରି ୧୬ରେ କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯିବ ।

 

ସମ୍ବନ୍ଧିତ ଖବର