ମୁମ୍ବାଇ : ଆଜକୁ ଠିକ୍ ୬ ବର୍ଷ ତଳେ (୨୦୧୪ ନଭେମ୍ବର ୧୩ ତାରିଖ) ଭାରତୀୟ ତାରକା ରୋହିତ ଶର୍ମା ଦିନିକିଆ ଆନ୍ତର୍ଜାତିକରେ ଇତିହାସ ରଚିଥିଲେ। ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ଶ୍ରୀଲଙ୍କା ବିପକ୍ଷରେ ଦ୍ବିଶତକ ଜମାଇ ସେ ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ (୨୬୪) କରିବାର କୀର୍ତ୍ତିମାନ ପାଇଥିଲେ। ରୋହିତଙ୍କ ସେହି ୨୬୪ ରନ୍ର କୀର୍ତ୍ତିମାନଭରା ପାଳି ମଧ୍ୟରେ ୩୩ ଚୌକା ଓ ୯ ଛକା ସାମିଲ ଥିଲା। ୪ ରନ୍ କରିଥିଲା ବେଳେ ଜୀବନଦାନ ପାଇଥିବା ରୋହିତ ଆଉ ୨୬୦ ରନ୍ ଯୋଡ଼ି ଭାରତ ପାଳିର ଶେଷ ବଲ୍ରେ ହିଁ ଆଉଟ୍ ହୋଇଥିଲେ। ତାଙ୍କୁ ନୁୱାନ୍ କୁଲସେକରା ଆଉଟ୍ କରିଥିଲେ। ରୋହିତଙ୍କ ୨୬୪ ରନ୍ର ପାଳି ବଳରେ ଭାରତ ୪୦୪/୫ କରିଥିଲା। ପରେ ଶ୍ରୀଲଙ୍କା ପାଳିକୁ ୨୫୧ରେ ସଫା କରି ଭାରତ ୧୫୩ ରନ୍ର ବୃହତ୍ ବିଜୟ ହାସଲ କରିଥିଲା। ରୋହିତଙ୍କ ପୂର୍ବରୁ ସଚିନ୍ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦ ଓଭରିଆ ଫର୍ମାଟ୍ରେ ଦ୍ବିଶତକ ହାସଲ କରିଥିଲେ। ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ।
ରୋହିତ ଶର୍ମା ଫାଇନାନ୍ସପିୟର୍ ଦୂତ
ମୁମ୍ବାଇ : ଶିକ୍ଷା ଭିତ୍ତିକ ଆର୍ଥିକ ଦେୟ କମ୍ପାନି ଫାଇନାଲ୍ସପିୟର ସହିତ ଯୋଡ଼ି ହୋଇଛନ୍ତି ଭାରତୀୟ କ୍ରିକେଟର୍ ରୋହିତ ଶର୍ମା। ଶିକ୍ଷା କ୍ଷେତ୍ରରେ ପରିବର୍ତନ ଏବଂ ସୃଜନଶୀଳ ସହଯୋଗ ଲାଗି ରୋହିତ ଏହି କମ୍ପାନିର କ୍ରୀଡ଼ା ଦୂତ ନିଯୁକ୍ତ ହୋଇଛନ୍ତି। ମଜାଦାର ବିଜିନେସ୍ ମଡେଲ୍ ରଖିଥିବା ଫାଇନାଲ୍ସପିୟର୍ ସହିତ ଯୋଡ଼ି ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ଚଳିତ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ଆଇପିଏଲ୍ ଟ୍ରଫି ବିଜେତା କରାଇଥିବା ରୋହିତ।